ସୁଖୀ ପରିବାର

                ଗାଡି ଯାଇ ସୋମନାଥଙ୍କ ଘର ସାମନାରେ ଅଟକିଗଲା । ସେ ଗାଡିରୁ ଓହ୍ଲାଇବା ମାତ୍ରେ ଜଣେ ବୁଢାଲୋକ ତାଙ୍କ ପାଖକୁ ଆସି କହିଲେ, “ସୋମନାଥ, ତୁମେ ତ ମୋ ପୁଅମାନଙ୍କ କଥା ଠିକ୍ ଜାଣିଛ । ସେମାନେ ଦୁହେଁ ଏକ ହୋଇଯାଇ ମୋତେ ଘରୁ ବାହାର କରିଦେଲେ । ଏଣୁ ମୁଁ ତୁମ ଘରକୁ ଆସିଛି; ମୁଁ ଜାଣେ ତୁମେ କେବେବି ମୋତେ ଏଠାରୁ ଫେରାଇ ଦେବ ନାହିଁ ।”

                ଏକଥା ଶୁଣି ସୋମନାଥ ସେ ବୁଢାଙ୍କ ହାତ ଧରି କହିଲେ, “ଏପରି କଥା କାହିଁକି କହୁଛନ୍ତି? ଆପଣ ତ ମୋର ପିତା ସମାନ । ଆପଣଙ୍କୁ ଏଠାରେ ଦେଖି ମୁଁ ତ ଭାବିଚି ଯେ ମୋର ପିତା ପୁଣି ବଂଚିକରି ମୋ ପାଖକୁ ଫେରି ଆସିଛନ୍ତି । ଖୁସିରେ ଆପଣ ମୋ ଘରେ ରହିବେ । ଏବେ ଆପଣଙ୍କର ଆଉ କିଛି ବି ଚିନ୍ତା କରିବାର ନାହିଁ ।”

                ବଳଦ ଗାଡିରେ ବସିଥିବା ରମାକାନ୍ତଙ୍କୁ ସେ କହିଲେ, “ମହାଶୟ, ଆମ ଘରେ ଟିକିଏ ବିଶ୍ରାମ କରି ଥଣ୍ଡା ପାଣି ପିଇ ପରେ ରାଜଶେଖରଙ୍କ ଘରକୁ ଯିବେ ।”

                ରମାକାନ୍ତ ଗାଡିରୁ ଓହ୍ଲାଇଲେ । ଠିକ୍ ସେତିକିବେଳେ କ୍ଷେତରୁ ଫେରି ପୁଅ ଭୂଷଣ ବାପାଙ୍କୁ ଦେଖି ଖୁବ୍ ଖୁସି ହୋଇ କହିଲା, “ବନ୍ୟା ହେବାରୁ ମୁଁ ତ ବଡ ଚିନ୍ତିତ ଥିଲି । ଯାହାହେଉ ଆପଣ ଚାଲି ଆସିଲେ ବହୁତ ଭଲ ହେଲା । ଏହି ଅଜା ତ କହିଲେ ଆପଣ ନ ଆସିଲେ ସେ ଘରେ କଦାପି ମଧ୍ୟ ପଶିବେ ନାହିଁ । ତାଙ୍କ ପୁଅମାନଙ୍କ କଥା ଶୁଣି ଏମିତି ଲାଗିଲା ସତେ ଯେମିତି ସେମାନେ ମାନବ ନୁହଁନ୍ତି ବରଂ ଗୋଟାଏ ଗୋଟାଏ ଦାନବ ।”

                ରମାକାନ୍ତ ସବୁ କଥା ମନ ଦେଇ ଶୁଣୁଥା’ନ୍ତି ଓ ଦେଖୁଥା’ନ୍ତି । ଥଣ୍ଡା ସର୍ବତ ପିଇ ବିଶ୍ରାମ ନେବା ପରେ ସେ ଗାଡିବାଲାକୁ କହିଲେ, “ଗିରିନାଥ, ମୁଁ ଏଠାକୁ ରାଜଶେଖରଙ୍କର କୋଠା ଦେଖିବାକୁ ଆସି ନଥିଲି । ମୋତେ ଏଥର ଶୀଘ୍ର ସହରକୁ ନେଇ ଚାଲ ।”

                ଗାଡିବାଲା କହିଲା, “କ’ଣ ହେଲା? ଆପଣ ଏତେ ଶୀଘ୍ର କାହିଁକି ଫେରିଯିବେ? ବର ଦେଖିବାକୁ ଆଉ ଯିବେ ନାହିଁକି?”

                “ମୁଁ ଜୁଆଇଁଙ୍କୁ ଦେଖି ସାରିଲାଣି ।” ଏହା କହି ସେ ଗାଡିରେ ତୁରନ୍ତ ଯାଇ ବସି ପଡିଲେ । ଏହାପରେ ସେ ଗାଡି ଚାଲିଲା । ରାସ୍ତାରେ ସେ କହିଲେ, “ବାବାରେ ରାଜଶେଖର ଘରେ ମୋର ଆଦରର ଝିଅ ବଂଚିବ ବା କିପରି? ବାର୍ଦ୍ଧକ୍ୟ ଆସିଗଲା ବୋଲି ମଣିଷ ହେଉ ବା ବଳଦ ହେଉ ତାକୁ ଅସହାୟ କରି ମରିବାକୁ ଛାଡି ଦେବେ? ଧନ ସମ୍ପତ୍ତିରେ ସେ ସୋମନାଥ ମୋର ସମାସ୍କନ୍ଧ ହୋଇ ନ ପାରନ୍ତି, କିନ୍ତୁ ତାଙ୍କ ଘରର ସମସ୍ତେ ଦୟାଳୁ, ସ୍ନେହାଳୁ; ସେମାନଙ୍କ ହୃଦୟ ମମତା ଓ କୃତଜ୍ଞତାରେ ପରିପୂର୍ଣ୍ଣ । ମୁଁ ମନେ ମନେ ସ୍ଥିର କରି ସାରିଛି ଯେ ମୋର ଝିଅର ବିବାହ ସୋମନାଥଙ୍କ ସୁଯୋଗ୍ୟ ପୁତ୍ର ସହିତ ହିଁ ମୁଁ କରାଇବି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ