ହଜାରେ ବାଲ୍ଟି ପାଣି

ଜେଜେ-“କାହିଁକିରେ? ତୋ ବାପା ତ ଠିକ୍ କାମ କରୁଛି । ଯାହା ତା’ର କରିବା କଥା । ଏ ତ ଆମ କୁଳ ବେଉସା । ଗାଁ ସାରା ଲୋକେ ତ ଦେଖୁଚୁ ଏଇ କାମ କରି ଚଳନ୍ତି । କ’ଣ ହେଲା ସେଠୁ?” ଏ ଉତ୍ତର ମଧ୍ୟ ୱାକିଓକୁ ଭଲ ଲାଗିଲା ନାହିଁ ।

                ତା’ପରେ ସେ ୱାକିଓ ସମୁଦ୍ର କୂଳକୁ ଚାଲିଗଲା । ହଠାତ୍ ତାର ମନ ହେଲା ସମୁଦ୍ରକୁ ପଚାରିବ, କାହିଁକି ତା’ ବାପାଙ୍କ ହାତରେ ତିମି ମାଛର ରକ୍ତ ଲାଗୁଛି । ନିତି ପାଣି ଭିତରକୁ ଯାଉଥିବା ମଣିଷ, ଏ ବିରାଟକାୟ ତିମିକୁ ଭଲ ନ ପାଇ ଓଲଟି ତାକୁ ମାରୁଛନ୍ତି କାହିଁକି?

                ୱାକିଓ କୂଳରେ ଠିଆ ହୋଇ ବଡ ପାଟିରେ କହିଲା – ହେ ସମୁଦ୍ର !…

                ସମୁଦ୍ରର ଘୂ ଘୂ ଗର୍ଜନ ତା’ ପ୍ରଶ୍ନର କି ଉତ୍ତର ଦେଲା, ୱାକିଓ ସେଥିରୁ କିଛି ବି ବୁଝି ପାରିଲା ନାହିଁ । କୂଳରେ ଭାଙ୍ଗୁଥାଏ ଲହଡି । କୁନି କୁନି ମାଛ କଙ୍କଡା ମାନେ ତା’ ଗୋଡ ପାଖର ବାଲି ଉପରେ ଗଡି ଯାଉଥାନ୍ତି ଫେରିଲା ପାଣିର ସୁଅରେ । ଆକାଶରେ ଉଡୁଥିବା ଚଢେଇମାନେ କେଁ କେଁ ଶବ୍ଦ କରି ସତେକି ତାକୁ କ’ଣ କହୁଥାନ୍ତି । ୱାକିଓର ମନ କୋଉଠି ବି ଲାଗୁନଥାଏ ।

                ହଠାତ୍ ଏକ ଅଦ୍ଭୁତ ଦୃଶ୍ୟ ତା’ ଆଖିରେ ପଡିଲା । ଗୋଟେ ମସ୍ତବଡ ତିମି ଦୁଇଟି ବଡ ପଥର ମଝିରେ ଅଟକି ଯାଇଛି । ଜୁଆର ସାଙ୍ଗରେ ତାହା ଚାଲି ଆସିଥିଲା କୂଳକୁ । ଏବେ ଯେତେ ଛଟପଟ ହେଲେ ବି ସେଥିରୁ ସେ ମୋଟେ ବାହାରି ପାରୁନି, ବିଚରା ତିମି ଲାଖି ଯାଇଛି । ଏଣେ ଜୁଆର ଫେରି ଯାଉଛି କୂଳଠାରୁ ଦୂରକୁ ଦୂରକୁ । ଏସବୁ ଦେଖି ଅତ୍ୟନ୍ତ ବ୍ୟସ୍ତ ହୋଇ ପଡିଲା ସେ ୱାକିଓ । ଆଉ କହିଲା ହେ ଈଶ୍ୱର, ପାଣି ତ କମି କମି ଯାଉଚି । ତିମି ଏଇଲେ କ’ଣ କରିବ? ଖରା ତ ମାଡି ଆସୁଛି । ଜୁଆର ପୁଣି ଆସିଲା ବେଳକୁ କେତେ ବେଳ । କ’ଣ ହେବ? ଚାହୁଁ ଚାହୁଁ ପାଣି ଫେରି ଗଲା ସମୁଦ୍ର ଭିତରକୁ । ୱାକିଓ ଚାହିଁଚି । ସମୁଦ୍ରକୂଳ ବାଲି ଧୀରେ ଧୀରେ ଶୁଖିଲା ଦିଶିଲାଣି । ତିମି ଛଟ ପଟ ହେଉଚି । ତଥାପି ଚେଷ୍ଟା ଚଳାଇଚି ସେ ଖୋପରୁ ଖସିବା ପାଇଁ । କିନ୍ତୁ ଖସିଲେ କ’ଣ ହେବ? ତା’ର କ’ଣ ଗୋଡ ଅଛି ଯେ ସେ ଚାଲି ଚାଲି ପାଣି ପାଖକୁ ଚାଲିଯିବ? ଏ ଗାଁବାଲା ତ ତିମି ଦେଖିଲେ ତାକୁ ତେଂଟାରେ ଭୂଷି ପକେଇବେ ।

ଏସବୁ ଦେଖି ସେ ୱାକିଓକୁ ଖାଲି କାନ୍ଦ ମାଡିଲା । ସେ କେବଳ ପ୍ରାର୍ଥନା କଲା ହେ ପ୍ରଭୁ ! କେହି ଯେମିତି ଦେଖି ନ ପାରନ୍ତୁ ଏ ତିମିକୁ । ସେ ଫେରି ଯାଉ ତା’ ପାଣି ଘରକୁ । ତା’ ଛୁଆ ପିଲାଙ୍କ ପାଖକୁ । ତା’ ବନ୍ଧୁ ବାନ୍ଧବଙ୍କ ପାଖକୁ । କିନ୍ତୁ ଜୁଆର ଆସିବାକୁ ତ ବହୁତ ଡେରି ଅଛି । ସେତେବେଳ ପର୍ଯ୍ୟନ୍ତ ଖରାରେ ଏ ବଂଚିବ କେମିତି? ଏମିତି ଭାବୁ ଭାବୁ କେତେବେଳେ ସେ ୱାକିଓ ବାଲିରେ ଚାଲି ଚାଲି ଯାଇ ସେହି ତିମି ପାଖରେ ପହଁଚି ଗଲାଣି ତାହା ତାକୁ ବି ଜଣା ନାହିଁ । ତା’ ନିରୀହ ଆଖିକୁ ଚାହିଁ ଦେଲା ମାତ୍ରେ ୱାକିଓର ଦେହ କ’ଣ ହୋଇଗଲା । ଏତେ ବଡ ଜୀବ । ସେ ପୁଣି ପାଣିର ରାଜା । ସମୁଦ୍ରକୁ ଦି’ଭାଗ କରୁଥିବ ପାଣିରୁ ଉଠିଲାବେଳେ । ଫୁତ୍କାର କରି ପାଣି ଫିଙ୍ଗୁଥିବ ଉପରକୁ ଯେ, ତାକୁ ଦେଖିଲେ ଛାତି ଥରିଯିବ । ପାଣିକି ଓହ୍ଲାଉଥିବା ମଣିଷଙ୍କ ଯମ ଏ । କେମିତି ଗୋଟେ ପଡି ଯାଇଚି ଖାପଚରେ । ଶୁଖିଲାରେ ପଡିଗଲେ ଆଉ କ’ଣ କେବେ ଏ ବଂଚିବ? ପାଣି ତ ତା’ ଜୀବନ । ଏବେ ପୁଣି କିଏ ବା ରକ୍ଷା କରିବ ୟାକୁ । ପାଖକୁ ଗଲାରୁ ତା’ ଆଖିକି ଚାହିଁଲା ୱାକିଓ । ଆଃ, ସେ ବଡ ବଡ ନିରୀହ ଆଖି ବୁଲି ବୁଲି ଚାହିଁ ଯେମିତି କ’ଣ କହୁଚି ତାକୁ । ବିକଳ ହୋଇ କ’ଣ ଯେମିତି ମାଗୁଚି ତାକୁ । ପାଣି ମୁନ୍ଦିଏ? ହଁ ତ, ପାଣି ଛଡା ତା’ର ଆଉ କ’ଣ ଦରକାର ଯେ?

ୱାକିଓ-“ମୁଁ ତ ତୁମକୁ ସାହାଯ୍ୟ କରିବି ନିଶ୍ଚୟ, ନିଶ୍ଚୟ । ତୁମକୁ ଏମିତି ମରିବାକୁ କେବେବି ଛାଡି ଦେବି ନାହିଁ ।” ୱାକିଓ ବଡ ପାଟିରେ ତାକୁ କହିଲା । କିନ୍ତୁ କେମିତି? ତିମିଟାତ ତା’ ପିଲା ଆଖିକି ଦିଶୁଥାଏ ଗୋଟେ ପାହାଡ ପରି । ଏତେ ବଡ ।

ୱାକିଓ ପାଣି ପାଖକୁ ଦୌଡି ଗଲା । ଜୁଆର ଆସୁଚି ନା ନାଇଁ ପୂରା ଫେରି ଗଲାଣି ଦେଖିବାକୁ । ନାଇଁ, ଲହରୀ ସବୁ ଫେଣର ମୁକୁଟ ପିନ୍ଧି ଫେରି ଯାଉଚି ଦୂରକୁ ଦୂରକୁ । ପଛପଟେ ଟାଣ ଖରା ପଡିଲାଣି ତିମି ଉପରେ । ଧାଇଁ ଧାଇଁ ବାଲ୍ଟିଟିଏ ନେଇ ଆସିଲା ସେ ୱାକିଓ ତା’ ଘରୁ ଚୁପ୍ କରି ଓ ସେଥିରେ ପାଣି ଭର୍ତ୍ତି କରି ପ୍ରଥମ ଥର ପାଇଁ ଅଜାଡିଲା ସେ ତିମିର ମୁଣ୍ଡ ଉପରେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ