ସୁଖରାମ ଆଉ ଦୁଃଖରାମ

                ସବୁଦିନ ତ ଆଉ ସୁଖ ନଥାଏ । ଦିନେ ନା ଦିନେ ଦୁଃଖ ଆସି ପହଁଚିବ । ହରିରାମ ହଠାତ୍ ଅସୁସ୍ଥ ହୋଇପଡିଲା । ଡାକ୍ତର ଆସି ଚିକିତ୍ସା କଲେ । ହେଲେ ଶେଷରେ ସବୁ ନିଷ୍ଫଳ ହେଲା । ତା’ପରେ ସେ ହରିରାମ ଚିରଦିନ ପାଇଁ ଆଖିବୁଜି ଦେଲା । ତା ସ୍ତ୍ରୀ ମଧ୍ୟ କିଛିଦିନପରେ ତାରିବାଟରେ ହିଁ ଚାଲିଗଲା । ଏବେ ସେ ଦୁଇଭାଇ ମିଶି ବାପା-ମା’ଙ୍କର କ୍ରିୟାକର୍ମ କଲେ । ତା’ପରେ ଆରମ୍ଭ ହେଲା ତାଙ୍କ ଘରେ ମହାଭାରତ ପର୍ବ । କାହିଁକିନା ରାମଙ୍କ ଯୁଗ ଚାଲିଗଲା ହରିରାମଙ୍କ ସହିତ । ସୁଖରାମର ସ୍ତ୍ରୀ ସୁଖଲତା । ସେ ମାଟ୍ରିକ୍ ପାଶ୍ କରିଛି । ଖୁବ୍ ଧନୀ ଘରର ଝିଅ ବି ସେ । ଏଣୁ ତାର ଗର୍ବ କହିଲେ ନସରେ । ଦୁଃଖରାମର ସ୍ତ୍ରୀ ଦୁଃଖିନୀ ସରଳା ତଥା ଗରିବ ଘରର ଝିଅ । ଯାନି ଯୌତୁକ ବୋଲି କିଛି ବି ଆଣିନି ସେ । ପାଠ ବି ସେମିତି ବେଶୀ ପଢିନି ସେ ।

                ଦୁଃଖରାମ ପ୍ରତିଦିନ ହଳନେଇ ବିଲକୁ ଯାଏ । ଚାଷକଥା ବୁଝେ । ତା’ ସ୍ତ୍ରୀ ସରଳା ଘରକାମ ସବୁ କରେ । ହେଲେ ସୁଖରାମ କିଛି ବି କାମ କରେନି, ଖାଲି ଖାଇପିଇ ଗାଆଁରେ ବୁଲେ ନଚେତ୍ ତାସ୍ ଖେଳରେ ମାତେ । ତା’ ସ୍ତ୍ରୀ ସୁଖଲତାବି ତଦ୍ରୁପ । ସାଇ ସ୍ତ୍ରୀ ଲୋକଙ୍କ ସହିତ ଲୁଡୁ ଖେଳେ । ଗପ ଜମାଏ । ନିଜଗାଁ ବାପଘର କଥା ବଢେଇ ଚଢେଇ କରି କହେ । ଦୁଃଖରାମ ଏବଂ ସରଳାଙ୍କୁ ଆଦୌ ଆଖିରେ ଦେଖି ପାରେନି ସେ । ବଡଭାଇ ବଡଭାଉଜ ବୋଲି ଦୁଃଖରାମ ସେମାନଙ୍କୁ କିଛି ବି କହେନି । ତଥାପି ବି ବାପାଙ୍କ କଥା ରକ୍ଷାକରି ପାରେନା ।

                ସୁଖଲତାଙ୍କ ଚକ୍ରାନ୍ତରେ ଦୁଇଭାଇ ଶେଷରେ ଭିନ୍ନେ ହୋଇଗଲେ । ଦୁଇଟି ବଳଦକୁ ଜଣକେ ଗୋଟିଏ କରି ନେଲେ । ଦୁଇଏକର ଜମି, ଗଡିଆ, ଘର, ଖଳାବାରି, ଗଛ ସବୁ ଦି ଭାଗ ହେଲା । ସୁଖରାମ ତ ପାଠୁଆ ଲୋକ, ଲଙ୍ଗଳଧରି ହଳକାମ କରିବା ତା ପକ୍ଷରେ ଆଦୌ ସମ୍ଭବ ନୁହେଁ । ଏଣୁ ସେ ଗାଁର ଜମି, ଡିହ, ବଳଦ ଆଦି ବିକ୍ରି କରି ଟଙ୍କା ଧରି ସହରକୁ ଚାଲିଗଲା ବ୍ୟବସାୟ କରି ସୁଖରେ ରହିବା ପାଇଁ । ଏଥିରେ ସୁଖଲତା ମଧ୍ୟ ତା ସ୍ୱାମୀ ତଥା ସୁଖରାମକୁ ସମର୍ଥନ କଲା । କାରଣ ଗାଁରେ ତ ଆଉ ପାର୍କ ନାହିଁ, ସିନେମାହଲ ନାହିଁ, ଇଲେକ୍ଟ୍ରି ନାହିଁ, ପିଚୁରାସ୍ତା ନାହିଁ, ତେଣୁ ଏଠାରେ ସେ ଚଳିପାରିବନି । ଦୁଃଖରାମ ତା’ ଭାଇ ପାଖରୁ ବଳଦ ଓ ଶଗଡ ରଖିନେଲା କିଛି ଟଙ୍କା କରଜ କରି । ଚାକିରୀତ ଆଜିକାଲି ମିଳୁନାହିଁ । ମୂଳଧନ ଥିଲେ ସିନା ସେ ବ୍ୟବସାୟ କରନ୍ତା? ଏଣୁ ନିଜ କରମ ଆଦରି ସେ ଦୁଃଖରାମ ଗାଆଁରେ ରହିଲା । ବାପଭଳି ନିଜର ଚାଷ ଉଠାଇ ଅନ୍ୟର ଜମି ଭାଗ କଲା । ଗାଁର ଆଉ କେତେଜଣଙ୍କୁ ଜୁଟେଇ ନଦୀକୂଳିଆ ଅନାବାଦି ଜମିରେ ଏକ ଫଳବଗିଚା କଲା । କ୍ରମେ ତା’ର ଅବସ୍ଥା ସୁଧୁରି ଆସିଲା । ତେଣୁ ଦୁଃଖରାମ ତାର ସବୁ କରଜ ଶୁଝିଦେଲା । ଭଲ ଘର ଖଣ୍ଡିଏ କଲା, ଆହୁରି ଜମି କିଣିଲା । ସରଳା ମଧ୍ୟ ତା ସ୍ୱାମୀକୁ ପ୍ରତିକଥାରେ ସହଯୋଗ କଲା । ଏହିପରି ଭାବେ ସେ ଦୁହେଁ ମିଶି ଖୁବ୍ ସୁଖରେ କାଳ କାଟିବାକୁ ଲାଗିଲେ । ତା’ପରେ ସେମାନଙ୍କର ପୁଅଝିଅ ବି ଦୁଇଟି ହେଲେ । ଦୁଃଖରାମ ତା ପୁଅକୁ କେବଳ ପାଠ ନପଢାଇ ତା ସହିତ ଚାଷକାମ ମଧ୍ୟ ଶିଖାଇଲା । କାରଣ ସେ ନିଜେ ଜାଣିଛି ଯେ, କାମ ନଶିଖିଲେ ପାଠର କିଛି ମୂଲ୍ୟ ରହେ ନାହିଁ । ଚାକିରୀ ନମିଳିଲେବି ତାରି ଭଳିଆ ତା’ ପୁଅ ବି ଅତ୍ୟନ୍ତ ସୁଖରେ ଚଳିପାରିବ । ସେଇଥିପାଇଁ କଥାରେ ଅଛି “ଚାଷନାହିଁ ଯାହାର, ବାସ ନାହିଁ ତାହାର ଚାଷୀଭାଇ ଯୋଗାଉଛି ଦୁନିଆକୁ ଆହାର”


ଗପ ସାରଣୀ

ତାଲିକାଭୁକ୍ତ ଗପ