ସୁନ୍ଦରୀ ଗଣିକା

ଏଥୁ ଅନ୍ତେ ସାନ ଭାର୍ଯ୍ୟା ଅମତି ଓ ସୌଦାଗରର ଅନ୍ୟ ଭାର୍ଯ୍ୟା ସେହି ସୌଦାଗରର ଉଆସ ପରିତ୍ୟାଗ କରି ଚାଲି ଗଲେ । ସାଙ୍ଗରେ ସାତଟି ଯାକ ପିଲାଙ୍କୁ ମଧ୍ୟ ସେମାନେ  ନେଇ ଯାଇ ଥିଲେ । ସେମାନେ କିଛି ଦିନ ଏହି ପରି ବୁଲି ବୁଲି ଚଳିଲେ । ସାନ ଭାର୍ଯ୍ୟାଙ୍କ ପ୍ରତି ସନ୍ତୋଷୀ ମାଆଙ୍କର ଦୟା ହେବାରୁ ଜଣେ ବଙ୍ଗାଳୁଣୀ ସାଥିରେ ତାର ଦିନେ ସାକ୍ଷାତ ହେଲା । ସେ ବଙ୍ଗାଳୁଣୀ ପୁଣି ଅନ୍ନପୂର୍ଣ୍ଣାଙ୍କର ଉପାସନା କରି ଅନେକ ଧନ ସଂଚୟ କରିଥିଲା । କିନ୍ତୁ ଭାଗ୍ୟର ବିଡମ୍ବନା ବଙ୍ଗାଳୁଣୀର ଅମାପ ଧନ ଥିଲେ କ’ଣ ହେବ ଖାଇବା ଲାଗି ତା’ର ପୁଅ ଝିଅ କିମ୍ବା ସ୍ୱାମୀ ଏପରି କେହି ନଥିଲେ । ଏହି ପରି ଏକା ଏକା ଘରେ ବସି ବସି ସେ ବୁଢୀ ହୋଇ ଗଲା । ଏମିତି କିଛି ଦିନ ସେହି ବୁଢୀ ପାଖରେ ରହି ସାନ ଭାର୍ଯ୍ୟା ଅମତି ତା’ର ମନ ଲଗାଇ ଖୁବ୍ ସେବା କଲା । ବୁଢୀ ଅଳ୍ପ ଦିନ ରହି ମରି ଯିବା ଆଗରୁ ସାନ ଭାର୍ଯ୍ୟାକୁ କହିଲା – ଆଲୋ ଝିଅ ଅମତି, ମୋର ତ ପୁଅ ନାହିଁ କି ଝିଅ ମଧ୍ୟ ନାହିଁ । ମୋର ମରିବା ବେଳ ହେଲା, ତୁ ମୋତେ ନିଜର ଝିଅ ଠାରୁ ବଳି ଅଧିକ ସେବା କଲୁ । ଆଜି ଠାରୁ ଏ ସବୁ ଧନ ତୁ ଭୋଗ କରିବୁ ।

ଏହା ପରେ ବୁଢୀ ମରିଗଲା । ସାନ ଭାର୍ଯ୍ୟା ଅମତି ବୁଢୀର ଶୁଦ୍ଧି କ୍ରିୟା କଲା । ସେହି ଧନରେ ସେ ତା ଛୁଆ ମାନଙ୍କୁ ମଣିଷ ମଧ୍ୟ କଲା । ଆଉ ସେହି ଠାରେ ସନ୍ତୋଷୀ ମାଆଙ୍କର ପୂଜା ବ୍ରତ କଲା ।

ସାନ ଭାର୍ଯ୍ୟାର ଭାଗ୍ୟ ଦେଖ । ଯୋଗକୁ କାଶୀ ରାଜ୍ୟର ରାଜାଙ୍କର ଦେହାନ୍ତ ହୋଇ ଗଲା । ହାତୀ ସୁନା କଳସ ଢାଳିବା ପରି ଅମତିର ବଡ ପୁଅ ସେହି ରାଜ୍ୟର ରାଜା ହେଲା । ସେହି ରାଜ ଉଆସରେ ଯେତେ ଦାସ ଦାସୀ ଥିଲେ ସେମାନେ ସମସ୍ତେ ଆସି ରାଜାଙ୍କର ମାଆ ଅମତିର ସେବା ଯତ୍ନ କଲେ । ସେପଟେ ସନ୍ତୋଷୀ ମାଆଙ୍କର କ୍ରୋଧିତ ଦୃଷ୍ଟି ସୌଦାଗର ଉପରେ ପଡିଲା । ସୌଦାଗର ରୋଗ ଶଯ୍ୟାରେ ପଡି ଅସୁସ୍ଥ ହେଲେ । ଚୋର ମାନେ ସୌଦାଗରର ଉଆସରେ ପଶି ସବୁ ଧନ ବୋହି ନେଲେ । ଗଣିକା ଆଉ ଯାହା କିଛି ଧନ ଥିଲା ତାହା ଧରି ସେଠାରୁ ପଳାଇଲା । ଏହା ପରେ ଦରିଦ୍ର ସୌଦାଗରର ଗଛ ତଳ ହେଲା ଆଶ୍ରୟ ସ୍ଥଳ ।

ବିପରୀତ ବୁଦ୍ଧି ବିନାଶ କାଳ । ଧନ ଗର୍ବରେ ନିଜର ପିଲା ଛୁଆଙ୍କ ମୁଖକୁ ନଚାହିଁ ସୌଦାଗର ସେ ଗଣିକା ପଛରେ ଧାଇଁଲେ । ସେ ସୌଦାଗର ଜଣକ ମଧ୍ୟ ବିନା ଦୋଷରେ ତାଙ୍କ ସ୍ତ୍ରୀ ମାନଙ୍କୁ ଘରୁ ତଡିଦେଲେ । ଆଜି ସେ ସର୍ବସ୍ୱ ହରାଇ ଦାଣ୍ଡର ଭିକାରି ହେଲେ ।

ସାନ ରାଣୀର ପୁଅ ତ ରାଜା ହୋଇଥିଲା । ସେ ଏ ସମ୍ବାଦ ପାଇ ଆସି ତାଙ୍କ ପିତାଙ୍କୁ ପ୍ରଣାମ କଲା । ସୌଦାଗରର ଅନ୍ୟ ପୁଅ ଝିଅ ମାନେ ଆସି ତାଙ୍କ ପିତାଙ୍କୁ ରାଜ ଉଆସକୁ ନେଇ ଗଲେ ।

ଉପରୋକ୍ତ ସମସ୍ତ ବିଷୟ ଅବଗତ ହେବା ପରେ ରାଜାଙ୍କ ମୁଣ୍ଡରେ ଗୋଟିଏ କଥା ପଶିଲା । ବିପରୀତ ବୁଦ୍ଧି ବିନାଶର କାଳ ହେଲା ବୋଲି ଜାଣି ପାରି ରାଜା ତାଙ୍କର ନବ ନିର୍ମିତ ଧର୍ମଶାଳାଠାରେ ଏକ ସ୍ତମ୍ବ ନିର୍ମାଣ କରି ରାଜ୍ୟର ସମସ୍ତ ପ୍ରଜାଙ୍କର ଅବଗତ ନିମନ୍ତେ ସେହି ବାକ୍ୟଟିକୁ ଖୋଦିତ କରି ଦେଲେ । ଯେତେବେଳେ ଯେଉଁ ବାଟୋଇ ସେହି ପଥରେ ଯାଆନ୍ତି ସମସ୍ତେ ସେହି ବାକ୍ୟଟିକୁ ପାଠ କରି ନିଜର ଜମୁ ଥିବା ଅଧର୍ମ ପଥରୁ ଦୂରେଇ ରୁହନ୍ତି ।

କଥାଟି ଅବୋଲକରାର ମନକୁ ବେଶ୍ ପାଇ ଗଲା । ସେ ହସି ହସି କହିଲା ଆପଣେ ଗୋସାଇଁ ସିନା କଥାଟାର ଅସଲ ମର୍ମକୁ ବୁଝି ଥିଲେ ବୋଲି ମୋତେ ବୁଝାଇ ଦେଲେ, ହେଲେ ସେଠାରେ ତ ଏହାର ଉତ୍ତର ମୋତେ କେହି ଦେଇ ପାରିଲେ ନାହିଁ । ହେ ମହାନୁଭବ ଆପଣଙ୍କୁ ମୋର କୋଟିଏ ଜୁହାର । ଏଥର ମୁହଁ ହାତ ଧୁଅନ୍ତୁ । ଖାଇ ବସିବା ।


ଗପ ସାରଣୀ

ତାଲିକାଭୁକ୍ତ ଗପ