ହାତ ଖର୍ଚ୍ଚ

ଚକ୍ରଧରପୁର ଗ୍ରାମରେ ଭରତ ନାମକ ଜଣେ କୃଷକ ବାସ କରନ୍ତି । ତାଙ୍କର ପାଞ୍ଚ ଏକର ଉର୍ବର ଜମି ଥାଏ । ପୁତ୍ର ଚନ୍ଦନ ଓ ସେ କଠିନ ପରିଶ୍ରମ କରି କ୍ଷେତରେ ସାରାବର୍ଷ ବିଭିନ୍ନ ପ୍ରକାରର ଫସଲ କରନ୍ତି । ତେଣୁ ସେମାନଙ୍କ ଆୟ ମଧ୍ୟ ଖୁବ୍ ଭଲ ହୁଏ । ଏ ବର୍ଷ ଭଲ ହରଡ ଡାଲି ଅମଳ ହୋଇଥାଏ । ସେମାନେ ସଠିକ୍ ଦାମ୍ରେ ତାହା ବିକ୍ରି କରିବାର ସୁଯୋଗର ଅପେକ୍ଷାରେ ରହିଥାନ୍ତି । ଅମଳ ହୋଇଥିବା ଡାଲିର ଦାୟିତ୍ୱ ନେବା ପାଇଁ କ୍ଷେତରେ ଜଣେ ଲୋକ ନିଯୁକ୍ତ ହୋଇଥାଏ ।

ଦୁଇ ସପ୍ତାହ ପରେ ସେ ଡାଲି ତଦାରଖ କରିବା ବେଳକୁ ଦୁଇ ବସ୍ତା କମ୍ ହେଲା । ସେ ଜଗୁଆଳୀ ଲୋକକୁ ଏହି ସମ୍ବନ୍ଧରେ ପଚାରିଲେ । ସେ ସାରା ରାତ୍ରି ଅନିଦ୍ରା ରହି ଜଗିବାରେ ଆଦୌ କୌଣସି ଅବହେଳା କରି ନ ଥିବାର ପ୍ରକାଶ କଲା । ମାତ୍ର ଭରତ ତା’ର କଥାକୁ ମୋଟେ ବିଶ୍ୱାସ କଲେ ନାହିଁ । ଏଥର ନିଜର ପୁତ୍ର ଚନ୍ଦନକୁ ସେ ଏହି ଦାୟିତ୍ୱ ଦେଲେ ।

ମାତ୍ର ସେହି ରାତ୍ରିରେ ଏକ ବସ୍ତା ଡାଲି କେଉଁଆଡେ ଉଭାନ୍ ହୋଇଗଲା । ଭରତ ବିବ୍ରତ ହୋଇ ଏ ସମ୍ବନ୍ଧରେ ଅନୁସନ୍ଧାନ କଲେ । ଗ୍ରାମବାସୀ ମାନଙ୍କଠାରୁ ସେ ଜାଣିବାକୁ ପାଇଲେ ଯେ, ଚନ୍ଦନ ଦୋକାନରେ ଡାଲି ବସ୍ତା ଦେଇ ଥିବାର ସେମାନେ ସମସ୍ତେ ଦେଖିଛନ୍ତି । ହଠାତ୍ ଏହି କଥାକୁ ସେ ବିଶ୍ୱାସ କରି ପାରିଲେ ନାହିଁ । ତାଙ୍କର ପୁତ୍ର ପୁଣି ଏପରି କାମ ବି କରିପାରେ, ସେ ତ କେବେବି ଏକଥା କଳ୍ପନା ସୁଧା କରିପାରୁ ନ ଥିଲେ । ଏପରି ଦୁଶ୍ଚିନ୍ତାରେ ଥିବା ସମୟରେ ସେଠାରେ ବୀର ଆସି ପହଁଚିଲା । ବୀର ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ କାମ କରେ । ମାଲିକର କିଛି କାମ ନେଇ ଏହି ଗ୍ରାମକୁ ସେ ଆସିଥିଲା ।

ଭରତ ତାକୁ କହିଲେ, “ଦେଖ, ତୁମର ମାଲିକଙ୍କ କାମ ଏତେବି ଜରୁରୀ ନୁହେଁ । ଚାରି ପାଞ୍ଚ ଦିନ ଏଠାରେ ରହି ସେ ଡାଲି ଚୋରକୁ ଧରିବାରେ ମୋତେ ଟିକେ ଆଗ ସାହାଯ୍ୟ କର ।”

ସେହି ରାତ୍ରିରେ ବୀରକୁ କ୍ଷେତରେ ଜଗିବା ପାଇଁ ଭରତ ସୂଚନା ଦେଲେ । କିନ୍ତୁ ସକାଳୁ ଉଠି ବୀର ଦେଖେ ତ, ଆଉ ଏକ ବସ୍ତା ଡାଲି ଚୋରୀ ହୋଇଯାଇଛି । ଭରତ କ୍ଷେତକୁ ଆସି ତାହା ଜାଣିଲେ । ଅନୁମାନ କରି ବୀରକୁ ସେ କହିଲେ, “ଏଠାରେ ପଡିଥିବା ପାଦଚିହ୍ନରୁ ଏହା ସ୍ପଷ୍ଟ ଜାଣି ହେଉଛି ଯେ ଏହା ଜଣେ ଚୋରର କାମ । କିନ୍ତୁ ଜଣେ ଚୋର ଏତେ ବଡ ବସ୍ତା ଉଠାଇ ନେଇ ପାରିବା ତ ଆଦୌ ସମ୍ଭବ ନୁହେଁ । ତୁମେ ବସ୍ତା ଉଠାଇବାରେ ସେହି ଚୋରକୁ ନିଶ୍ଚୟ ସାହାଯ୍ୟ କରିଛ ।”

ବୀର ତା’ ମୁଣ୍ଡ ତଳକୁ କରି କହିଲା, “ମାଲିକ, ମୁଁ ତ କିଛିବି ଜାଣେ ନାହିଁ । ହାଲିଆ ହୋଇ ଶୋଇ ପଡିଥିଲି । ସକାଳୁ ନିଦ ଭାଙ୍ଗି ଦେଖେତ ଏପରି ସବୁ ଘଟିଛି ।”

ବୀର ଧମକ ଦେଇ କହିଲେ “କ୍ଷେତକୁ ଜଣେ ଆସିବାର ପାଦଚିହ୍ନ ପଡିଛି । ତୁମେ ସେହି ଜଣଙ୍କୁ ସାହାଯ୍ୟ ନକରିଥିଲେ ସେ କେବେବି ବସ୍ତା ଉଠାଇ ପାରି ନ ଥାନ୍ତା । ସତ କଥା କୁହ ।”

“ତେବେ କ’ଣ ଆପଣ ମୋ କଥାକୁ ବିଶ୍ୱାସ କରୁ ନାହାଁନ୍ତି ।” ନିକଟରେ ବଳଦକୁ ଖାଇବାକୁ ଦେଉଥିବା ଚନ୍ଦନ ଆଡକୁ ଚାହିଁ ସେ କହିଲେ, “ତେବେ ନିଜ ପୁଅକୁ ପଚାରନ୍ତୁ, ଡାଲି ବସ୍ତା କିଏ ଉଠେଇ ନେଇଛି?”

ଏହାଶୁଣି ଭରତ ଚନ୍ଦନକୁ କଡାସ୍ୱରରେ କହିଲେ, “ସତ କୁହ, ବସ୍ତା ଉଠାଇବାରେ କିଏ ତୁମକୁ ସାହାଯ୍ୟ କରିଛି?”

ଚନ୍ଦନ ନିଜର ଚୋରୀ ଧରା ପଡିଯାଇଥିବାର ଜାଣି ଲଜ୍ଜ୍ୟାରେ ଆପଣା ମୁଣ୍ଡ ତଳକୁ ପୋତି କହିଲା, “ମୋତେ କେହିବି ସାହାଯ୍ୟ କରି ନାହାଁନ୍ତି । ମୁଁ ନିଜେ ଉଠାଇଛି ।”

ତା’ର ଏପରି ଜବାବରେ ଭରତ ଅତ୍ୟନ୍ତ ଚକିତ ହୋଇଗଲେ । ଦୁଇଜଣ ବଳବାନ୍ ଲୋକ ଯେଉଁ ଭାରି ବସ୍ତା ଉଠାଇ ପାରିବେ ନାହିଁ, ତାହା ଭରତ ଉଠାଇ ନେଇଥିବା କଥା ସେ ଆଦୌ ବିଶ୍ୱାସ କରୁ ନ ଥିଲେ । ତେଣୁ ସେ କହିଲେ, “ତେବେ ତୁମେ କହୁଛ ଯେ, ଏକାକୀ ବସ୍ତା ନେଇଛ ତେବେ ମୋ ଆଗରେ ଆଉଥରେ ଉଠାଇ ଦେଖାଇଲ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ