ସୁନାପାଇଁ ବନ୍ଦିଶାଳା

                ସୁନା ରହିଥିବା ସେହି ଅଟ୍ଟାଳିକାଟି ଏକ ଦୁର୍ଗ ଭଳି ବିରାଟ । ସେହି ଦୁର୍ଗର ଭୂଇଁତଳେ ରହିଛି ସୁନା ସାଇତା ହୋଇଥିବା ବିରାଟ କୋଠରି । କୋଠରିର କାନ୍ଥ ତିଆରି ହୋଇଛି ଖୁବ୍ କଠିନ ଗ୍ରାନାଇଟ୍ ପଥରରେ । କୋଠରିରେ ଯେଉଁ କବାଟ ରହିଛି, ସେହି କବାଟର ଓଜନ ପାଖାପାଖି ୨୨,୦୦୦ କିଲୋଗ୍ରାମ । ପ୍ରକାଣ୍ଡ ବିସ୍ଫୋରଣ ମଧ୍ୟ ସେହି କବାଟଟିର ସାମାନ୍ୟତମ କ୍ଷତି କରିପାରିବନି । ତା’ର ତାଲା ମଧ୍ୟ ସ୍ୱତନ୍ତ୍ର ଭାବରେ ନିର୍ମିତ । ତାଲାର ଚାବି ଜଣକ ପାଖରେ ରହେନି । ଅଲଗା ଅଲଗା ନମ୍ବର ଥିବା ଚାବି ରହିଥାଏ ଅଲଗା ଅଲଗା କର୍ମଚାରୀଙ୍କ ପାଖରେ । କାହାରି ନମ୍ବର ସେହି ଲୋକ ଛଡା ଅନ୍ୟ କେହି ବି ଜାଣନ୍ତିନି । ପୁଣି ପ୍ରଧାନ କୋଠରିଟିକୁ ଘେରି ରହିଛି ଅନ୍ୟ କେତେକ ଗୁପ୍ତ କୋଠରି ।

                ଫୋର୍ଟ ନକ୍ସ ଦୁର୍ଗ ଚାରିପଟେ କେତେ ଘେରା ପାଚେରି । ପୁଣି ରହିଛି କେତେ ଘେରା ତାର ବାଡ । ତାର ବାଡ ଦେଇ ପ୍ରବାହିତ ହେଉଥାଏ ପାଂଚ ହଜାର ଭୋଲ୍ଟର ବିଦ୍ୟୁତ୍ । ଦୁର୍ଗ ଉପରେ ନିରନ୍ତର ଦୃଷ୍ଟି ରଖିବା ନିମନ୍ତେ ନିର୍ମିତ ହୋଇଛି ଅନେକ ରକ୍ଷୀ ସ୍ତମ୍ଭ । ରକ୍ଷୀ ସ୍ତମ୍ଭରେ ଖଞ୍ଜା ହୋଇଛି ଆଧୁନିକତମ ରେଡିଓ ଇଲେକ୍ଟ୍ରୋନିକ୍-ନିୟନ୍ତ୍ରିତ ଉପକରଣମାନ ଏବଂ ସବୁ ଦିଗକୁ ଗୁଳି ଚଳେଇ ପାରୁଥିବା ସ୍ୱୟଂଚାଳିତ ମେସିନ୍ଗନ୍ ଗୁଡିକ ।

                ଦୁର୍ଗ ପରିସର ଭିତରେ ରହିଥିବା ସେନା ଛାଉଣି ଅହରହ ନିଘା ରଖିଛି ସେହି ଦୁର୍ଗ ଉପରେ । ସତର୍କ ସୂଚନା ଦେବା ପାଇଁ ରହିଛି ସ୍ୱତନ୍ତ୍ର ଆଲାର୍ମ୍ ବ୍ୟବସ୍ଥା । ବିଭିନ୍ନ ଦିଗରେ ରଖାଯାଇଥିବା ଭିଡିଓ କ୍ୟାମେରା ଦିନରାତି ସବୁ ମୁହୂର୍ତ୍ତରେ ଉଠେଇ ଚାଲିଛି ଫଟୋ । ମହଜୁଦ୍ ରହିଛି ହେଲିକପ୍ଟର୍ ଗନ୍ସିପ୍ । ବୈମାନିକ ଓ ଅଶ୍ୱାରୋହୀ ସୈନ୍ୟମାନେ ମଧ୍ୟ ଖୁବ୍ ସତର୍କତାର ସହ ଜଗି ରହିଛନ୍ତି ସେହି ଦୁର୍ଗକୁ । ତେଣେ ସଜାଗ ମଧ୍ୟ ରହିଛି ଟ୍ୟାଙ୍କ୍ ବାହିନୀ ।

ଦୁର୍ଗଟିକୁ ନିର୍ମାଣ କରାଯାଇଛି ବିଭିନ୍ନ ଭାଗରେ । ଦରକାର ପଡିଲେ ଦୁର୍ଗର କେତେକ ଅଂଶକୁ ଜଳରେ ବୁଡେଇ ଦେବାର ଓ ଦୁର୍ଗ ଭିତରକୁ ବିଷାକ୍ତ ବାଷ୍ପ ଭର୍ତ୍ତି କରିଦେବାର ବ୍ୟବସ୍ଥା ମଧ୍ୟ ଅଛି ।

କୁହାଯାଏ ଯେ ଆମେରିକାର ସୁନାକୁ ଛାଡିଦେଲେ ପୃଥିବୀର ଅନ୍ୟ କୌଣସି ‘ବନ୍ଦୀ’ ପାଇଁ ଏଭଳି ସୁଦୃଢ ସୁରକ୍ଷା ବନ୍ଦୋବସ୍ତ ନାହିଁ ।

ଏକ ହାରାହାରି ଅଟକଳ ଅନୁଯାୟୀ ଆମେରିକାର ସେହି ସୁନାଭଣ୍ଡାରରେ ଯେତିକି ସୁନା ଅଛି ସବୁତକ ତରଳେଇ ପୁଣି କଠିନ କରିଦେଲେ ୬ ମିଟର ଲମ୍ବ, ୬ ମିଟର ଓସାର ଓ ୬ ମିଟର ଉଚ୍ଚତା ବିଶିଷ୍ଟ ଏକ ସୁନାଖଣ୍ଡ ହୋଇଯିବ । ପୃଥିବୀର ସୁନାଖଣିଗୁଡିକରେ ଗଚ୍ଛିତ ହୋଇ ରହିଥିବା ସୁନାକୁ ଛାଡି ଖଣିଗୁଡିକରୁ ଆହରଣ କରାଯାଇଥିବା ସବୁତକ ସୁନାକୁ ଏକାଠି କରିଦେଲେ ୧୯.୬ ମିଟର୍ ଲମ୍ବ, ୧୯.୬ ମିଟର୍ ଓସାର ଓ ୧୯.୬ ମିଟର୍ ଉଚ୍ଚତାର ସୁନାଖଣ୍ଡରେ ପରିଣତ ହୋଇଯିବ । ପୃଥିବୀରେ ସବୁଠାରୁ ବେଶୀ ସୁନାର ମାଲିକ ହେଉଛି ଆମେରିକା । ସୁନାର ପରିମାଣ ଦୃଷ୍ଟିରୁ ଜର୍ମାନୀର ସ୍ଥାନ ଦ୍ୱିତୀୟ ।


ଗପ ସାରଣୀ

ତାଲିକାଭୁକ୍ତ ଗପ