ସୁବର୍ଣ୍ଣ ହଂସ

ବୋକାରାମର ମଝିଆଁ ଭାଇ ବଣରୁ ଫେରି ଆସିବା ପରେ ବୋକାରାମ ଏଥର ନିଜେ ବଣକୁ କାଠ କାଟିବାକୁ ବାହାରିଲା । ଏହାଦେଖି ତା ବାପା କହିଲା ‘ତୁ କ’ଣ ଜାଣି ନାହୁଁ ଯେ, ତୋର ଦୁଇ ଭାଇ ବଣକୁ ଯାଇ ଆହତ ହୋଇ ଫେରିଛନ୍ତି । ତୋର ସେଠାକୁ ଯିବା ମୋଟେ ଉଚିତ୍ ହେବ ନାହିଁ । ମାତ୍ର ବୋକାରାମ ଅନୁନୟ ହୋଇ ବଣକୁ ଯିବାପାଇଁ ଅନୁମତି ମାଗିବାରୁ ତା ବାପା କହିଲା ‘ଆଚ୍ଛା ହଉ ତୁ ଯା, ବଳେ ଆଘାତ ପାଇ ଠିକ୍ ବୁଦ୍ଧି ଶିଖିଯିବୁ ଯେ ।’ ସେ ବଣକୁ ଗଲାବେଳେ ତା ମା’ ତାକୁ ଖଣ୍ଡେ ପୋଡପିଠା ଆଉ ବୋତଲେ ଖଟାମଦ ଦେଲା ।

ବୋକାରାମ ବଣରେ ପହଁଚିବାମାତ୍ରେ ସେଇ ଧୂସର ବର୍ଣ୍ଣର ବାଙ୍ଗରା ଲୋକଟି ତା ନିକଟରେ ପହଁଚି ତାକୁ ଖାଇବାକୁ ପିଠା ଓ ପିଇବାକୁ ମଦ ମାଗିଲା । ବୋକାରାମ କହିଲା ‘ମୋ ପାଖରେ ଖଣ୍ଡେ ପୋଡପିଠା ଆଉ ଖଟା ମଦ ବୋତଲ ଅଛି । ଯଦି ଆପଣ ଚାହାଁନ୍ତି ତେବେ ଆସନ୍ତୁ ଆମେ ସାଙ୍ଗହୋଇ ଏହାକୁ ଖାଇବା’ ଏହା କହି ବୋକାରାମ ପିଠା ପୁଡାକୁ ଖୋଲି ଦେଖିଲା ବେଳକୁ ପୋଡାପିଠାଟି ଅତି ସୁସ୍ୱାଦୁ ପିଠାରେ ଏବଂ ଖଟା ମଦ ବୋତଲଟି ଅତି ମଧୁର ମଦରେ ପରିଣତ ହୋଇଯାଇଛି । ତା’ପରେ ସେ ଦୁହେଁ ମିଶି ପିଠା ଖାଇଲେ ଓ ମଦତକ ପିଇଲେ ।

ସେମାନେ ଖାଇ ସାରିବା ପରେ ସେଇ ବୁଢାଲୋକଟି କହିଲା ‘ତୁମେ ଅତ୍ୟନ୍ତ ଦୟାଶୀଳ ଓ ପରୋପକାରୀ । ମୁଁ ତୁମ ଭାଗ୍ୟ ବଦଳେଇ ଦେବି । ତୁମେ ଏଇ ଟିକେ ଦୂରରେ ଥିବା ପୁରୁଣା ଗଛଟି କାଟ । ସେହି ଗଛ ମୂଳରୁ ତୁମେ ଯାହା ପାଇବ ତାହା ତୁମ ଭାଗ୍ୟ ନିଶ୍ଚୟ ବଦଳେଇଦେବ ।’ ଏହା କହି ସେ ବୁଢାଟି ବଣମଧ୍ୟକୁ ଚାଲିଗଲା ।

ବୁଢାଟିର କଥା ଶୁଣି ବୋକାରାମ ଗଛଟିକୁ କାଟିଲା ଏବଂ ଗଛଟି ପଡିଯିବା ପରେ ତା ମୂଳରୁ ଗୋଟିଏ ସୁବର୍ଣ୍ଣପର ଥିବା ହଂସଟିଏ ପାଇଲା । ସେ ସୁବର୍ଣ୍ଣ ହଂସକୁ ନେଇ ପାଖରେ ଥିବା ଏକ ଚଟିଘରେ ସେ ରାତିଟି କଟାଇବା ପାଇଁ ଗଲା । ସେ ଚଟିଘର ମାଲିକର ତିନୋଟି ଝିଅ ଥିଲେ । ସେ ଝିଅ ତିନୋଟି ବୋକାରାମ ପାଖରେ ଥିବା ସୁନାର ପରଥିବା ହଂସଟିକୁ ଦେଖି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେଲେ ଏବଂ ସେ ହଂସର ଗୋଟିଏ ପର ନେବାକୁ ଚିନ୍ତା କଲେ ।

ବଡ ଝିଅଟି ମନକୁମନ କହିଲା ‘ଟିକିଏ ସୁଯୋଗ ପାଇଲେ ଏ ହଂସଟିର ଗୋଟିଏ ପର ମୁଁ ନିଶ୍ଚେ ଉପାଡି ଆଣିବି ।’ ଠିକ୍ ଏହି ସମୟରେ ବୋକାରାମ ଚଟିଘର ବାହାରକୁ ଚାଲିଗଲା ଏବଂ ଏହି ସୁଯୋଗ ଦେଖି ବଡ ଝିଅଟି ଯାଇ ସେ ହଂସର ଗୋଟିଏ ପର ଉପାଡିବା ପାଇଁ ତାକୁ ମାଡି ବସିଲା । ବଡ ଆଶ୍ଚର୍ଯ୍ୟର କଥା ବଡ ଝିଅଟିର ହାତ ସେ ପରରେ ଲାଖି ରହିଲା ଏବଂ ସେ ହଂସକୁ ଆଉ ଛାଡି ପାରିଲା ନାହିଁ । ଏଇ ସମୟରେ ମଝିଆଁ ଝିଅଟି ସେ ଘର ଭିତରକୁ ଯାଇ ବଡ ଭଉଣୀର ଏ ଅବସ୍ଥା  ଦେଖି ତାକୁ ଛୁଇଁ ଦେବାମାତ୍ରେ ତାର ହାତ ମଧ୍ୟ ତା ଭଉଣୀ ଦେହରେ ଲାଖି ରହିଲା । ଠିକ୍ କିଛି ସମୟ ପରେ ସବାସାନ ଝିଅଟି ଘର ଭିତରକୁ ଯିବାବେଳେ ତାର ଦୁଇ ଭଉଣୀ ଚିତ୍କାର କରି କହି ଉଠିଲେ ‘ରହ ରହ ଟିକିଏ ଦୂରରେ ରହ । ତୋତେ ଠାକୁରଙ୍କ ରାଣ । ତୁ ଆମଠାରୁ ଦୂରେଇ ରହ ।’

ସାନଝିଅଟି ତା ଭଉଣୀ ମାନଙ୍କ କଥା ଶୁଣି କିଛି ବି ଭାବି ପାରିଲା ନାହିଁ । ସେ ଚିନ୍ତା କଲା ଯଦି ତାର ଦୁଇ ଭଉଣୀ ହଂସଟିକୁ ଧରିଛନ୍ତି ତେବେ ସେ ନଧରିବ କାହିଁକି? ସେ ଦୌଡି ଯାଇ ମଝିଆଁ ଭଉଣୀକୁ ଛୁଇଁଛି କି ନାହିଁ ସେ ମଧ୍ୟ ତାଙ୍କ ସହିତ ଲାଖି ରହିଲା । ଏମିତି ସେ ତିନି ଭଉଣୀଯାକ ହଂସ ସହିତ ଲାଖି ରହି ସାରା ରାତିଟି ସେଇ ଘରେ କଟେଇଲେ ।

ରାତି ପାହି ସକାଳ ହେଲା । ବୋକାରାମ ଯେମିତି ତାର ହଂସଟି ଧରି ବାହାରିଲା ହଂସ ଦେହରେ ଲାଖିରହିଥିବା ତିନି ଭଉଣୀଯାକ ମଧ୍ୟ ହଂସ ସହିତ ଟାଣି ହୋଇ ଦୌଡିବାକୁ ଲାଗିଲେ । ଏମାନେ ରାସ୍ତାରେ ଦୌଡି ଯାଉ ଯାଉ ବାଟରେ ଜଣେ ଧର୍ମ ଯାଜକ ଏହି ତିନିଝିଅଙ୍କର ଏ ଅବସ୍ଥା ଦେଖି ପଚାରିଲେ ‘ଆରେ ନିର୍ବୋଧ ବାଳିକା ଗଣ! ତୁମେ ଏ ଯୁବକ ସହିତ ଦୌଡୁଛ କାହିଁକି?’ ଏହା କହି ସେ ପଛରେ ଥିବା ସାନ ଝିଅକୁ ଛୁଇଁ ଦେବା ମାତ୍ରେ ସେ ମଧ୍ୟ ସେମାନଙ୍କ ସହ ଲାଖି ରହି ତାଙ୍କ ସହ ଦୌଡିବାକୁ ଲାଗିଲେ । ଏମାନେ ସମସ୍ତେ ଦୌଡି ଯାଉ ଯାଉ ବାଟରେ ସହରର ମୁଖ୍ୟ ଶାସକ ଧର୍ମଯାଜକଙ୍କୁ ଏ ଅବସ୍ଥାରେ ଦେଖି ପଚାରିଲେ ‘ମହାଶୟ, ଆପଣ ଏଇ ଝିଅମାନଙ୍କ ପଛରେ ଦୌଡୁଛନ୍ତି କାହିଁକି?’ ସେ ଦୌଡି ଯାଇ ଧର୍ମ ଯାଜକଙ୍କୁ ଧରିପକାଇବା ମାତ୍ରେ ସେ ମଧ୍ୟ ସେମାନଙ୍କ ସହ ଲାଖିରହି ଦୌଡିବାକୁ ଲାଗିଲେ ।

ଏମାନେ ସମସ୍ତେ ବୋକାରାମ ପଛେ ପଛେ ଦୌଡିବାବେଳେ ଦୁଇଜଣ କୃଷକକୁ ଦେଖି ଧର୍ମ ଯାଜକ ଜଣକ କହିଲେ ‘ତୁମେ ଦୁଇଜଣ ତୁମ ସହରର ମୁଖ୍ୟକୁ ଏଥିରୁ ଉଦ୍ଧାର କର ।  ଏକଥା ଶୁଣି ସେ ଦୁଇଜଣ କୃଷକ ସହର ମୁଖ୍ୟଙ୍କୁ ଧରି ପକାଇବା ମାତ୍ରେ ସେ ଦୁଇଜଣ ମଧ୍ୟ ସେମାନଙ୍କ ସହ ଲାଖିରହି ତାଙ୍କ ପଛେ ପଛେ ଦୌଡିବାକୁ ଲାଗିଲେ । ଏହିପରି ବୋକାରାମ ପଛରେ ଲାଗିରହି ସାତଜଣଯାକ ଦୌଡିବାକୁ ଲାଗିଲେ ଏବଂ ସେମାନେ ଯାଇ ଆଉ ଗୋଟିଏ ରାଜ୍ୟରେ ପହଁଚିଲେ । ସେ ଦେଶର ରାଜାଙ୍କର ଗୋଟିଏ ଅତି ଶାନ୍ତ ଏବଂ ଗମ୍ଭୀର ପ୍ରକୃତିର ଝିଅ ଥିଲା । ତାକୁ କେହି ବି ହସାଇ ପାରୁନଥିଲେ । ତେଣୁ ସେଠାକାର ରାଜା ପଣ କରିଥାନ୍ତି ଯେ ତାଙ୍କ ଝିଅକୁ ଯେ ହସାଇ ପାରିବ ସେ ତାକୁ ତାଙ୍କ ଝିଅକୁ ବିବାହ ଦେବେ । ବୋକାରାମ ଆଉ ଏ ସାତଜଣଯାକ ରାଜନଅର ପାଖଦେଇ ଦୌଡି ଯିବାର ଦୃଶ୍ୟ ଦେଖି ରାଜକୁମାରୀ ନହସି ଆଉ ରହି ପାରିଲେ ନାହିଁ ।

ରାଜକନ୍ୟା ହସିବାର ଦେଖି ବୋକାରାମ ରାଜକୁମାରୀକୁ ବିବାହ କରିବାକୁ ରାଜାଙ୍କ ନିକଟରେ ଦାବି କଲା । ରାଜା ବୋକାରାମକୁ ଦେଖି ତାଙ୍କୁ ତାଙ୍କର ଜ୍ୱାଇଁ କରିବାକୁ ଚାହୁଁ ନଥିବାରୁ ସେ ଏଇ ବିବାହରେ ପ୍ରତିବନ୍ଧକ ସୃଷ୍ଟି କରିବାକୁ ତା ନିକଟରେ ଗୋଟିଏ ସର୍ତ୍ତ ରଖିଲେ । ରାଜା କହିଲେ ‘ଆମ ରାଜପ୍ରାସାଦରେ ଥିବା ସମସ୍ତ ମଦ ଭଣ୍ଡାରକୁ ଯେ ପିଇ ଶେଷ କରି ଦେବ ସେପରି ଜଣେ ଲୋକକୁ ଖୋଜି ଆଣ ।


ଗପ ସାରଣୀ

ତାଲିକାଭୁକ୍ତ ଗପ