ସ୍ୱପ୍ନ ଦୁଃସ୍ୱପ୍ନ

ହରିପୁର ଗ୍ରାମରେ ଦୁଇ ଭାଇ ଥା’ନ୍ତି । ସେମାନେ ହେଲେ ଗୋବିନ୍ଦ ଓ ମୁକୁନ୍ଦ । ସେମାନେ ତାଙ୍କ ପିତାଙ୍କ ଅନ୍ତେ ନିଜ ନିଜର ଘର ତୋଳାଇଲେ । ଗୃହପ୍ରବେଶ ଦିନ ଜ୍ୟୋତିଷ ଶିବଶାସ୍ତ୍ରୀ ସେମାନଙ୍କୁ କହିଲେ ଯେ ଗୃହନିର୍ମାଣଶାସ୍ତ୍ର ଅନୁସାରେ ଗୃହ ଦୁଇଟି ନିର୍ମାଣ କରାଯାଇଛି ସତ, କିନ୍ତୁ ବଡ ପୁଅ ଗୋବିନ୍ଦ ପାଇଁ ଦକ୍ଷିଣ ପଟ ଗୃହ ଓ ସାନ ପୁଅ ମୁକୁନ୍ଦ ପାଇଁ ବାମପଟର ଗୃହ ବାସ କରିବା ପାଇଁ ଅତ୍ୟନ୍ତ ଉତ୍ତମ ।

      କିନ୍ତୁ ସେମାନଙ୍କ ଯୋଜନା ତ ଠିକ୍ ତା’ର ବିପରୀତ ଥିଲା । ତେଣୁ ସେ ଦୁହେଁ ଖୁବ୍ ବ୍ୟସ୍ତ ହୋଇ କହିଲେ, “ମହାଶୟ ଆମେ ଆପଣଙ୍କ କଥା ଅନୁଯାୟୀ କାମ ନ କଲେ କ’ଣ ହେବ?”

      ତହୁଁ ଶାସ୍ତ୍ରୀ କହିଲେ, “ତୁମ ଦୁହିଁଙ୍କର ଜାତକ ଦେଖି ଭଲଭାବେ ଗଣନା କରି ମୁଁ ଏପରି କହିଛି । ତମେ ଯଦି ମୋ କହିବାନୁସାରେ କାର୍ଯ୍ୟ ନ କରିବ ତେବେ ଦୁଷ୍ଟ ଶକ୍ତିମାନେ ତୁମକୁ ଅଯଥାରେ ହଇରାଣ କରିବେ । ଆଗକୁ ତୁମର ସୁବିଧା ଅସୁବିଧା କ’ଣ ହେବ ମୁଁ ତ ତାହା ଜାଣେନାହିଁ ହେଲେ ଯେପରି ଜୀବନ ଉପରେ ଆଂଚ ନ ଆସେ ସେଥିପ୍ରତି ସାବଧାନ ରହିବ ।”

      ଶାସ୍ତ୍ରୀଙ୍କ ସବୁକଥା ଶୁଣି ଗୋବିନ୍ଦ କହିଲା “ଓହୋ, ଏତିକି ମାତ୍ର କଥା ତ? ଆମେ ଭାବିଲୁ କିଛି ଭୟଙ୍କର ଘଟଣା ଘଟିବାକୁ ଯାଉଛି । ଦୁଷ୍ଟଶକ୍ତିମାନଙ୍କ ବିଷୟରେ ଆମର କୌଣସି ବିଶ୍ୱାସ ନାହିଁ । ଆମର ନିଜ ଶକ୍ତି ଉପରେ ଦୃଢ ବିଶ୍ୱାସ ଅଛି । ଆମର ଆତ୍ମବିଶ୍ୱାସ ଠିକ୍ ଥିଲେ ସେମାନେ ଆମର କିଛି ବି କ୍ଷତି କରିପାରିବେ ନାହିଁ । ନା ତୁ କ’ଣ କହୁଛୁ ରେ ମୁକୁନ୍ଦ?”

      ମୁକୁନ୍ଦ ଏପଟ ସେପଟ ଚାହିଁ ଦୃଢ ଭାବରେ କହିଲା, “ହଁ ସେଇଆ ନୁହେଁ ତ ଆଉ କ’ଣ?”

      ଭାଇମାନଙ୍କ କଥା ଶୁଣି ଶାସ୍ତ୍ରୀ କହିଲେ, “ତୁମର ଏପରି ଆତ୍ମବିଶ୍ୱାସ ଅଛି ତ ତେବେ ମୋତେ କାହିଁକି ଗୃହପ୍ରବେଶ ପାଇଁ ଡାକୁଥିଲ? ମୁଁ ଯାହା ଜାଣିଥିଲି ତାହା କହିଲି । ତେଣିକି ଏବେ ତୁମ ଭାଗ୍ୟରେ ଯାହା ଥିବ ।” ଏତିକି କହି ସେ ଶାସ୍ତ୍ରୀ ସେଠାରୁ ଚାଲିଗଲେ ।

      ଏବେ ଗୋବିନ୍ଦ ଓ ମୁକୁନ୍ଦ ନିଜ ନିଜ ଘରର ସମସ୍ତ ଆସବାବ ପତ୍ର ସଜାଇ ରଖିଲେ । ବହୁତ ଜିନିଷପତ୍ର ଥିବାରୁ ସେଥିରୁ କିଛି ଆଟୁ ଉପରେ ସେମାନେ ସଜାଇ ରଖିଲେ । ଗୋବିନ୍ଦ ତା’ ଆଟୁ ଉପରେ ଦି’ଟା ତେଲଟିଣ, ଦଶଟା ଧାନବସ୍ତା ଆଉ କିଛି ଛୋଟ ଛୋଟ ଜିନିଷ ରଖିଲା । ମୁକୁନ୍ଦ ମଧ୍ୟ ତା’ ଆଟୁ ଉପରେ ପାଂଚବସ୍ତା ହରଡ ଡାଲି ଓ ଆଚାର ହାଣ୍ଡି ସବୁ ରଖିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ