ସୁଦକ୍ଷ ବ୍ୟବସାୟୀ

                ପୁତ୍ରମାନଙ୍କ କଥା ଶୁଣି ଧନଗୁପ୍ତ ବହୁତ ଖୁସି ହୋଇ କହିଲେ, “କେହି କେହି କହୁଛନ୍ତି ଯେ ମୋ ବ୍ୟବସାୟ ଭଲ ଚଳୁନାହିଁ ଏବଂ ତାହା କେବଳ ମୋର ଘର ଯୋଗୁଁ । ମୁଁ ମୋର ଝାଳ ବୁହା ଧନରେ ଏ ଘର କରିଛି । ତେଣୁ ମୋର ଏ ଘର ପ୍ରତି ଯଥେଷ୍ଟ ସ୍ନେହ ଅଛି । ମୁଁ ଚାହେଁ ଯେ ଏହି ଘର ଭିତରେହିଁ ମୋର ପ୍ରାଣ ଯେପରି ଯାଏ । ଲୋକେ କହୁଛନ୍ତି ଏ ଘରେ କୌଣସି ଦୋଷ ଅଛି ତେଣୁ ଏହାକୁ ତୁମେ ଶସ୍ତାରେ ବିକ୍ରି କରିଦିଅ । ଏହି ଘରେ ରହି ତୁମେମାନେ କୋଟିକୋଟି ଟଙ୍କା ରୋଜଗାର କରି ଦେଖାଇ ଦିଅ ଯେ ଏ ଘରେ କୌଣସି ବି ଦୋଷ ନାହିଁ; ପୁଣି ତଦ୍ୱାରା ଲୋକେ ଆମକୁ କହିବେ କୋଟିପତି । ମୋର ଇଚ୍ଛା କେବଳ ସେତିକି ।”

                ଆନନ୍ଦ ଓ ବିନୋଦ କଥାଟିକୁ ସ୍ୱୀକାର କଲେ । କିନ୍ତୁ ବିବେକ କହିଲା, “ବାବା, ଆପଣ ନିଜର ଭୁଲ୍ ବୁଝିପାରିଲେ; ମନେହୁଏ ଆପଣଙ୍କର ଆଉ ଏଜନ୍ମରେ କୌଣସି ପରିବର୍ତ୍ତନ ହେବ ନାହିଁ । କାରଣ ଆପଣ ବନ୍ଧୁବାନ୍ଧବଙ୍କ ପ୍ରତି କଠୋର ହୋଇ ପାରିବେ ନାହିଁ । ତେଣୁ ପ୍ରଥମ କର୍ତ୍ତବ୍ୟ ହେଉଛି ଆପଣ ବ୍ୟବସାୟ ଠାରୁ ସମ୍ପୂର୍ଣ୍ଣ ଦୂରରେ ରହନ୍ତୁ ।”

                ଏ ପ୍ରସ୍ତାବକୁ ଧନଗୁପ୍ତ ମାନିନେଲେ । ବିବେକ ପୁଣି କହିଲା, “ବ୍ୟବସାୟ ଜଣକ ହାତରେ ରହିଲେ ତ ବେଶୀ ଲାଭ ହେବ । ତେଣୁ ଆପଣ ଆମ ଭିତରୁ ଯାହାକୁ ଯୋଗ୍ୟତମ ବୋଲି ଭାବୁଛନ୍ତି; ତାକୁହିଁ ସେ ଦାୟିତ୍ୱ ଦିଅନ୍ତୁ ।”

                ଧନଗୁପ୍ତ ଏହି ପ୍ରସ୍ତାବକୁ ମଧ୍ୟ ସ୍ୱୀକାର କରି ନେଇ କହିଲେ, “ତୁମେ ତିନିଜଣ ସମର୍ଥ ଓ ବିବେକବାନ୍ ମଧ୍ୟ । ଯିଏ ମୋର ଇଚ୍ଛା ପୂରଣ କରିବାକୁ ଚାହେଁ ସେ ଆଗକୁ ଆସୁ, ବାକି ଦୁଇଜଣଙ୍କର ଅନ୍ୟ ବ୍ୟବସାୟ ପାଇଁ ମୁଁ ଅଧିକା ପଇସା ଦେବି ଯାହାଦ୍ୱାରାକି ସେମାନେ ନିଜନିଜର ବ୍ୟବସାୟ ନୂଆ କରି ଆରମ୍ଭ କରିପାରିବେ ।”

                ତିନିପୁଅ ନିଜନିଜ ମଧ୍ୟରେ ବିଚାର କରିବା ପରେ ମଧ୍ୟ କେହି ବାବାଙ୍କ ପାଖକୁ ଯାଉ ନାହାଁନ୍ତି । ପୁଣି ନୂଆ ବ୍ୟବସାୟର ଭବିଷ୍ୟତ ବିଷୟରେ ତିନିଜଣ ଭାବି ଚାଲିଛନ୍ତି । ବେଶି ଡେରୀ ହେବାରୁ ଧନଗୁପ୍ତ କହିଲେ, “ଆଚ୍ଛା ଏ ସମସ୍ୟାର ସମାଧାନ ମୁଁ ନିଜେ କରିବି । ମୁଁ ତୁମ ତିନିଜଣକୁ ଏକ ପ୍ରଶ୍ନ ପଚାରିବି ଯିଏ ମୋ ପ୍ରଶ୍ନଟିର ଭଲ ଉତ୍ତର ଦେବ ତାକୁହିଁ ସବୁ ମିଳିବ ।

ତିନିପୁଅଙ୍କର ସମସ୍ୟା ସମାଧାନ ବହୁତ କଷ୍ଟ । ତେବେ ସେମାନଙ୍କୁ ଧନଗୁପ୍ତ ପଚାରିଲେ, “ଯଦି ଏହି ମୁହୂର୍ତ୍ତରେ ତୁମ ତିନିଜଣଙ୍କ ସମ୍ମୁଖରେ ଭଗବାନ ପ୍ରକଟ ହୁଅନ୍ତି ଓ ବରଦାନ ଦିଅନ୍ତି, ତୁମେମାନେ କ’ଣ ମାଗିବ?”

ଆନନ୍ଦ କହିଲା, “ମୁଁ ଭଗବାନ୍ଙ୍କୁ ଏ ସାରା ପୃଥିବୀର ସମସ୍ତ ଧନସମ୍ପତ୍ତି ମୋତେ ଦେଇଦେବା ପାଇଁ କୁହନ୍ତି ।” ବିନୋଦ ମଧ୍ୟ ପ୍ରାୟ ସେହିପ୍ରକାରର କିଛି କହିଲା । କିନ୍ତୁ ବିବେକ ଅଳ୍ପ ହସି କହିଲା, “ଏଥିରେ ଭାବିବାର କ’ଣ ଅଛି । ଭଗବାନ୍ ମୋ ସମ୍ମୁଖରେ ପ୍ରକଟ ହୋଇ ମୋତେ ବର ଯାଚିଲେ ଜଣେ ସହୃଦୟ ବ୍ୟକ୍ତି ଯାହା ମାଗିବ ମୁଁ ତାହାହିଁ କରିବି ।”

ଏଭଳି କଥାଶୁଣି ଧନଗୁପ୍ତ ପଚାରିଲେ, “ଆଚ୍ଛା କ’ଣ କହିବୁ ତୁ ଏବେ କହ ।” ତହୁଁ ସେ ବିବେକ ଉତ୍ତର ଦେଲା “ଏତିକି କହିବି କି ସଂସାରର ସମସ୍ତ ମନୁଷ୍ୟ ସୁଖଶାନ୍ତିରେ ରହନ୍ତୁ, ସଭିଙ୍କ ସମୃଦ୍ଧି ହେଉ, ଭଲ ସ୍ୱାସ୍ଥ୍ୟ ହେଉ ଏବଂ ତଦ୍ୱାରା ସେମାନେ ମଧ୍ୟ ଭାଗ୍ୟବାନ୍ ହେବେ ।”

ବିବେକର ଏହି ଉତ୍ତର ଶୁଣି ଦୁଇଭାଇ ହସି ଉଠିଲେ । କିନ୍ତୁ ଧନଗୁପ୍ତ ଗମ୍ଭୀର ଥିଲେ । ସେ କିଛି ସମୟ ଚିନ୍ତା କରିବା ପରେ ବ୍ୟବସାୟକୁ ତା’ରି ହାତରେ ସମର୍ପି ଦେଲେ । ଏକଥା ଦେଖି ଆନନ୍ଦ ଓ ବିନୋଦ ଚମକି ଉଠିଲେ । ତା’ପରେ ଧନଗୁପ୍ତହିଁ କହିଲେ, “ତୁମେ ତିନିଜଣ ବ୍ୟବସାୟରେ ସାଫଲ୍ୟ ଆଣିବା ପାଇଁ ସମର୍ଥ । ସେଥିପାଇଁ କୌଣସି ପ୍ରଶ୍ନ କରିବାର ଆବଶ୍ୟକତା ନାହିଁ; ମୁଁ ତ ଆରମ୍ଭରୁ କହିଥିଲି କି ବ୍ୟବସାୟରେ ସାମର୍ଥ୍ୟ ସହିତ ସ୍ୱାର୍ଥର ମଧ୍ୟ ଆବଶ୍ୟକତା ରହିଛି । କିନ୍ତୁ କାହାର ସ୍ୱାର୍ଥକୁ ଚିହ୍ନିବା ମଧ୍ୟ ଏତେ ସହଜ ନୁହେଁ । ବିବେକ ହେଉଛି ତୁମ ଦୁହିଁଙ୍କ ଠାରୁ ବୁଦ୍ଧିମାନ ଓ ଅଧିକ ସଚେତନ ଯିଏ କି ସମସ୍ତଙ୍କ ପାଇଁ ଚିନ୍ତା କରିବ ଓ ଯାହା ହୃଦୟରେ ଦୟା ମଧ୍ୟ ରହିଛି । ତେଣୁ ମୁଁ ତାକୁହିଁ ମୋ ବ୍ୟବସାୟର ସମସ୍ତ ଦାୟିତ୍ୱ ଦେଉଛି ।”

ବେତାଳ କାହାଣୀ ଶୁଣାଇବା ପରେ କହିଲା, “ରାଜନ୍ ସ୍ୱାର୍ଥ ବିଷୟରେ ଧନଗୁପ୍ତଙ୍କର ଯଥେଷ୍ଟ ଜ୍ଞାନ ଅଛି । କିନ୍ତୁ ବନ୍ଧୁବାନ୍ଧବଙ୍କର ମୁହଁ ଉପରେ କିଛି କହି ନପାରିବାରୁ ସେମାନେ ତାଙ୍କର ଦୟାପୂର୍ଣ୍ଣ ସ୍ୱଭାବ ଉପରେ ଲାଭ ଉଠାଉଥିଲେ ଓ କେବଳ ସେଇଥିପାଇଁ ସେ କୋଟିପତି ହୋଇ ପାରିଲେ ନାହିଁ । ସେଥିପାଇଁ ନିଜର ବ୍ୟବସାୟ ସେ ଏକ ସମର୍ଥ ଓ ବିବେକବାନ୍ ଲୋକ ହାତରେ ସମର୍ପଣ କରିବାକୁ ଚାହୁଁଥିଲେ । ତଦ୍ୱାରା ସବୁକିଛି ଠିକ୍ ପୁଣି ପୂର୍ବପରି ରହିଥିବ ଅଥଚ ସେ କୋଟିପତି ହୋଇପାରିବେ । କିନ୍ତୁ ଏପରି ଇଚ୍ଛା ପୂର୍ଣ୍ଣ ହେବାକୁ ହେଲେ ସେ ନିଃସ୍ୱାର୍ଥପର ବିବେକକୁ କାହିଁକି ବାଛିଲେ? ନିଶ୍ଚିତ ଭାବରେ ଧନଗୁପ୍ତ ଭୁଲ୍ ଲୋକକୁ ପସନ୍ଦ କରିଛନ୍ତି । ମୋର ଏହି ସନ୍ଦେହକୁ ଦୂର କରିବାକୁ ଆପଣ ଚେଷ୍ଟା କରନ୍ତୁ । ଆଉ ଯଦି ଏହାର ଉତ୍ତର ଜାଣି ସୁଦ୍ଧା ନଦେବ ତେବେ ତୁମ ଶୀର ସ୍କନ୍ଧଚ୍ୟୁତ ହେବ ।”

ବାଧ୍ୟହୋଇ ରାଜା ବିକ୍ରମ ଉତ୍ତର ଦେବାକୁ ଯାଇ କହିଲେ, “ନିଜର ଜୀବିକାର୍ଜନ ପାଇଁ ମଣିଷ ଏହି ସଂସାରରେ ଯେଉଁ ବୃତ୍ତି ନେଇଥାଏ ତାହା ତା’ର ମନୋଭାବ, ସାମାଜିକ ସ୍ଥିତି, ସାମର୍ଥ୍ୟ ସହିତ ସ୍ୱାର୍ଥ ଉପରେ ମଧ୍ୟ ନିର୍ଭର କରେ । ପୁତ୍ରମାନଙ୍କ ଉତ୍ତରରୁ ସେ ଜାଣିଲେ ଯେ ତିନିଜଣଯାକ ପୁଅଙ୍କ ମଧ୍ୟରେ ଜଣେ ଅଧିକ ସ୍ୱାର୍ଥୀ । ଯିଏ ମୂର୍ଖ ସିଏ ବି ସାଧାରଣ ସ୍ୱାର୍ଥ ଜଗିଥାଏ । ଯିଏ ବୁଦ୍ଧିମାନ ତା’ର ସ୍ୱାର୍ଥ କେହି ବି ଜାଣିବେ ନାହିଁ । ପୁଣି ତା’ର ସ୍ୱାର୍ଥ ଦ୍ୱାରା ସମସ୍ତେ ଲାଭବାନ୍ ହେବେ । ସ୍ୱାର୍ଥ ବହୁତ ଥିବ, ଅଥଚ ନିଃସ୍ୱାର୍ଥ ହୋଇଥିବ, ତାହା ଧନଗୁପ୍ତଙ୍କର ଇଚ୍ଛା ଥିଲା । ତାହା ସେ କେବଳ ବିବେକ ପାଖରେ ହିଁ ଦେଖିଲେ । ଅର୍ଥାତ୍ ବାପାଙ୍କ ପରି ବ୍ୟବସାୟରେ ଦକ୍ଷତା ଓ ଅଭିଜ୍ଞତା ରହିଛି, ଦୟାଧର୍ମ ମଧ୍ୟ ରହିଛି ଅଥଚ ଅନ୍ୟମାନେ ଲାଭ ଉଠାଇ ପାରିବେ ନାହିଁ । ତେଣୁ ଧନଗୁପ୍ତ ବିବେକକୁ ତାଙ୍କ ବ୍ୟବସାୟର ସମଗ୍ର ଭାର ଦେଇ ଦେଲେ ।”

ରାଜା ବିକ୍ରମ ଉତ୍ତର ଦେବା ଦ୍ୱାରା ତାଙ୍କର ମୌନ ଭଙ୍ଗ ହୁଅନ୍ତେ ବେତାଳ ଶବ ସହିତ ରାଜାଙ୍କ କାନ୍ଧରୁ ଖସି ଯାଇ ପୂର୍ବୋକ୍ତ ଗଛର ଡାଳରେ ଝୁଲି ପଡିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ