ହାମେଲିନ୍ର ବିଚିତ୍ର ବଂଶୀବାଦକ

                ସେଦିନ ଶୁକ୍ରବାର ହୋଇଥାଏ । ଜଣେ ବିଚିତ୍ର ମୁଖଭଙ୍ଗୀର ଲୋକ ଲମ୍ବା ବଂଶୀଟିଏ ବଜାଇ ବଜାଇ ‘ଆମେ ଆସିଲୁ ହୋ ମୂଷାଧରାଳି’ ବୋଲି ଗାଇ ଗାଇ ସହର ମଧ୍ୟକୁ ପ୍ରବେଶ କଲା । ସେ ଲୋକଟିର ଚେହେରା ବଡ ବିଚିତ୍ର ଧରଣର । ସେ ଡେଙ୍ଗା ଓ ପତଳା ଗଢଣର ଏବଂ ତାର ଦେହର ରଙ୍ଗ ତମ୍ବାଳିଆ ଥିଲା । ତାର ବଙ୍କାନାକ ତଳେ ମୂଷାଲାଞ୍ଜ ପରି ନିଶ ଏବଂ ଲାଲକୁକୁଡା ପର ପରି ପଶମଟୋପି ତଳକୁ ତାର ହଳଦିଆ ଆଖି ଦୁଇଟି ବେଶ୍ ଝଲସି ଉଠୁଥିଲା । ସେ ଯାଯାବରମାନଙ୍କ ଭଳି ଚମଡା ବେଲ୍ଟ ଲାଗିଥିବା ଏକ ନୀଳକୁର୍ତା ଓ କମଳାରଙ୍ଗର ଗୋଟିଏ ପାଇଜାମା ଓ ପାଦରେ ଚମଡାସୂତା ଲାଗିଥିବା ଚମଡାଯୋତା ପିନ୍ଧିଥିଲା । ସେ ଲୋକଟି ଯେମିତି ହାମେଲିନ୍ ସହରର ମୁଖ୍ୟଗୀର୍ଜାରେ ଅଙ୍କା ଯାଇଥିବା ଚିତ୍ରଟିଏ ଭଳି ଦେଖା ଯାଉଥିଲା । ସେ ସହରର ମୁଖ୍ୟ ସ୍ଥାନରେ ଥିବା ଟାଉନ୍ହଲ୍ ସମ୍ମୁଖରେ ଥିବା ଗୀର୍ଜାକୁ ପଛ କରି ଠିଆହୋଇ ପୁଣି ଗାଇବାକୁ ଲାଗିଲା- ‘ଆମେ ଆସିଗଲୁ ହୋ ମୂଷାଧରାଳି’।

                ଠିକ୍ ସେଇଦିନ ସହରର ପୌରପରିଷଦ ବୈଠକରେ ଏଇ ମୂଷାମାନଙ୍କ ଉପଦ୍ରବ ସଂକ୍ରାନ୍ତରେ ଆଲୋଚନା ହେଉଥାଏ । ସେଇ ଅଜଣା ଲୋକଟି ପୌର ପରିଷଦର ପାରିଷଦମାନଙ୍କ ନିକଟକୁ ଖବର ଦେଲା ଯେ ସେମାନେ ଯଦି ତାକୁ ପାରିତୋଷକ ଦିଅନ୍ତି ତେବେ ରାତି ହେବା ପୂର୍ବରୁ ସହରକୁ ସେ ମୂଷାମାନଙ୍କୁ ଦୌରାତ୍ମ୍ୟରୁ ରକ୍ଷାକରିଦେବ ।

ସେଲୋକଟିର ଏଇ କଥାଶୁଣି ସହରର ଲୋକମାନେ ଉଚ୍ଚସ୍ୱରରେ କହିଲେ ‘ଏଲୋକଟି ଜଣେ ତାନ୍ତ୍ରିକ ତେଣୁ ତାପ୍ରତି ସାବଧାନ ରହିବା ଉଚିତ ।’

ଲୋକମାନଙ୍କ କଥାଶୁଣି ପୌରପରିଷଦର ମୁଖ୍ୟପାରିଷଦ କହିଲେ ‘ସେ ତାନ୍ତ୍ରିକ ହେଉ ବା ନହେଉ ତା କଥା ଯଦି ସତ ହୋଇଥାଏ ଏବଂ ଯଦି ସେ ଏଇ ଅନିଷ୍ଟକାରୀ ମୂଷାମାନଙ୍କୁ ଆମ ସହରରୁ ନେଇଯାଇ ଆମକୁ ସେହି ମୂଷାମାନଙ୍କ ଦାଉରୁ ରକ୍ଷାକରିବାକୁ ଆସିଥାଏ ତେବେ ସେ ଦାୟିତ୍ୱ ମୋ ଉପରେ ଛାଡିଦିଅ ।

ତା’ପରେ ସମସ୍ତେ ସେ ମୁଖ୍ୟପାରିଷଦଙ୍କ କଥାକୁ ସମର୍ଥନକରି କହିଲେ ‘ତାହା ହିଁ ହେଉ ।’

                ସେ ଲୋକଟିକୁ ମୁଖ୍ୟପାରିଷଦଙ୍କ ନିକଟକୁ ଅଣାଗଲା । ସେ ଲୋକଟି କହିଲା ‘ଯଦି ଆପଣମାନେ ମୋତେ ମୂଷାଙ୍କ ମୁଣ୍ଡପିଛା ଗୋଟିଏ କରି ମୁଦ୍ରା ଦେବେ ମୁଁ ସେମାନଙ୍କୁ ଆଜିସଂଧ୍ୟା ପୂର୍ବରୁ ନିଶ୍ଚୟ ଯମାଳୟକୁ ପଠାଇ ଦେବି । ଉପସ୍ଥିତ ଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ ‘ମୂଷାଙ୍କ ମୁଣ୍ଡପିଛା ଗୋଟିଏ କରି ମୁଦ୍ରା । ଏତ ଅନେକ ମୁଦ୍ରା ହେବ ।’

ଏଭଳି ପ୍ରସ୍ତାବ ଶୁଣି ମୁଖ୍ୟପାରିଷଦ ମୁଣ୍ଡକୁ ହଲାଇ ସମ୍ମତି ଜଣାଇ କହିଲେ ‘ତୁମ ସର୍ତ୍ତ ଅନୁସାରେ ମୂଷାଙ୍କ ମୁଣ୍ଡପିଛା ଗୋଟିଏକରି ମୁଦ୍ରା ଦିଆଯିବ ।’

ତା’ପରେ ସେ ବଂଶୀବାଦକ ଜଣକ ଘୋଷଣା କଲା ଯେ ସଂଧ୍ୟାରେ ଚନ୍ଦ୍ର ଉଦୟ ହେବାମାତ୍ରେ ସେ ତା କାର୍ଯ୍ୟ ଆରମ୍ଭ କରିବ ଏବଂ ସହରର ଅଧିକାରୀମାନେ ରାସ୍ତାଉପରୁ ଚାଲିଯାଇ ସେମାନେ ସେମାନଙ୍କ ଘରର ଝର୍କାରେ ସେ କରୁଥିବା କାର୍ଯ୍ୟର ଦୃଶ୍ୟକୁ ଦେଖିପାରିବେ । ହାମେଲିନ୍ ସହରର ଅଧିବାସୀମାନେ ଯେତେବେଳେ ବଂଶୀବାଦକର ସର୍ତ୍ତ ସମ୍ପର୍କରେ ଜାଣିବାକୁ ପାଇଲେ ସେମାନେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ କୁହାକୁହି ହେବାକୁ ଲାଗିଲେ ‘ମୂଷାମାନଙ୍କ ମୁଣ୍ଡପିଛା ଗୋଟିଏ କରି ମୁଦ୍ରା । ତେବେ ତ ଆମକୁ ବହୁତ ମୁଦ୍ରା ଦେବାକୁ ପଡିବ?’ ଲୋକମାନଙ୍କର ଏଭଳି ପ୍ରତିକ୍ରିୟା ଶୁଣି ସେ ସହରର ମୁଖ୍ୟପାରିଷଦ କହିଲେ, ‘ସେ କଥା ମୋ ଉପରେ ଛାଡିଦିଆଯାଉ’ । ଆଉ ସେ ହାମେଲିନ୍ ସହରର ବୃଦ୍ଧିଜୀବୀମାନେ ମଧ୍ୟ କହିଲେ, ‘ଠିକ୍ ଅଛି ଏକଥା ମୁଖ୍ୟପାରିଷଦଙ୍କ ଉପରେ ଛାଡି ଦିଆଯାଉ ।’


ଗପ ସାରଣୀ

ତାଲିକାଭୁକ୍ତ ଗପ