ସାହସୀ

ସାହସିକ କାମ କରିବା ପରେ ଦୁଇ ଭାଇ ଜମିବାଡି ବିକ୍ରୀ କରିଦେଲେ । କିଛି ଆବଶ୍ୟକୀୟ ସାମଗ୍ରୀ ଓ ନିଜ ନିଜ ପତ୍ନୀମାନଙ୍କୁ ସାଙ୍ଗରେ ଧରି ସେମାନେ ରାଜଧାନୀ ଅଭିମୁଖେ ବାହାରି ପଡିଲେ । ସେଠାରେ ସେମାନେ ଏକ ଧର୍ମଶାଳାରେ ରହିଲେ ।

ତୃତୀୟ ଦିନ ବାଘର ଚର୍ମ ସାଙ୍ଗରେ ଧରି ରାଜାଙ୍କ ଦର୍ଶନ ପାଇଁ ସେମାନେ ବାହାରିଲେ । ସେମାନେ ସେତେବେଳେ ବୀର ବେଶ ପରିଧାନ କରିଥିଲେ । ସେମାନେ ଭାବିଥିଲେ, ସେମାନଙ୍କର ଏରକମ ବେଶ, ପୋଷାକ ଓ ବାଘ ଚର୍ମ ଦେଖି ଦ୍ୱାରପାଳ ସେମାନଙ୍କୁ ସସମ୍ମାନେ ରାଜାଙ୍କ ପାଖକୁ ପାଛୋଟି ନେବ । କିନ୍ତୁ ସେପରି କିଛି ଘଟିଲା ନାହିଁ । ଦ୍ୱାରପାଳ ସିଧାସଳଖ ବକ୍ସିସ୍ ମାଗିଲା ଓ ବିନା ବକ୍ସିସ୍ରେ ଭିତରକୁ ଛାଡିବାକୁ ସେ ଆଦୌ ରାଜି ହେଲା ନାହିଁ ।

ଦ୍ୱାରପାଳ ଏପରି ବିନା ସଙ୍କୋଚରେ ଖୋଲାଖୋଲି ଭାବେ ବକ୍ସିସ୍ ମାଗିବା କଥା ସେମାନଙ୍କୁ ଖୁବ୍ ବିସ୍ମିତ କଲା । କିନ୍ତୁ ସେମାନଙ୍କ ପାଖରେ ଅନ୍ୟ କୌଣସି ଉପାୟ ନଥିଲା । ରାଜଦର୍ଶନ ପାଇଁ ଦୁଇ ଭାଇ ଦୁଇଟି ଲେଖାଏଁ ମୁଦ୍ରା ଦ୍ୱାରପାଳ ହାତରେ ଧରେଇ ଭିତରକୁ ଗଲେ ।

ରାଜା ଚନ୍ଦ୍ରହାସ ସେମାନଙ୍କର ଏ ବିଚିତ୍ର ପୋଷାକ ଓ ବାଘ ଚର୍ମ ଦେଖି ବିରକ୍ତ ହୋଇ ଉଠିଲେ । ସେମାନଙ୍କୁ ଆସିବାର କାରଣ ପଚାରିଲେ । ତା’ପରେ ଭାଇମାନେ ବାଘ ମାରିବାର ସାହସିକ ଗାଥା ବିଶଦ ଭାବେ ବର୍ଣ୍ଣନା କଲେ । ନିଜର ଜୀବନକୁ ବାଜି ଲଗାଇ ସେମାନେ ଏହା କରିଛନ୍ତି ବୋଲି ଜଣାଇଲେ । କିନ୍ତୁ ରାଜା ସେମାନଙ୍କ କଥାରେ ଏତେଟା ପ୍ରଭାବିତ ହେଲେ ନାହିଁ । ରୁକ୍ଷ ସ୍ୱରରେ ରାଜା କହିଲେ, “ତୁମ ପରି କେତେ ସାହସୀ ସାରା ରାଜ୍ୟରେ ଅଛନ୍ତି, ସମସ୍ତଙ୍କୁ ରାଜଦରବାରରେ ଚାକିରୀ ଦେବା ସମ୍ଭବ ନୁହେଁ ।” ତା’ପରେ ରାଜା ସେମାନଙ୍କୁ ଦୁଇଶହ ଲେଖାଏଁ ମୁଦ୍ରା ଧରେଇ ଦେଇ ସେଠୁ ବିଦା କରିଦେଲେ ।

ପତିମାନଙ୍କୁ ନିରାଶ ହୋଇ ଫେରି ଆସିବାର ଦେଖି ସେମାନଙ୍କ ପତ୍ନୀମାନେ ମନଦୁଃଖ କଲେ । ଦୁଇ ଦିନ ପରେ ରଙ୍ଗଦେବକୁ ତା’ର ପତ୍ନୀ କହିଲା, “ମନୁଷ୍ୟ ଯାହା ଆଶା କରେ, ତାହା ତା’କୁ ସବୁବେଳେ ମିଳି ନଥାଏ । କିନ୍ତୁ ଆମେ ଗ୍ରାମକୁ ଫେରିଯିବା ଆଉ ସମ୍ଭବ ନୁହେଁ । କାରଣ ଏହା ଆମ ପ୍ରତି ଏକ ଅପମାନ ହେବ । ରାଜା ଯେଉଁ ଅର୍ଥ ଦେଇଛନ୍ତି, ସେତକ ପୁଞ୍ଜିରେ କୌଣସି ବ୍ୟବସାୟ ଆମେ ଏଠାରେ ଆରମ୍ଭ କରିବା ।”

ଏହି ପରାମର୍ଶ ସମସ୍ତଙ୍କ ମନକୁ ଗଲା । ସେମାନଙ୍କର ଖାଦ୍ୟ ପ୍ରସ୍ତୁତି ସମ୍ପର୍କରେ କିଛି ଜ୍ଞାନ ଥିବାରୁ ଏକ ଜଳଖିଆ ଦୋକାନ କରିବାକୁ ସେମାନେ ସ୍ଥିର କଲେ । ଗୋଟିଏ ଦିନ ପରେ ଦୋକାନ ଖୋଲିବାର ପ୍ରସ୍ତୁତି କରିନେଲେ । କିନ୍ତୁ ସେମାନଙ୍କର ଏହି ଯୋଜନା ମଧ୍ୟ ସଫଳ ହେଲା ନାହିଁ ।

ଦୋକାନ ଖୋଲିବା ପାଇଁ ପ୍ରଥମେ ନଗରପାଳଙ୍କ ଠାରୁ ଅନୁମତି ଆଣିବାକୁ କୁହାଗଲା । ତା’ପରେ ସେ ଦୁଇଭାଇ ନଗରପାଳଙ୍କ ପାଖରେ ଯାଇ ପହଁଚିଲେ । ମାତ୍ର ସେଠାରେ ପହଁଚି ସେମାନେ ଜାଣିବାକୁ ପାଇଲେ ଯେ, ଦୁଇଶହ ମୁଦ୍ରା ଭେଟି ଦେଲେ ଯାଇ ନଗରପାଳ ଅନୁମତି ପତ୍ର ପ୍ରଦାନ କରିବେ ।

ଏହି ବିଷୟ ଜାଣିବା ପରେ ସୋମନାଥ ମନଦୁଃଖରେ କହିଲା, “ଭାଇ, ଦେଖୁଛ, ରାଜ୍ୟ ସାରା ଯେଉଁଆଡେ ଗଲେ ଲାଂଚ ନ ଦେଲେ କିଛି କାମ ଆଦୌ ହେଉନାହିଁ । କେଉଁଠାରେ ସାଧୁତା ନାହିଁ । ମୋର ଯାହା ମନେ ହେଉଛି, ରାଜା ଜାଣିଶୁଣି ଏପରି ଲାଂଚଖୋର ମାନଙ୍କୁ ନିଯୁକ୍ତି ଦେଇଛନ୍ତି । ଚାଲ, ରାଜାଙ୍କୁ ଭେଟି ଏଇ କଥା ପଚାରିବା ।”

ସୋମଦେବର କଥା ରଙ୍ଗନାଥକୁ ସତ୍ୟ ମନେ ହେଲା । ସେ କହିଲା, “ବେପାର କରିବା କଥା ପଛେ ବିଚାର କରିବା । ଚାଲ୍, ଆମେ ପ୍ରଥମେ ଯାଇ ରାଜାଙ୍କୁ ସାକ୍ଷାତ କରିବା ।”

ଦୁହେଁ ରାଜଭବନରେ ପହଁଚିବା କ୍ଷଣି ଦ୍ୱାରପାଳ ସେମାନଙ୍କୁ ପୁଣି ଲାଂଚ ମାଗିଲା । ଏପରି ପରିସ୍ଥିତି ଆସିଲେ କ’ଣ କରିବାକୁ ହେବ, ତାହା ସୋମନାଥ ତ ପ୍ରଥମରୁ ସ୍ଥିର କରି ସାରିଥିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ