ସିଦ୍ଧିଲାଲୟମ୍ – ୧୯

ରାସ୍ତାରେ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ନ ହୋଇ ଲଗାତର ପନ୍ଦର ଦିନ ଯାତ୍ରା କରିବା ପରେ ବିକ୍ରମକେଶରୀ ଏବଂ ଶିଖିମୁଖ ସୁରସେନ ଦେଶରେ ପହଁଚିଲେ । ଜୟପାଳ ବିକ୍ରମକେଶରୀଙ୍କଠାରୁ ସମସ୍ତ ସମାଚାର ଜାଣିବା ପରେ କହିଲେ ଏହି କାର୍ଯ୍ୟରେ ଯେତେ ସମସ୍ୟା ଥିଲେ ମଧ୍ୟ ସେ ବ୍ରହ୍ମପୁତ୍ର ନଦୀର ଘାଟୀ ଉପରକୁ ଯାଇ ତାଙ୍କର ପିତାଙ୍କର ଖବର ନିଶ୍ଚୟ ଆଣିବେ ।

ଜୟପାଳଙ୍କର ଏଭଳି ନିଷ୍ପତିକୁ ମନ୍ତ୍ରୀ ତଥା ମୁଖ୍ୟ ରାଜକର୍ମଚାରୀମାନେ ବିନମ୍ର ଶବ୍ଦରେ ବିରୋଧ କଲେ । ସେମାନେ ଏହି ପରାମର୍ଶ ଦେଲେ ଯେ ଏପରି କଠିନ କାର୍ଯ୍ୟ ପାଇଁ କେବଳ ଯୁବକ ହିଁ ଉପଯୁକ୍ତ । ଏହି ଅବସ୍ଥାରେ ଜୟପାଳ ଦୂର ଦେଶକୁ ଯାତ୍ରା କରିବା ଠିକ୍ ହେବ ନାହିଁ । ତାଙ୍କର ପରାମର୍ଶ ମାନି ଜୟପାଳ ଏହି କାର୍ଯ୍ୟଭାର ତାଙ୍କର ପୁତ୍ର ବିକ୍ରମକେଶରୀଙ୍କୁ ସମର୍ପଣ କଲେ ।

ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଏକ ସପ୍ତାହ ମଧ୍ୟରେ ସଂପୂର୍ଣ୍ଣ ହୋଇଗଲା । ବିକ୍ରମକେଶରୀ ତଥା ଶିଖିମୁଖ ସହିତ ଦୁଇ ଜଣ ସୁଶିକ୍ଷିତ କ୍ଷତ୍ରୀୟ ଯୁବକଙ୍କୁ ମଧ୍ୟ ପଠାଇବାର ବ୍ୟବସ୍ଥା କରାଗଲା । ସମସ୍ତେ ଦିନେ ସକାଳୁ ବ୍ରହ୍ମପୁତ୍ର ନଦୀର ଘାଟୀ ଆଡକୁ ଯିବା ପାଇଁ ପ୍ରସ୍ତୁତ ହୋଇଗଲେ । ବିଦାୟ ଦେବା ପୂର୍ବରୁ ଜୟପାଳ ବଡ ଆଦରର ସହିତ ଶିଖିମୁଖଙ୍କୁ ଆଲିଂଗନ କଲେ ଏବଂ ତାଙ୍କର ଗଳାରେ ଏକ ରକ୍ଷା ପଦକ ବାନ୍ଧି ଦେଲେ । ଏହି ପଦକ ଜୟପାଳଙ୍କୁ ତାଙ୍କର ପିତାଙ୍କ ଦ୍ୱାରା ପ୍ରେରିତ ତାଡପତ୍ର ପେଟି ମଧ୍ୟରେ ମିଳିଥିଲା । ସେଥିରେ କାଳୀ ମାତାଙ୍କର ମୂର୍ତ୍ତି ଖୋଦନ କରାଯାଇଥିଲା ।

ଶିଖିମୁଖ ଏବଂ ବିକ୍ରମକେଶରୀ ନିଜର ଦୁଇ ସାଥୀଙ୍କ ସହିତ ଚାରି ପାଂଚ ମାସ ପର୍ଯ୍ୟନ୍ତ ଜଂଗଲ ଯାତ୍ରା କରି କେତେ ପାହାଡ, ପର୍ବତ, ନଦୀ ନାଳ ପାର କରି ଶେଷରେ ଯାଇ କାମାକ୍ଷାପୁରରେ ପହଁଚିଲେ । ସେଠାରେ ସେମାନେ ନିଷ୍ପତି ନେଲେ ଯେ କିଛି ଦିନ ପର୍ଯ୍ୟନ୍ତ ବିଶ୍ରାମ ନେଇ ରାସ୍ତା ଦେଖେଇବା ପାଇଁ କାହାକୁ ଖୋଜି ନେଇ ତାଙ୍କର ସହାୟତାରେ ଇଭ୍ୟ ଜାତିର ଲୋକେ ରହୁଥିବା ଦେଶରେ ପହଁଚି ପାରିବେ । ସୁରସେନ ଦେଶର ଜଣେ ପଣ୍ଡିତ ଜୟପାଳଙ୍କୁ କହିଥିଲେ ଯେ, ତାଙ୍କର ପିତା ମହାରାଜ ବିକ୍ରମକେଶରୀ କିଛି ଦିନ ପର୍ଯ୍ୟନ୍ତ ସେହି ପ୍ରଦେଶରେ ବାସ କରୁଥିଲେ ।

ବିକ୍ରମକେଶରୀ ଏବଂ ତାଙ୍କର ସାଥୀ କାମାକ୍ଷାପୁରରେ ପହଁଚି ଗୋଟିଏ ଅତିଥିଶାଳାରେ ରହିଲେ । ସେହି ସମୟରେ ତ ସେଠାରେ ଦେବୀ ଉତ୍ସବ ପାଳନ କରାଯାଉଥିଲା । ଆଉ ସେହି ଉତ୍ସବରେ ଯୋଗ ଦେବା ପାଇଁ ସହର ଚାରିପଟୁ ଦଶ ବାରକୋଶରୁ ମଧ୍ୟ ଲୋକେ ଆସି ପହଁଚିଥିଲେ । ସେମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ଜାତିର ଲୋକ ଥିଲେ । ଏସବୁ ଦେଖି ଶିଖିମୁଖର ମନେ ହେଲା ଯେ ବ୍ରହ୍ମପୁତ୍ର ଘାଟୀରେ ମାର୍ଗଦର୍ଶନ କରିବା ପାଇଁ ଜଣେ ଉଚିତ୍ ବ୍ୟକ୍ତିଙ୍କୁ ଠାବ କରିବା ପାଇଁ ଏହା ହେଉଛି ଏକ ଉତ୍ତମ ସୁଯୋଗ । ତେଣୁ ସେ ବିକ୍ରମକେଶରୀ ତଥା ଅନ୍ୟ ଯୁବକମାନଙ୍କୁ ସାଂଗରେ ଧରି ସେହି ପ୍ରଦେଶ ପାଇଁ ବାହାରି ପଡିଲେ । ଗଳିରେ ଚାରିପଟେ ବିଭିନ୍ନ ପ୍ରକାରର ଦୋକାନ ଲାଗିଥିଲା । ସେହି ଦୋକାନରେ ହାତୀଦାନ୍ତରେ ନିର୍ମିତ ସାମଗ୍ରୀ, ମାର୍ବଲ୍ ପଥରରେ ନିର୍ମିତ ମୂର୍ତ୍ତି, ଜୀବଜନ୍ତୁଙ୍କ ଚମଡାରୁ ପ୍ରସ୍ତୁତ ସାମଗ୍ରୀ ଏବଂ ଆହୁରି ଅନେକ ପ୍ରକାରର ଜିନିଷ ବିକ୍ରି କରାଯାଉଥିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ