ସୁଲତାନାଙ୍କ ଚାତୁରୀ

ସେ ଦାସୀ ଥିଲା ବହୁତ ବୁଦ୍ଧିମତୀ । ରାଜ୍ୟ ସାରା ଘୁରି ଘୁରି ଲୋକମାନଙ୍କ ସହିତ କଥାବାର୍ତ୍ତା କରି ସେ ସବୁ ଖବର ସଂଗ୍ରହ କଲା । ଶେଷକୁ ସେ ଫେରି ଆସି ସୁଲତାନାଙ୍କୁ କହିଲା, “ମଣିମା, ନୂଆ ଆଇନ୍ ଅନୁସାରେ କରଜ-ସୁଧ ବ୍ୟବସାୟ ରାଜ୍ୟରେ ଖୁବ୍ ଚାଲିଛି । କିନ୍ତୁ ସୁଧଖୋର୍ ଧନୀମାନେ ଗରୀବଙ୍କ ଲୁହ ପିଉଛନ୍ତି । ନୂଆ ଆଇନ୍ ଯୋଗୁଁ ସେମାନେ ଗରୀବଙ୍କ ଉପରେ ବେଶ୍ ଅତ୍ୟାଚାର କରୁଛନ୍ତି । ଠିକ୍ ସମୟରେ ସୁଧ ଦେଇ ନପାରିଲେ ସୁଲତାନଙ୍କ ଲୋକ ସେମାନଙ୍କୁ ଧରି କାରାଗାରରେ ଭର୍ତ୍ତି କରୁଛନ୍ତି । ଏବେ ସାରା ନଗରୀରେ ଅଧିକାଂଶ ଲୋକଙ୍କ ଘରେ ଅଶାନ୍ତିର ଅଗ୍ନି ଜଳୁଛି ।”

ଏକଥା ଶୁଣି ସୁଲତାନାଙ୍କ ମନ ବଡ ଦୁଃଖ ହେଲା । ସେ ସେପରି କିଛି ମନେ ମନେ ସନ୍ଦେହ କରୁଥିଲେ । ଏବେ ସେ ତାଙ୍କ ଦାସୀଠାରୁ ସବୁ ଶୁଣି ସମୟ ଦେଖି ଏସବୁ କଥା ସୁଲତାନଙ୍କୁ କହିଲେ । କିନ୍ତୁ ସୁଲତାନ୍ ଓଲଟା କହିଲେ, “ନୂଆ ଆଇନ୍ ଠିକ୍ ଅଛି । ଯିଏ ଟଙ୍କା ଧାର୍ ନେବ ସେ ସୁଧ ବିଷୟ ଜାଣି ତ ନେଉଛି? ଯିଏ ସୁଧ ଦେଇ ନ ପାରିବ ତା’ର ଧାର୍ ନେବା ଦରକାର ନାହିଁ । ଆଉ ଟଙ୍କା ନେଇ ଠିକ୍ ସମୟରେ ସୁଧ ଦେଇ ନ ପାରିଲେ ତ ତାହା ଆଇନ୍ ଅନୁସାରେ ଅପରାଧ ।”

ସୁଲତାନା କହିଲେ, “ଆଚ୍ଛା, ଏପରି କଥା? ତେବେ ଠିକ୍ ଅଛି ମୁଁ ମଧ୍ୟ ଟଙ୍କା ଧାର୍ ଦେବା ବ୍ୟବସାୟ କରିବି । ମୋତେ ଆପଣ ହଜାରେ ମୋହର ଦିଅନ୍ତୁ । ମୁଁ ଅନ୍ୟମାନଙ୍କ ପରି ଆପଣଙ୍କୁ କିଛି କର ଦେବି ଓ ନିଜେ ସୁଧର ଲାଭଟା ରଖିବି । ଏହାଦ୍ୱାରା ଆପଣଙ୍କର ମଧ୍ୟ କିଛି ପଇସା ଅର୍ଜ୍ଜନ ହୋଇଯିବ ।” ଏପରି କଥା ଶୁଣି ସୁଲତାନ୍ ହସି ହସି କହିଲେ, “ଆଚ୍ଛା, ଠିକ୍ ଅଛି ।”

ଏବେ ସେ ରାଜନଅରର ସମସ୍ତେ ଜାଣିଲେଣି ଯେ ନିଜେ ସୁଲତାନା ଟଙ୍କା ଧାର୍ ଦେଉଛନ୍ତି । ସେ ରାଜମହଲର ଜଣେ ପ୍ରହରୀ ବହୁତ ଗରୀବ ଥିଲା । ସେ ପ୍ରଥମେ ଆସି ସୁଲତାନାଙ୍କ ପାଖରୁ ଶହେ ଦିନାର୍ ଧାର୍ ନେଲା । ଅନ୍ୟ ଜଣେ ରାଜକର୍ମଚାରୀ ମଧ୍ୟ ଦୁଇଶହ ଦିନାର୍ ଧାର୍ ନେଲେ । ଶେଷରେ ନିଜେ ଉଜିର୍ ପାଞ୍ଚଶହ ଦିନାର୍ କରଜ ନେଲେ ।

କିଛିଦିନ ବିତିଗଲା । ଦିନେ ସୁଲତାନ ନିଜ ରାଜ୍ୟରେ ଏକେଲା ବୁଲୁଥା’ନ୍ତି । ବୁଲି ବୁଲି ରାତି ହୋଇଗଲା ସେତେବେଳେ ସେ ତାଙ୍କ ରାଜ୍ୟର ଏକ ପ୍ରାନ୍ତରେ ପହଁଚିଥା’ନ୍ତି; ଏଣେ ତାଙ୍କୁ ବହୁତ ଭୋକ କଲାଣି । ଅଦୂରରେ ଏକ ସାଧାରଣ ନାଗରିକର ଘର ଥିଲା, ସୁଲତାନ ଯାଇ ସେଠାରେ ପହଁଚି କବାଟ ବାଡେଇଲେ । ଗୃହକର୍ତ୍ତା ବିଚାରା କବାଟ ଖୋଲିଦେଇ ସୁଲତାନଙ୍କୁ ଦେଖି ଛଟପଟ ହୋଇଗଲା । ବାରମ୍ବାର ସଲାମ କରୁ କରୁ ସେ ତାଙ୍କୁ ଘର ଭିତରକୁ ନେଇଗଲା ।

ସୁଲତାନ ବସିବା ମାତ୍ରେ କହିଲେ, “ମୋତେ ବହୁତ ଭୋକ ହେଉଛି । କିଛି ଖାଇବାକୁ ମିଳିବ?”

“ମଣିମା, ଟିକିଏ ବିଶ୍ରାମ କରନ୍ତୁ ଆପଣଙ୍କର ଖାଦ୍ୟ ପାଇଁ ମୁଁ ସବୁ ବନ୍ଦୋବସ୍ତ କରୁଛି ।” ଏତିକି କହି ସେ ବାହାରକୁ ଚାଲିଗଲା । ସେ ଯାଇ ଜଣେ ଧନୀଲୋକ ପାଖରେ ପହଁଚି ପଚାଶ ଦିନାର କରଜ ଆଣି ବଜାରକୁ ଯାଇ ସବୁ ଭଲ ଭଲ ଜିନିଷ କିଣି ଆଣିଲା ଓ ସୁଲତାନଙ୍କୁ ଖୁବ୍ ଭଲ ଭାବରେ ଖୁଆଇଲା ।

ସେହି ରାଜକୀୟ ଖାଦ୍ୟ ଦେଖି ସୁଲତାନ ଚମକି ପଡିଲେ ଓ ଭାବିଲେ, “ବିଚାରା ମୋତେ ଖୁଆଇବାକୁ କୌଣସି ଧନୀଠାରୁ ନିଶ୍ଚୟ କରଜ କରିଥିବ ।” ତେଣୁ ସେ ତାଙ୍କ ନଅରକୁ ଫେରି ଉଜୀର୍ଙ୍କୁ ଏକ ହଜାର ଦିନାର ଦେଇ କହିଲେ, “ଏତକ ନେଇ ସେହି ବ୍ୟକ୍ତିକୁ ଦେଇ ଆସ ଯିଏ ମୋତେ ଖୁଆଇଛି ।”

ଉଜୀର୍ଙ୍କ ହାତକୁ ଦିନାର୍ ଆସିବା ମାତ୍ରେ ସୁଲତାନା ତାଙ୍କୁ ଡାକି ପଠାଇଲେ ଓ ତୁରନ୍ତ କରଜ ନେଇଥିବା ଧନ ଫେରାଇବାକୁ କହିଲେ । ଅନନ୍ୟୋପାୟ ହୋଇ ଉଜୀର୍ ସେଥିରୁ ଛଅଶହ ଦିନାର୍ ତାଙ୍କୁ ଦେଲେ । ତା’ପରେ ଉଜୀର୍ ରାଜକର୍ମଚାରୀଙ୍କୁ ଡକାଇ ବାକି ଚାରିଶହ ଗରୀବ ଲୋକ ଘରକୁ ପଠାଇ ଦେବାକୁ କହିଲେ ।

ଏକଥା ସୁଲତାନା ଜାଣିପାରି ରାଜକର୍ମଚାରୀଙ୍କୁ ତତ୍କ୍ଷଣାତ୍ ଡକାଇଲେ ଓ ଅଢେଇଶହ ଦିନାର୍ ତାଙ୍କଠାରୁ ଅସୁଲ କରି ନେଲେ । ବାକି ଦେଢଶହ ଦିନାର ରାଜକର୍ମଚାରୀ ନେଇ ପ୍ରହରୀକୁ ଦେଇ ସେହି ଦରିଦ୍ର ବ୍ୟକ୍ତି ପାଖରେ ପହଁଚାଇ ଦେବାକୁ ଆଦେଶ ଦେଲେ ।

କିନ୍ତୁ ସୁଲତାନା ତତ୍କ୍ଷଣାତ୍ ପ୍ରହରୀକୁ ଡକାଇ ସଙ୍ଗେ ସଙ୍ଗେ ସୁଧ ସହ ମୂଳ ଧନ ଫେରାଇବାକୁ କହିଲେ । ବିଚାରା ପ୍ରହରୀ ହାତରେ ଥିବା ଦେଢଶହ ଦିନାର ସୁଲତାନାଙ୍କୁ ଦେଇ ଦେଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ