ନାନା ପ୍ରକାରର ପଙ୍ଖା ଜଣେ ରାଜା ରଖିବାକୁ ଖୁବ୍ ଭଲ ପାଉଥିଲେ, ଦିନେ ଖରାବେଳେ କେହି ଜଣେ “ଅଦ୍ଭୁତ ପଙ୍ଖା ନିଅ” ବୋଲି ଡାକି ଡାକି ସେହି ରାଜାଙ୍କ ରାଜପ୍ରାସାଦ ପାଖରେ ଯାଉଥିଲା । ଏହା ଶୁଣି ରାଜା ତାକୁ ତୁରନ୍ତ ଡକାଇ ପଠାଇଲେ ଓ ପଚାରିଲେ “ଏଥିରେ ଏପରି କ’ଣ ଅଦ୍ଭୁତ ଅଛି?”
ତା’ପରେ ସେ ପଙ୍ଖାବାଲା କହିଲା “ହଜୁର ଇଏ ବଡ ଅଦ୍ଭୁତ ପଙ୍ଖା, ଏହା ଯୋଗୁଁ ବର୍ଷ ବର୍ଷ ଧରି ମୋ ବ୍ୟବସାୟ ଚାଲୁଛି ।”
ତା’ର ଏପରି କଥା ଶୁଣି ରାଜା ତାକୁ ପଚାରିଲେ “ଆଚ୍ଛା, ଏହାର ଦାମ୍ କେତେ?”
ତହୁଁ ସେ ପଙ୍ଖାବାଲା କହିଲା “ଦାମ୍ ତ ବହୁତ; ତେବେ ମୁଁ ଆପଣଙ୍କଠାରୁ ଗୋଟିଏ ପଙ୍ଖା ପାଇଁ ମାତ୍ର ପଚାଶଟି ମୋହର ନେବି ।”
ଏକଥା ଶୁଣି ରାଜା କହିଲେ “କ’ଣ କହିଲ? ଗୋଟିଏ ପଙ୍ଖାର ଦାମ୍ ପଚାଶ ମୋହର! ସେଥିରେ ପୁଣି କହୁଛ କଣନା ଶସ୍ତାରେ ଦେଉଛ? ଏହା ତ ବଡ ଆଶ୍ଚର୍ଯ୍ୟ କଥା!”
ରାଜାଙ୍କ କଥା ଶୁଣି ପଙ୍ଖାବାଲା ଦୃଢତାର ସହିତ କହିଲା “ମହାରାଜ, ଆପଣ ଚାହିଁଲେ ପରୀକ୍ଷା କରି ବି ଦେଖିପାରନ୍ତି, ନହେଲେ ଆପଣ ମୋତେ ଯାହା ଇଚ୍ଛା ତାହା ଦଣ୍ଡ ଦେବେ ।”
ଏହାପରେ ସେ ରାଜା ପଚାଶଟି ମୋହର ଦେଇ ସେହି ଅଦ୍ଭୁତ ପଙ୍ଖା ତା’ଠାରୁ କିଣିଲେ ଓ କହିଲେ, “ଠିକ୍ ଅଛି, ମୁଁ ଏଇଟି ବ୍ୟବହାର କରି ଦେଖେ!”
ଏହାଶୁଣି ସେ ପଙ୍ଖାବାଲା ପୁଣି କହିଲା “ହଜୁର୍ ଆଜ୍ଞା ଦେଲେ ମୁଁ ଆପଣଙ୍କୁ ଏହାର ବ୍ୟବହାରବିଧି ବତାଇ ଦିଅନ୍ତି ।”
ପଙ୍ଖାବାଲାର ଏଭଳି କଥା ଶୁଣି ରାଜା କହିଲେ “କ’ଣ କହୁଛ? ପଙ୍ଖା ବ୍ୟବହାର ମୁଁ ଜାଣେନାହିଁ ବୋଲି ଭାବୁଛ? ଆଚ୍ଛା ଏବେ ତମେ ଯାଅ । ଠିକ୍ ମାସକ ପରେ ଆସିବ ।”
ଏଥୁଅନ୍ତେ ସେ ପଙ୍ଖାବାଲା ସେଠାରୁ ଚାଲିଗଲା । ରାଜା ବିଛଣାରେ ଟିକେ ଗଡପଡ ହେଲେ ଓ ହାତରେ ସେ ନୂଆ ପଙ୍ଖା ଧରି ଚଳାଇଲେ । କିନ୍ତୁ ସେ ନୂଆ ପଙ୍ଖାରେ ସେମିତି କିଛି ବିଶେଷତା ନଥିଲା । ଏହିପରି ସପ୍ତାହେ ବିତିଗଲା ।
ଦିନେ ରାଜା ହାତରେ ପଙ୍ଖା ଧରି ଘୁରାଉଥିଲେ ହଠାତ୍ ସବୁ ପତ୍ରଗୁଡିକ ପଡିଗଲା ଆଉ ରାଜାଙ୍କ ହାତରେ କେବଳ ମାତ୍ର ଡାଙ୍ଗଟି ହିଁ ଥାଏ । ଯୋଗକୁ ଠିକ୍ ସେଇଦିନ ବି ମାସେ ପୁରିଥାଏ ଓ ପଙ୍ଖାବାଲା ନିର୍ଭୟରେ ଆସି ରାଜାଙ୍କ ପାଖରେ ପହଁଚିଲା ଓ କହିଲା, “ହଜୁର, ଆପଣଙ୍କ ନିର୍ଦ୍ଧେଶ ଅନୁସାରେ ମୁଁ ଠିକ୍ ସମୟରେ ଆସି ପହଁଚିଛି ।”
ତା’କୁ ତ ଦେଖିବା ମାତ୍ରେ ସେ ରାଜା ରାଗି ପୁରା ଲାଲ୍ ହୋଇଯାଇ କହିଲେ, “ତୁମେ ଜଣେ ବଡ ଠକ ।”
ଏଭଳି କଥା ଶୁଣି ପଙ୍ଖାବାଲା ପଚାରିଲା “କାହିଁକି, ହଜୁର? କ’ଣ ହେଲା କି?”
ତା’ପରେ ରାଜା ସେ ପଙ୍ଖାର ଖାଲି ଡାଙ୍ଗଟି ଧରି ପଚାରିଲେ, “ତମେ ନିଜ ପଙ୍ଖାକୁ ଚିହ୍ନି ପାରୁଛ?”
ଏସବୁ ଦେଖି ପଙ୍ଖାବାଲା ଆଦୌ ନ ଡରି କହିଲା, “ହଜୁର, ମୁଁ ତ ପଙ୍ଖା ବିକିବାବେଳେ କହିଥିଲି କି ଏହାର ଚଳାଇବାର ଏକ ବିଶେଷବିଧି ଅଛି ।”
ତା’କଥା ଶୁଣି ରାଜା ଆଶ୍ଚର୍ଯ୍ୟ ହୋଇ ପଚାରିଲେ “ସିଏ ପୁଣି କ’ଣ?”
ଏହାପରେ ପଙ୍ଖାବାଲା କହିଲା “ମୁଁ କହିଥିଲି ନା ହଜୁର୍ ଏହାର କିଛି ବିଶିଷ୍ଟତା ଅଛି? ଏଇଟିକୁ ହାତରେ ଧରିଥିବେ । ମାତ୍ର ହାତ ହଲିବ ନାହିଁ, କେବଳ ମୁଣ୍ଡ ଓ ଦେହ ହଲୁଥିବ ତେବେ ଯାଇ ଏହାର ବିଶିଷ୍ଟତା ଆପଣ ଠିକ୍ ବୁଝିପାରିବେ ।”
ଏପରି କଥା ଶୁଣି ସେ ରାଜା ନ ହସି ଆଉ ରହିପାରିଲେ ନାହିଁ । ପରିଶେଷରେ ସେ କହିଲେ, “ମୁଁ ଅନେକ ପ୍ରକାର ପଙ୍ଖା ରଖିଛି, ହେଲେ ତୁମ ପଙ୍ଖାଭଳି ଏକ ଅଜବ ପଙ୍ଖା ମୁଁ କେବେବି ଦେଖିନାହିଁ । ଏଥିରୁ ମୋର ମନେ ହେଉଛି ମୋଠାରୁ ତୁମର ଅଭିଜ୍ଞତା ଯଥେଷ୍ଟ ଅଧିକ । ତେଣୁ ମୁଁ ଆଜିଠାରୁ ତୁମକୁ ମୋର ପଙ୍ଖାମାନଙ୍କୁ ଯତ୍ନ କରି ରଖିବା କାମରେ ନିଯୁକ୍ତ କଲି ।” ରାଜାଙ୍କ ଏଭଳି ଘୋଷଣା ଶୁଣି ସେ ପଙ୍ଖାବାଲା ତ ମହା ଖୁସି ।