ସ୍ୱପ୍ନ ବିଳାସ

ସେ ସକାଳେ ଯାଇ ରାଜାଙ୍କୁ ଭେଟିଲା ଓ ତା’ ସ୍ୱପ୍ନ କଥା ସେ କହିଲା । ତା’କଥା ଶୁଣି ସେ ରାଜା ହସି ହସି କହିଲେ, “ବାଳକ, ମନେ ହୁଏ, ତମେ କିଛି ସାହାଯ୍ୟ ଚାହଁ । ସିଧାସଳଖ ସେକଥା ନକହି ସ୍ୱପ୍ନ ପ୍ରଶଙ୍ଗ ଆଣିଲ କାହିଁକି?” ଏଥିଉତାରେ ସେ ରାଜା ତାକୁ ସାମାନ୍ୟ କିଛି ଅର୍ଥ ଦେଇ ସେଠାରୁ ବିଦା କରିଦେଲେ ।

କିନ୍ତୁ ପରଦିନ ସକାଳେ ରାଜାଙ୍କର କେତେଜଣ କର୍ମଚାରୀ ଯାଇ ଚଟିଘରେ ବିଳାସକୁ ଠାବ କଲେ ଓ ତାକୁ ରାଜାଙ୍କ ପାଖକୁ ଡାକିନେଇ ଆସିଲେ । ରାଜା ତାକୁ ଦେଖି ଆନନ୍ଦରେ କହିଲେ, “ବାଳକ, ଦେଖୁଛି ତମର ଭବିଷ୍ୟତ ଜାଣିବାର ବହୁତ ଶକ୍ତି ଅଛି । ଗତ ରାତିରେ ସତରେ ମୁଁ ମୋ ରାଜ୍ୟର ଅବସ୍ଥା ଦେଖିବା ନିମନ୍ତେ ସହର ବାହାରେ ଥିବା ଗୋଟିଏ ଗାଁକୁ ଏକୁଟିଆ ଯାଇଥିଲି । ସତକୁ ସତ ଜଣେ ବୁଢା ମୋତେ ସେଠୁ ଡାକି ନେଇଗଲା ଓ ମୁଁ ହେଟା ଘଉଡାଇଦେଇ ଆସିଲି । ଏବେ ତମେ କ’ଣ ପୁରସ୍କାର ଚାହଁ କୁହ । କିନ୍ତୁ ତମେ ମୋ ଦରବାରରେ ରୁହ ।”

ରାଜାଙ୍କ ଏଭଳି କଥାରେ ଆନନ୍ଦରେ ବିଳାସ ଆଉ କିଛିବି କଥା କହିପାରିଲା ନାହିଁ । ସେ ତ ଏଇଆହିଁ ଚାହୁଁଥିଲା! ସେ କହିଲା, “ମହାରାଜ! ମୋତେ ଖାଲି ଆରାମ୍ରେ ଖାଇ ପିଇ ରହିବାକୁ ଦିଅନ୍ତୁ ।” ରାଜା ସେହି ବ୍ୟବସ୍ଥା କରିଦେଲେ । ବିଳାସ ଏଥର ସେଠାରେ ମହାଆନନ୍ଦରେ ରହିଲା । ଦିନବେଳେ ଥରେ ଥରେ ଅଶ୍ୱାରୋହଣ କରି ସେ ସହର ଭିତରେ ବୁଲିଆସେ । ତାହାଠୁଁ ଅଧିକ ଆଉ କିଛି ବି ସେ କରେ ନାହିଁ ।

ଦିନେ ସେ ଯାଇ ରାଜାଙ୍କୁ କହିଲା, “ମଣିମା, ମୁଁ ଗତ ରାତିରେ ଗୋଟାଏ ଅଦ୍ଭୁତ ସ୍ୱପ୍ନ ଦେଖିଛି । ହେଲେ ତାହା କହିବାକୁ ମୋର ସାହସ ଆଦୌ ହେଉନାହିଁ ।”

ରାଜା ତାକୁ ଅଭୟ ଦେବାରୁ ସେ ଗପିଲା: “ମଣିମା, ମୁଁ ଦେଖିଲି ଜଣେ ସାଧୁ ଆସି ଆପଣଙ୍କ ଆଗରେ ଠିଆ ହୋଇ କହିଲେ କି ସେ ଆପଣଙ୍କୁ ହିମାଳୟ ନେଇଯିବାକୁ ଆସିଛନ୍ତି । ନଗଲେ ଆପଣଙ୍କର ମୃତ୍ୟୁ ଅନିବାର୍ଯ୍ୟ । ଆପଣ ଟିକିଏ ଇତସ୍ତତଃ କରି ସେ ସାଧୁଙ୍କ ସହ ଯିବାକୁ ବାହାରିଲେ । କିନ୍ତୁ ଆପଣଙ୍କ ପରେ ଏଠିକାର ରାଜା କିଏ ହେବ? ଏହି କଥା ଭାବି ଆପଣ ଏଆଡେ ସେଆଡେ ଅନାଇ ଶେଷକୁ ମୋତେ ଧରିନେଇ ସିଂହାସନରେ ବସାଇ ମକୁଟ ପିନ୍ଧାଇ ଦେଲେ । ଏହିପରି ଭାବେ ମୁଁ ରାଜା ହେଲି । ଆଉ ଆପଣ ସାଧୁ ହୋଇ ଚାଲିଗଲେ ।”

ରାଜା ଏ ସ୍ୱପ୍ନ ଶୁଣି କିଛି ନ କହି ପ୍ରାସାଦ ଭିତରକୁ ଚାଲିଗଲେ ।

ପରଦିନ ସତକୁ ସତ ଜଣେ ସାଧୁ ଆସି ଦରବାରରେ ପହଁଚିଲେ ଓ ବିଳାସ ଯେପରି କହିଥିଲା, ରାଜାଙ୍କୁ ସେ ଠିକ୍ ସେହିକଥା କହିଲେ । ରାଜା ବିଳାସକୁ ଧରିନେଇ ସିଂହାସନରେ ବସାଇ ଦେଇ ସେଠାରୁ ସେହିକ୍ଷଣି ବାହାରି ଚାଲିଗଲେ । ଦରବାରର ଲୋକେ ପ୍ରଥମେ ହାୟ ହାୟ କଲେ ଓ ତା’ପରେ ନୂଆ ରାଜାଙ୍କର ଜୟଗାନ କଲେ ।

ବିଳାସ ସିଂହାସନରେ ବସିବାର ଠିକ୍ ଦୁଇଘଂଟା ପରେ ମନ୍ତ୍ରୀ ଆସି କହିଲେ, “ମହାରାଜ, ଆମର ଶତ୍ରୁ ରାଜା ସୁକାନ୍ତସେନ ଆମ ରାଜ୍ୟ ଦଖଲ କରିନେବାକୁ ପୁଣି ଥରେ ସୈନ୍ୟଦଳ ଧରି ମାଡି ଆସୁଛନ୍ତି ।”

ଏକଥା ଶୁଣି ସେ ବିଳାସ ଭୀଷଣ ଭାବେ ଆତଙ୍କିତ ହେଲା ଓ ପଚାରିଲା, “କ’ଣ ପୂର୍ବରୁ କେବେ ସେ ଆମ ରାଜ୍ୟ ଉପରେ ଥରେ ଆକ୍ରମଣ କରିଥିଲେ?”

ତହୁଁ ସେ ମନ୍ତ୍ରୀ କହିଲେ “ହଁ । କିନ୍ତୁ ସେତେବେଳେ ତ ପୂର୍ବ ରାଜା ନିଜେ ସୈନ୍ୟ ଚାଳନା କରି ସୁକାନ୍ତସେନଙ୍କୁ ଏଠାରୁ ଘଉଡାଇ ଦେଇଥିଲେ । ବର୍ତ୍ତମାନ ଆପଣ ଆମ ସୈନ୍ୟବାହିନୀର ନେତୃତ୍ତ୍ୱ ନେବେଟି?”

ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବିଳାସ କହିଲା “ନା, ନା, ମନ୍ତ୍ରୀ ମହାଶୟ, ଆପଣ ସୁକାନ୍ତସେନଙ୍କ ସହ ସନ୍ଧିର ବ୍ୟବସ୍ଥା କରନ୍ତୁ ।”

ବିଳାସ ସେଦିନ ଖାଇ ପାରିଲା ନାହିଁ କି ନିଦରେ ଠିକ୍ସେ ଶୋଇବି ପାରିଲା ନାହିଁ । ଠିକ୍ ମଝି ରାତି ବେଳକୁ ତାକୁ ଟିକେ ଛାଇ ନିଦ ଧରି ଆସିଛି, ସେ ସ୍ୱପ୍ନ ଦେଖିଲା, ସେ ଶତ୍ରୁକୁ ଡରି ନଅର ଭିତରୁ ପଳାଇ ଯାଉଛି । କିନ୍ତୁ କିଏ ଜଣେ ତାକୁ ଧରି ପକାଉଛି ।

ନିଦ ଭାଙ୍ଗିବା ମାତ୍ରେ ସେ ବିଳାସ ନଅର ଭିତରୁ ପଳାଇବାକୁ ଚେଷ୍ଟା କଲା । କିନ୍ତୁ ଠିକ୍ ଫାଟକ ପାଖରେ ତାକୁ କେହି ଜଣେ ଖପ୍ କିନା ଧରି ପକାଇଲା । ସେ ଆଶ୍ଚର୍ଯ୍ୟ ହୋଇ ଅନାଇ ଦେଖିଲା ବେଳକୁ ତାକୁ ଧରିଥିବା ଲୋକ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ଖୋଦ୍ ରାଜା!

ରାଜା ତାକୁ ପ୍ରାସାଦ ଭିତରକୁ ନେଇ ଆସି ତାଠୁଁ ସବୁ ଶୁଣିଲେ ଓ କହିଲେ, “ଭୟ କର ନାହିଁ । ଏଥିରେ ତ ତୁମର କିଛିବି ଅପରାଧ ନାହିଁ । ତେବେ ତୁମେ ଭୀଷଣ ଅଳସୁଆ ଓ ସ୍ୱପ୍ନ ବିଳାସୀ । ତମେ ପ୍ରଥମେ ମୋ ସମ୍ପର୍କରେ ଯେଉଁ ସ୍ୱପ୍ନ ଦେଖିଥିଲ, ତାହା ସତ୍ୟ ହେବାର କାରଣ ସେ ସନ୍ନ୍ୟାସୀଙ୍କ ବର । କିନ୍ତୁ ପରେ ତମେ ଯାହା ସ୍ୱପ୍ନ ଦେଖିଲ, ତାହା ତୁମର ବାସନା ଓ କଳ୍ପନାର ଫଳ । ତମେ ମନେ ମନେ ଭାବିଥିବ, ତମେ ରାଜା ହୋଇ ପାରିଲେ କେଡେ ସୁଖରେ ରହନ୍ତ । ତେଣୁ ତମେ ସେମିତି ସ୍ୱପ୍ନ ଦେଖିଲ । ପରଦିନ ଯେଉଁ ସାଧୁ ଆସି ମୋତେ ହିମାଳୟ ଡାକିଲେ, ସେ ମିଛ ସାଧୁ । ମୋହରି ଜଣେ ଅମାତ୍ୟ ଛଦ୍ମବେଶରେ ସେ ଏଠାକୁ ଆସିଥିଲେ । ଶତ୍ରୁ ରାଜା ଆମ ରାଜ୍ୟ ଆକ୍ରମଣ କରିବା କଥା ବି ମିଛ । ମୁଁ ସେ ଖବର ତମକୁ ପଠାଇଥିଲି । ଫଳରେ ତମ ନିଜ ଭୟ ଯୋଗୁଁ ତମେ ପଳାଉଥିବାର ସ୍ୱପ୍ନ ଦେଖିଲ ଓ ଭୟ ଯୋଗୁଁ ଧରାପଡିବା କଥା ବି କଳ୍ପନା କରି ତାହା ସ୍ୱପ୍ନରେ ଦେଖିଲ । ସେମିତି ହେବ ବୋଲି ମୁଁ ଅନୁମାନ କରୁଥିଲି । ଛାଡ । ଏଥର ଏ ଟଙ୍କା ନିଅ । ଯାଇ ଗୋଟାଏ ଦୋକାନ କର । ନିଜ ପରିଶ୍ରମରୁ ସୁଖ ପାଇବାର ଚେଷ୍ଟା କର ।”

ରାଜାଙ୍କ ଏଭଳି କଥା ଶୁଣି ସେ ବିଳାସ କାନ୍ଦ କାନ୍ଦ ହୋଇ ରାଜାଙ୍କୁ ଜୁହାର ହୋଇ ଟଙ୍କା ଥଳି ଧରି ତାଙ୍କଠାରୁ ବିଦାୟ ନେଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ