ସୁଖୀ ପରିବାର

ସୋମନାଥ ଶାନ୍ତିପୁରର ଜଣେ ଧନୀ ଚାଷୀ ଥିଲେ । କାହିଁ କେଉଁ ବାପା ଜେଜେବାପାଙ୍କ ଅମଳରୁ ତାଙ୍କର ବହୁତ ଜମିବାଡି ଥିଲା । ପୁଅ ଭୂଷଣ ମଧ୍ୟ ବାପାଙ୍କୁ ଚାଷବାସ କାମରେ ବହୁତ ସାହାଯ୍ୟ କରେ । ସେ ଗ୍ରାମରେ ଅନେକ ଧନୀ ଲୋକ ଥା’ନ୍ତି । ସେମାନେ ସୋମନାଥଙ୍କ ତୁଳନାରେ ଅଧିକ ଧନୀ । କିନ୍ତୁ ସୋମନାଥ ମଣିଷ ହିସାବରେ ଅତି ଉତ୍ତମ ଥିଲେ । ସେ ଏକାଧାରରେ ଦୟାଳୁ, ଭଦ୍ର, ପରୋପକାରୀ ଓ ନିସ୍ୱାର୍ଥପର ଥିଲେ । ଅନ୍ୟ ଧନୀ ଲୋକମାନେ ଇର୍ଷ୍ୟାପରବଶ ହୋଇ ସୋମନାଥଙ୍କର ନାନା ପ୍ରକାରର ନିନ୍ଦା କରନ୍ତି; କିନ୍ତୁ ସୋମନାଥ ଚୁପ୍ ରହନ୍ତି ।

                ଥରେ ସୋମନାଥ ତାଙ୍କର କୌଣସି ଏକ କାମ ପାଇଁ ସହରକୁ ଯାଇଥିଲେ । ସହରକୁ ସିଧା ବାଟରେ ଗଲେ ନଦୀ ପାର ହେବାକୁ ହୁଏ । ବୁଲାଣି ବାଟରେ ବଳଦ ଗାଡିରେ ଯାଇ ହୁଏ । ସେ ସହରକୁ ଯାଇଛନ୍ତି; ନଦୀରେ ବନ୍ୟା ଆସିବାରୁ ସେ ବାଧ୍ୟ ହୋଇ ବଳଦଗାଡିରେ ଫେରିବାକୁ ସ୍ଥିର କଲେ । ଏଣୁ ସେ ଗାଡିବାଲା ଗିରିନାଥଙ୍କ ପାଖକୁ ଗଲେ । ଗିରିନାଥ ଗାଡିରେ ବଳଦ ଯୋଚୁଛି, ଏହି ସମୟରେ ଜଣେ ଧନୀ ବ୍ୟକ୍ତି ସେଠାରେ ଆସି ପହଁଚି କହିଲେ, “ଗିରିନାଥ, ତୁମ ଗାଡି ଭଡାକୁ ନେବାକୁ ତ ମୁଁ ମୋ ଚାକରକୁ ପଠାଇଥିଲି । ସେ କ’ଣ ତୁମକୁ କିଛି କହିନାହିଁ କି? ମୋ ଝିଅର ବିବାହ ବିଷୟରେ ମୋତେ ଶାନ୍ତିପୁର ଯିବା ଆଜି ଅତି ଜରୁରୀ । ଜ୍ୟୋତିଷ ମଧ୍ୟ କହିଛନ୍ତି ଯେ ଆଜି ଶୁଭ ସମୟ ଅଛି । ଚାଲ ଯିବା ।”

                ଆଜିକାଲି ତ ବଳଦଗାଡିର ପ୍ରଚଳନ ଆଉ ଏତେ ନାହିଁ । ଏବେ ଦୁଇଜଣ ଯାତ୍ରୀ ମିଳିବାରୁ ଗିରିନାଥ ଖୁସିରେ କହିଲା, “ଚାଲନ୍ତୁ ରମାକାନ୍ତବାବୁ, ଏହି ଭଦ୍ରଲୋକଙ୍କ ଘର ଶାନ୍ତିପୁର । ସେ ମଧ୍ୟ ଏଥିରେ ଯାଉଛନ୍ତି । ତେଣୁ ଆପଣ ତାଙ୍କଠାରୁ ସବୁ ଖବର ପାଇ ପାରିବେ ।”

                ଏଥର ସେ ଗାଡି ଚାଲିଲା । ରମାକାନ୍ତବାବୁ ଓ ସୋମନାଥ ଦୁହେଁ ଅନେକ ବିଷୟରେ କଥାବାର୍ତ୍ତା ହେଲେ । ସୋମନାଥ କଥା କହୁ କହୁ ଜାଣି ନେଲେ ଯେ ରମାକାନ୍ତ ସେ ସହରର ଜଣେ ବହୁତ ବଡ ବ୍ୟବସାୟୀ । ତାଙ୍କର ଗୋଟିଏ ମାତ୍ର ଝିଅର ବିବାହ ପ୍ରସ୍ତାବ ନେଇ ଶାନ୍ତିପୁରର ବଡ ଧନୀଲୋକ ରାଜଶେଖରଙ୍କ ପୁତ୍ର ସହିତ ପ୍ରସ୍ତାବ ପକାଇବାକୁ ସେ ଶାନ୍ତିପୁର ଯାଉଛନ୍ତି ।

                ରାଜଶେଖରଙ୍କ ବିଷୟରେ ରମାକାନ୍ତ କିଛି ପଚାରିବାରୁ ସୋମନାଥ କହିଲେ, “ଏବେ ତ ଆପଣ ନିଜେ ସେଠାକୁ ଯାଉଛନ୍ତି; ତେଣୁ ସେହିଠାରେ ସବୁ ଖବର ନିଜେ ବୁଝିପାରିବେ । ମୁଁ ବିବାହ ପ୍ରସ୍ତାବ ପାଇଁ କ’ଣ ବା କହିବି? ବରଂ ମୁଁ ନୀରବ ରହେ କାରଣ ମୋର ମଧ୍ୟ ପୁଅଟିଏ ବିବାହ ପାଇଁ ଅଛି । ଯଦି ଆପଣଙ୍କ ବିବାହ କୌଣସି କାରଣରୁ ଭାଙ୍ଗିଯାଏ ତେବେ ସେମାନେ କହିବେ ଯେ ମୁଁ ଏହା ଭାଙ୍ଗିଲି ।” ସୋମନାଥଙ୍କ ଏଭଳି କଥାବାର୍ତ୍ତାରେ ରମାକାନ୍ତ ବହୁତ ଖୁସି ହେଲେ । ଇତି ମଧ୍ୟରେ ଗ୍ରାମର ସୀମା ପର୍ଯ୍ୟନ୍ତ ସେ ଗାଡି ପହଁଚି ଯାଇଥାଏ । ସେମାନେ ଦୂରରୁ ଦେଖିଲେ ଯେ, ଜଣେ ଲୋକ ଗୋଟିଏ ବୁଢା ବଳଦକୁ ଟାଣି ଟାଣି ତାକୁ ପାହାଡ ଆଡକୁ ନେଉଛି । ସୋମନାଥ ଗାଡି ବନ୍ଦ କରି ଓହ୍ଲାଇ ଦେଖିଲେ ସେ ଲୋକଟି ରାଜଶେଖରଙ୍କ ଚାକର । ସେ ପଚାରିଲେ, “ଇଏ ତ ରାଜଶେଖରଙ୍କ ବଳଦ । ତାକୁ କାହିଁକି ପାହାଡ ଆଡକୁ ଟାଣି ନେଉଛ?”

                ତହୁଁ ସେ ଚାକର କହିଲା, “ବାବୁ, ଏ ବଳଦ ତ ବୁଢା ହୋଇ ଗଲାଣି । ସେ ଆଉ କିଛି ବି କାମ କରିପାରୁ ନାହିଁ । ଜଙ୍ଗଲ ଅଂଚଳରେ ତାକୁ ଛାଡି ଦେଲେ ସେ ଘାସ ଖାଇ ଯେତେଦିନ ଜିଇଁବାର ଥିବ ସେ ଜିଇଁବ । ଏହିକଥା ମୋତେ ମୋର ମାଲିକ କହିବାରୁ ମୁଁ ଏହାକୁ ଏଠାରେ ଛାଡିବାକୁ ଆସିଛି ।”

                ଏକଥା ଶୁଣି ସୋମନାଥ ଅତ୍ୟନ୍ତ ଦୁଃଖିତ ହୋଇ କହିଲେ, “ବଳବୟସ ଥିବାବେଳେ ସେ ତା’ ସାରା ଜୀବନ ଆମର ସେବା କଲା, ଏବେ ବୁଢା ହୋଇଯିବାରୁ ତୁମେ କ’ଣ ତାକୁ ଅସହାୟ କରି ଏଇଠି ଛାଡି ଦେବ? ଏପରି କଲେ ତ ରାତିରେ କୌଣସି ବାଘ ବା ହେଟା ଆସି ତାକୁ ଖାଇଯିବ । ଶୁଣ, ତାକୁ ଗ୍ରାମକୁ ଫେରାଇ ନିଅ; ଆମ ଘରେ ଛାଡିଦେବ । ଆମର ଅନେକ ଗାଈ ବଳଦ ଅଛନ୍ତି । ସେମାନଙ୍କ ସହିତ ଖାଇପିଇ ତା’ ମୃତ୍ୟୁ ପର୍ଯ୍ୟନ୍ତ ସେ ଶାନ୍ତିରେ ରହିବ । ତୁମେ ତୁମ ମାଲିକଙ୍କୁ ଡରୁଛ ତ ମୁଁ ତାଙ୍କ ସହିତ ଏ ବିଷୟରେ କଥାବାର୍ତ୍ତା କରିବି ।” ଏହାପରେ ସେ ଚାକରଟି ବଳଦଟିକୁ ଧରି ଗ୍ରାମକୁ ଫେରିଆସି ସୋମନାଥଙ୍କ ଗୁହାଳରେ ତାକୁ ଛାଡିଦେଇ ଚାଲିଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ