ଅତିଲୋଭର ପରିଣାମ

       ସାନଭାଇର କଥା ଶୁଣି ସାଧୁବାବାଙ୍କ ମନରେ ଦୟାହେଲା । ସେ ତାଙ୍କର କମଣ୍ଡଳୁ ଭିତରୁ ଗୋଟିଏ ପାତ୍ର ବାହାର କରି ସାନଭାଇକୁ ଦେଲେ ଓ କହିଲେ, “ବତ୍ସ! ଏଇ ପାତ୍ରଟିକୁ ନିଅ । ଏହା ଏକ ଯାଦୁପାତ୍ର । ଏହା ଉପରେ ହାତରଖି ଯାହା ମାଗିବ, ତୁମକୁ ସବୁ ମିଳିଯିବ । ହେଲେ ତୁମର ଯେତିକି ଲୋଡା ସେତିକି ମାଗିବ । ବେଶୀ ଲୋଭ କରିବ ନାହିଁ । ଆଉ ମନେରଖ, ମୁଁ ତୁମକୁ ଗୋଟିଏ ମନ୍ତ୍ର ଶିଖାଇ ଦେଉଛି । ସେହି ମନ୍ତ୍ର ଉଚ୍ଚାରଣ କରିବାମାତ୍ରେ ପାତ୍ରରୁ ଜିନିଷ ବାହାରିବା ବନ୍ଦ ହୋଇଯିବ ।”

       ସାନଭାଇ ଏଥର ପାତ୍ରଟିକୁ ଧରି ଖୁସିମନରେ ଘରକୁ ଫେରିଲା । ପାତ୍ର ଉପରେ ହାତରଖି ଖାଦ୍ୟପେୟ, ପୋଷାକପତ୍ର, ସୁନାଗହଣାଗାଣ୍ଠି, କୋଠାବାଡି ଆଦି ଯାହା ଦରକାର ସବୁ ମାଗିଲା ଓ ସଂଗେ ସଂଗେ ପାଇଗଲା ମଧ୍ୟ । ସାନଭାଇର ଚାଳଘରଟି ରାତାରାତି କୋଠାଘରରେ ପରିଣତ ହୋଇଯିବାରୁ ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ସାନଭାଇର ଆଉ କୌଣସି ଜିନିଷରେ ଅଭାବ ରହିଲା ନାହିଁ ।

       ଏହା ଦେଖି ବଡଭାଇ ମନରେ ଈର୍ଷା ଜାତ ହେଲା । ଏହାର କାରଣ ଜାଣିବା ପାଇଁ ସେ ସାନଭାଇକୁ ଗୋଟି ଗୋଟି କରି ସବୁ କଥା ପଚାରିଲା । ସତେଯେପରି ଆଜ୍ଞାବହ ଭାଇଟି ପରି ବଡଭାଇକୁ ସବୁ ସତକଥା କହିଦେଲା ସାନଭାଇ । ଏସବୁ ଯାଦୁପାତ୍ରର କରାମତି କହିବାରୁ ବଡଭାଇ ଏହି ପାତ୍ରଟିକୁ ସାନଭାଇଠାରୁ ମାଗି ଆଣିଲା । ତା’ର ଲୋଭ ହେଲା ଆହୁରି ସମ୍ପତି ପାଇବା ଲାଗି ।

       ଘରେ ପହଁଚି ସ୍ତ୍ରୀକୁ ସବୁକଥା କହି ଦୁହେଁ ବସିଗଲେ ଅଧିକ ଧନରତ୍ନ ପ୍ରାପ୍ତି ଆଶାରେ । ବଡଭାଇ ପାତ୍ରଟି ଉପରେ ହାତରଖି ଟଙ୍କା, ସୁନା ମାଗିଲା । ତହୁଁ ଟଙ୍କାସୁନା ବାହାରି ଗଦାହୋଇଗଲା, ଏବେ ଟଙ୍କା ସୁନା ପାହାଡ ଭଳି ଗଦା ହୋଇଗଲାଣି, ମାତ୍ର ବନ୍ଦ ହେଉ ନାହିଁ । କାରଣ ବନ୍ଦହେବା ମନ୍ତ୍ର ବଡଭାଇକୁ ଜଣା ନଥିଲା । ସାନଭାଇ ତା’ପାଖରେ ନାହିଁ, ମନ୍ତ୍ରକଥା କହିବ କିଏ? ଶେଷରେ ସ୍ୱାମୀ ସ୍ତ୍ରୀ ଦୁହେଁ ସେହି ଟଙ୍କା ସୁନା ପାହାଡ ଭିତରେ ପୋତିହୋଇ ମରିଗଲେ ।

       ଅତିଲୋଭରୁ ବଡଭାଇର ଏଭଳି ଦଶାହେଲା ବୋଲି ଲୋକମାନେ କୁହାକୁହି ହେଲେ । ଆଉ ନିଷ୍କପଟ ହୃଦୟଧାରୀ ସାନଭାଇ ଜୀବନସାରା ଖୁସିରେ ଦିନ କାଟିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ