ଥରେ ସ୍ୱର୍ଗରେ ଦେବତାମାନଙ୍କର ରାଜା ପଦ ଖାଲି ପଡିଲା । ସେଥି ଲାଗି ଭଗବାନ ଠିକ୍ କଲେ, ମର୍ତ୍ତ୍ୟର ଜଣେ ସର୍ବଗୁଣ ସମ୍ପନ୍ନ ବ୍ୟକ୍ତିଙ୍କୁ ସ୍ୱର୍ଗରେ ରାଜା ପଦରେ ନିଯୁକ୍ତି ଦେବେ । ଏହି କଥା ମର୍ତ୍ତ୍ୟରେ ପ୍ରଚାର ହୋଇଯିବା କ୍ଷଣି ମର୍ତ୍ତ୍ୟର ରାଜାମାନଙ୍କ ଭିତରେ ପ୍ରତିଦ୍ୱନ୍ଦିତା ଚାଲିଲା । ଏହି ପଦବୀ ପାଇଁ ରାଜାମାନେ ନିଜକୁ ପ୍ରସ୍ତୁତ କରାଇନେଲେ ।
ସେତେବେଳେ ସିଂକକ୍ ନାମକ ରାଜ୍ୟର ରାଜା ବି ଏହି ପଦ ଆଶାୟୀ ଥିଲେ । ସୁତରାଂ ନିଜ ରାଜ୍ୟର ପ୍ରଜାମାନଙ୍କୁ ସୁଶାସନ ଦେଇ ଏହାକୁ ଏକ ଆଦର୍ଶ ରାଜ୍ୟରେ ପରିଣତ କରିବାପାଇଁ ପ୍ରସ୍ତୁତି ଚଳାଇଲେ । ସେ ମନେ ମନେ ଭାବିଲେ ରାଜ୍ୟରେ ଥିବା ଅଳସୁଆ, ଠକ, ଚୋର, ମଦ୍ୟପ ଆଦି ଅପାରଗ ଲୋକଙ୍କୁ ରାଜ୍ୟରୁ ବାହାର କରି ଭଲ ଭଲ ଲୋକ ବାଛି ରଖିବାକୁ ହେବ ।
ତହୁଁ ରାଜାଙ୍କ ନିର୍ଦ୍ଧେଶରେ ରାଜକର୍ମଚାରୀମାନଙ୍କ ଦ୍ୱାରା ରାଜ୍ୟର ଖରାପ ଲୋକଙ୍କ ତାଲିକା ତିଆରି କରାଗଲା । ଏଭଳି ଲୋକଙ୍କୁ ରାଜ୍ୟକୁ ଲାଗିଥିବା କିନ୍ସୁର ନାମକ ଏକ ଦ୍ୱୀପକୁ ପଠାଇ ଦିଆଗଲା । ହେଲେ ସେଠାରେ ରାଜତ୍ୱ କରୁଥିବା ରାଜା ଏଭଳି ଆଦେଶକୁ ବିରୋଧ କଲେ ନାହିଁ, ବରଂ ଦ୍ୱୀପର ଲୋକସଂଖ୍ୟା ବଢିଯିବାରୁ ଖୁସି ହେଲେ ।
ଏଣେ ଖରାପ ଲୋକଙ୍କୁ ରାଜ୍ୟରୁ ତଡିଦିଆଯିବାରୁ ସାରା ରାଜ୍ୟରେ କାନ୍ଦ ବୋବାଳି ପଡିଗଲା । କାରଣ ପ୍ରତେକ ପରିବାରରୁ କେହି ନା କେହି ଜଣେ ଖରାପ ଲୋକ ଥିଲେ ଯିଏ ବିତାଡିତ ହୋଇଗଲେ । ସୁତରାଂ ପ୍ରଜାମାନେ ମନ ଦୁଃଖରେ ରହିଲେ ସିନା ରାଜାଙ୍କୁ କେହି କିଛି କହିପାରିଲେ ନାହିଁ । ପ୍ରଜାମାନଙ୍କର ଏଭଳି ଅବସ୍ଥା ରାଜା ଜାଣିଲେ ନାହିଁ କି ବୁଝିଲେ ନାହିଁ । ହେଲେ ରାଜାଙ୍କ ମନରେ ଧାରଣା ଆସିଗଲା ଯେ, ସବୁ ଭଲ ଭଲ ଲୋକଙ୍କୁ ନେଇ ଦେଶ ଆଦର୍ଶ ହୋଇଗଲା । ସୁତରାଂ ଏବେ ସ୍ୱର୍ଗରେ ରାଜପଦ ନିଶ୍ଚିତ ମିଳିଯିବ ।
ଏହି ସମୟରେ ଶୂନ୍ୟବାଣୀ ହେଲା – ଖୁବ୍ ନିକଟରେ ସ୍ୱର୍ଗର ରାଜପଦ ପାଇଁ ଯୋଗ୍ୟ ରାଜାଙ୍କ ନାମ ଘୋଷଣା କରାଯିବ । ଏକଥା ଶୁଣି ସିଂକକ୍ର ରାଜା ଭାରି ଖୁସି ହୋଇଗଲେ । ସ୍ୱର୍ଗର ରାଜା ହେବା ଆଶାରେ ତାଙ୍କୁ ରାତିରେ ନିଦ ଲାଗିଲା ନାହିଁ ।