ସାହସ ଓ ଧୈର୍ଯ୍ୟ ବଳରେ ଅସମ୍ଭବ କାର୍ଯ୍ୟ ସମ୍ଭବ ହୁଏ

ଫ୍ରେଡ୍ରିକ୍ର ବୟସ ବଢିବା ସଙ୍ଗେ ସଙ୍ଗେ ସେ ଟ୍ରୟ ନଗରୀକୁ ଖୋଜି ବାହାର କରିବା ପାଇଁ ଉଦ୍ୟମ ଜାରି ରଖିଲା । ଏଥିପାଇଁ ପ୍ରଥମେ ବହୁତ ଟଙ୍କାର ଆବଶ୍ୟକତା ଉପଲବ୍ଧ କରି ସେ ପ୍ରଥମେ ଅର୍ଥ ଉପାର୍ଜନରେ ଲାଗିଗଲା । ସେ ଏକ ଜାହାଜରେ ଆମେରିକା ଗସ୍ତ କଲା । ମାତ୍ର ଦୁର୍ଭାଗ୍ୟକୁ ସେ ଜାହାଜଟି ଉତ୍ତର ମହାସାଗରରେ ବୁଡିଗଲା ।

ଏବେ ସେ ସାହସୀ କିଶୋର ଫ୍ରେଡ୍ରିକ୍ ନିଜର ଜୀବନ ବଂଚାଇବା ପାଇଁ ପହଁରି ପହଁରି ଚାଲିଲା ସେହି ଅଥଳ ସାଗର ବକ୍ଷରେ । ଶେଷରେ ସେ ଯାଇ ପହଁଚିଲା ହଲାଣ୍ଡ ଦେଶରେ । ସେଠାରେ ସେ ଚାକିରିଟିଏ ଖୋଜି ଖୋଜି ଶେଷରେ ଏକ ବ୍ୟାଙ୍କ୍ରେ କାମ ପାଇଗଲା ।

ହଲାଣ୍ଡରେ କିଛି ଅର୍ଥ ରୋଜଗାର କରିବା ପରେ ଫ୍ରେଡ୍ରିକ୍ ଚାଲିଲା ରୁଷିଆ ଗସ୍ତରେ । ସେଠାରେ ଅକ୍ଳାନ୍ତ ପରିଶ୍ରମର ଫଳସ୍ୱରୂପ ସେ ଆଧୁନିକ ଗ୍ରୀକ୍ଭାଷା ଓ ପ୍ରାଚୀନ ଭାଷାସବୁ ଶିଖିଲା । ଏପରି କରିବା ପଛରେ ତାଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା, ଏସବୁ ଭାଷା ଶିଖିଲେ ହିଁ ସେ ଟ୍ରୟ ନଗରୀ ସମ୍ବନ୍ଧୀୟ ପୁରୁଣା ତଥ୍ୟ କାଗଜପତ୍ରରୁ ସଂଗ୍ରହ କରିବା ସମ୍ଭବ ହେବ ।

ଫ୍ରେଡ୍ରିକ୍ ତା’ପରେ ଚାଲିଲେ ଆମେରିକା । ସେ ହଲାଣ୍ଡ ଓ ରୁଷିଆରେ ଯାହାକିଛି ବି ଅର୍ଥ ରୋଜଗାର କରିଥିଲେ ସେସବୁକୁ ବିନିଯୋଗ କରି ଆମେରିକାରେ ସେ ବ୍ୟବସାୟ ଆରମ୍ଭ କରିଦେଲେ । ନିଷ୍ଠା ବଳରେ ତାଙ୍କର ବ୍ୟବସାୟ ବହୁତ ଆଗକୁ ବଢିଚାଲିଲା । ପ୍ରଚୁର ଅର୍ଥ ସଂଗ୍ରହ କରି ଏଥର ସେ ବାହାରି ପଡିଲେ ‘ଟ୍ରୟ’ ନଗରୀ ଠାବ କରିବା ପାଇଁ ।

ସମୁଦ୍ର ଉପକୂଳରେ ଟ୍ରୟନଗରୀ କେଉଁଠାରେ ଥିଲା ସେ କାଗଜପତ୍ର ପଢି ଜାଣିଲେ । ତା’ପରେ ସେହି ସ୍ଥାନଟିକୁ ନିରୂପଣ କରି ସେ ସ୍ଥାନର ମାଲିକ ତୁର୍କୀର ଜଣେ ମୁସଲମାନଙ୍କଠାରୁ କିଣି ନେଲେ । ତା’ପରେ ସେହି ସ୍ଥାନରୁ ମାଟିଖୋଳା ଚାଲିଲା । ମାସ ପରେ ମାସ ବର୍ଷ ପରେ ବର୍ଷ ସମୟ ଗଡିଚାଲିଲା ପଛେ ହେଲେ ଟ୍ରୟନଗରୀର କୌଣସି ସନ୍ଧାନ ବି ମିଳିଲା ନାହିଁ । ତଥାପି ମଧ୍ୟ ସେ ଫ୍ରେଡ୍ରିକ୍ ହତୋତ୍ସାହ ହୋଇପଡିଲେ ନାହିଁ । ତାଙ୍କୁ ସମସ୍ତେ ବୋକା ବୋଲି କହିଲେ ବି ସେ କାହାର କଥା ମୋଟେ ଶୁଣିଲେ ନାହିଁ ।

କାମ ସେମିତି ଚାଲିଥାଏ । ହଠାତ୍ ଦିନେ ସେ ମାଟିତଳୁ ଏକ ବିରାଟ ସିନ୍ଦୁକର ସନ୍ଧାନ ମିଳିଲା । ଏଥିରେ ସୁନା ହୀରାର ମୂଲ୍ୟବାନ୍ ଗହଣା ଭର୍ତ୍ତି ହୋଇ ରହିଥିଲା ଏବଂ ତାହା ଟ୍ରୟ ନଗରୀର ରାଜା ପ୍ରିୟମ୍ଙ୍କର ଗୁପ୍ତଧନ ବୋଲି ଜଣାପଡିଲା । ସିନ୍ଦୁକ ମିଳିବା ପରେ ଶ୍ରମିକଙ୍କର ଉତ୍ସାହ ଆହୁରି ବଢିଗଲା । ମାଟି ଖୋଳା ଅବ୍ୟାହାତ ଚାଲିଥାଏ । ଶେଷରେ ମିଳିଲା ଟ୍ରୟ ନଗରୀର ଭଙ୍ଗାରୁଜା ଅଂଶ । କେବଳ ଟ୍ରୟ କାହିଁକି, ଫ୍ରେଡରିକ୍ ଆହୁରି ଦୁଇଟି ପ୍ରାଚୀନ ନଗରୀ ମଧ୍ୟ ଖୋଜି ବାହାର କଲେ ।

ଏହି କାର୍ଯ୍ୟରୁ ଜଣାଯାଏ ଯେ, ସାହସ ଓ ଧୈର୍ଯ୍ୟର ସହିତ କାର୍ଯ୍ୟ ଅବ୍ୟାହତ ରଖିଲେ ଅସାଧ୍ୟ ବି ସାଧିତ ହୋଇଥାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ