ସାହାସୀ ହେନେରୀ

କୁକୁଡା କଥା କହୁଛି ବୋଲି ହେନେରୀ ଆଉ ଆଶ୍ଚର୍ଯ୍ୟ ହେଲା ନାହିଁ ।  ହେନେରୀ ଆଉ କିଛି ବାଟ ଯାଇଛି, ଦେଖିଲା ଗୋଟିଏ ବେଙ୍ଗକୁ ସାପଟିଏ ଖାଇଦେବାକୁ ବସିଛି । ଏସବୁ ଦେଖି ହେନେରୀ ଟେକାଟିଏ ପକାଇ ସାପକୁ ସେଠାରୁ ଘଉଡାଇ ଦେଲା । ବେଙ୍ଗଟି ମଧ୍ୟ ପ୍ରାଣ ପାଇ ହେନେରୀ ଉପରେ ଅତ୍ୟନ୍ତ ଖୁସି ହେଲା । ତତ୍ପରେ ସେ ବେଙ୍ଗଟି ମଣିଷ ପରି ହେନେରୀକୁ କହିଲା, “ତୁମ ଉପକାର ମୋର ମନେ ରହିଲା । ଦରକାର ବେଳେ ମୁଁ ନିଶ୍ଚୟ ତୁମ କାମରେ ଆସିବି ।”

ହେନେରୀ ଶେଷରେ ଯାଇ ଗୋଟିଏ ନଈକୂଳରେ ପହଁଚିଲା । ଦୁଇକୂଳ ଖାଇ ପାଣି ବହିଯାଉଥାଏ । ନଈଟା ଏତେ ଓସାର ଯେ ଆର କୂଳଟି ଆଦୌ ଦେଖାଯାଉ ନଥାଏ । ମନେ ହେଉଥାଏ, ସେ ଅବା ଗୋଟିଏ ସମୁଦ୍ରକୂଳରେ ପହଁଚିଯାଇଛି । ନଈ ପାରିହେବା ପାଇଁ କିଛି ଆଶା ନାହିଁ । ଯେତେ ଅନୁମାନ କଲା, ସେଠାରେ ଘାଟ ନାହିଁ କି ପୋଲ ନାହିଁ । ନଈ ପାରି ନ ହେଲେ ସେ ପାହାଡକୁ ଯିବା ଅତ୍ୟନ୍ତ ଅସମ୍ଭବ । ହେନେରୀ କେବଳ ପରୀରାଣୀକୁ ମନେ ମନେ ସ୍ମରଣ କରୁଥାଏ ଏବଂ ନିଜ ମା’ କଥା ମନେ ପକାଇ କାନ୍ଦିପକାଉଥାଏ ।

ଠିକ୍ ଏତିକିବେଳେ କୁକୁଡାଟି ଆସି ସେଠାରେ ପହଁଚି ଗଲା । ସେ କୁକୁଡା ହେନେରୀକୁ କହିଲା, “ତୁମ ପରୀର ଏଠାରେ ଅଧିକାର ଖାଟିବ ନାହିଁ । ମୋ ପିଠିରେ ବସ, ମୁଁ ତୁମକୁ ନଈ ପାର କରିଦେବି ।”

ହେନେରୀ କୁକୁଡା ଉପରକୁ ଯିବ କି ନାହିଁ ଭାବୁଛି, ହଠାତ୍ ଦେଖିଲା ତାର ପିଠିଟା ଘୋଡା ପିଠି ପରି ଓସାର ହୋଇ ଯାଇଛି । ତାପରେ ହେନେରୀ ସେ କୁକୁଡାର ଚୂଳ ଧରି ଆନନ୍ଦରେ ତା ପିଠି ଉପରେ ବସି ପଡିଲା । କୁକୁଡା ଉଡି ଉଡି ଯାଉଥାଏ । ଏକୋଇଶଦିନ କାଳ କୁକୁଡା ଉଡି ଚାଲିଥାଏ; ତଥାପି ବି ସେ ନଈଟି ଆଦୌ ସରୁ ନଥାଏ । ଏପଟେ ହେନେରୀକୁ ମଧ୍ୟ ଭୋକ, ଶୋଷ କି ନିଦ ଲାଗୁ ନଥାଏ । ତାର କେବଳ ଗୋଟିଏ ଚିନ୍ତା ସେ କିପରି ଅମୃତଚେର ଆଣି ନିଜ ମା’କୁ ଭଲ କରିବ ।

ସେ ହେନେରୀ ଏହିପରି ଭାବୁଛି, ଅକସ୍ମାତ ଜଣେ ବୁଢା ବାମନ ଆସି ତା’ ଆଗରେ ଠିଆ ହୋଇଗଲା । ସେ ବୁଢା ବାମନ ହେନେରୀକୁ ପଚାରିଲା, “କିରେ ପିଲା ! ତୋର ତ ଭାରୀ ସାହସ । ମୋ ରାଜ୍ୟକୁ ତୋତେ ଆସିବାକୁ କିଏ କହିଲା । ତୋର କଅଣ ନିଜ ଜୀବନକୁ ଆଶା ନାହିଁ କି?”

ଏହା ଶୁଣି ହେନେରୀ ହଠାତ୍ ଚମକି ପଡିଲା । ସେ ଭାବିଲା, ଏହି ବାମନ ବୁଢାଟି ବୋଧହୁଏ ପାହାଡରେ ଘର କରି ରହିଥିବା ଅସୁର ବୁଢା । ସେ ତ ତା’ର ମାଆ ପାଇଁ ନିଜ ଜୀବନକୁ ପାଣି ଛଡାଇଛି । ଏବେ ପୁଣି ତାକୁ ଆଉ ଡର କାହାକୁ!!

ସାହସ ସଂଚୟ କରି ହେନେରୀ କହିଲା, “ମଉସା, ମୋର ନମସ୍କାର ଗ୍ରହଣ କର । ମୋର ବୋଉ ମରଣ ଶେଯରେ । ତାକୁ ହିଁ ରକ୍ଷା କରିବା ପାଇଁ ମୁଁ ତୁମ ପାଖକୁ ଆସିଛି । ଅମୃତ ଚେର ନେଲେ ଯାଇ ମୋର ବୋଉ ଜୀବନ ପାଇବ ।”

ବାମନ ବୁଢା ହେନେରୀର ଏପ୍ରକାର ମାତୃଭକ୍ତି ଦେଖି ଖୁବ୍ ସନ୍ତୋଷ ପ୍ରକାଶ କଲା । ସେ କହିଲା, “ଆଚ୍ଛା ତୋ ଉପରେ ମୁଁ ଅତ୍ୟନ୍ତ ଖୁସି ହେଲି । ତୋତେ ଆଶୀର୍ବାଦ କରୁଛି, ତୁ ତୋ କାମରେ ନିଶ୍ଚୟ ସଫଳ ହୁଅ ।” ଏହା କହି ସେ ବାମନ ବୁଢା ହେନେରୀକୁ ଗୋଟିଏ କାଠଘୋଡା ଦେଲା ଏବଂ ତାକୁ ମନ୍ତ୍ରଟିଏ ଶିଖାଇ ଦେଲା । ବୁଢା ବାମନ କହିଲା, “ଏହି ମନ୍ତ୍ରଟି ପଢି କାଠଘୋଡାକୁ ଚାଲ ବୋଲି କହିଲେ ସେ ତୋତେ ନେଇ ସେ ପାହାଡ ଉପରେ ପହଁଚାଇ ଦେବ । ସେଇଠି ଅମୃତଫଳର ଗଛ ଅଛି ।” ଏତିକି କହି ବାମନ ବୁଢା ସେଠାରୁ ହଠାତ୍ କୁଆଡେ ଉଭାନ୍ ହୋଇଗଲା ।

ହେନେରୀ କାଠଘୋଡା ଉପରେ ବସି ଯେମିତି ସେ ମନ୍ତ୍ର ବୋଲି କହିଛି ପାହାଡ ଉପରକୁ ଯାଆ, ସେହି କ୍ଷଣି ପକ୍ଷୀପରି କାଠଘୋଡାଟି ଶୂନ୍ୟରେ ଉଡି ଉଡି ଖୁବ୍ ଅଳ୍ପ ସମୟ ମଧ୍ୟରେ ହେନେରୀକୁ ଏତେ ଉଚ୍ଚ ପାହାଡ ଉପରେ ପହଁଚାଇ ଦେଲା । ସେ କାଠଘୋଡାରୁ ଓହ୍ଲାଇପଡି ହେନେରୀ ଦେଖିଲା, ଚାରିଆଡେ ଖୁବ୍ ଭୟଙ୍କର ଜଙ୍ଗଲ । ସମାନ୍ୟ ଚଢେଇଟିର ମଧ୍ୟ ସ୍ୱର – ଶଦ୍ଦ ନାହିଁ ସେଠାରେ । ତେଣୁ ତାକୁ ବଡ ଏକା ଏକା ଲାଗିଲା । ସେ ଏବେ କଅଣ କରିବ? କିପରି ସେ ଅମୃତ ଗଛର ଚେର ଖୋଜି ପାଇବ? ଏପରି ଭାବି ଭାବି ସେ କିଛି ଥଳକୂଳ ପାଇଲା ନାହିଁ । ଶେଷରେ ତାର ପରୀର କଥା ମନେ ପଡିଲା । ସେ ମନେ ମନେ ପରୀକୁ ସ୍ମରଣ କରିବାକୁ ଲାଗିଲା । ଏତିକିବେଳେ କିଏ ଯେପରି ତାର କାନରେ ଥିରି ଥିରି କହି ଦେଇଗଲା, ପାହାଡ ରାଜ୍ୟର ବୈଦ୍ୟ ହିଁ ତୋତେ କେବଳ ଏ ଚେର ଖୋଜିଆଣି ଦେଇ ପାରିବ ।


ଗପ ସାରଣୀ

ତାଲିକାଭୁକ୍ତ ଗପ