ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଅଣଅଜା

ଜୟସିଂହ ରାଜାଙ୍କ ସୈନ୍ୟ ବାହିନୀର ଏକ ନାମକରା ସୈନ୍ୟ ଥିଲେ । ମଧ୍ୟବୟସରେ ସେ ସୈନ୍ୟବାହିନୀରୁ ଛୁଟି ପାଇ ଘରେ ବସି ରାଜାଙ୍କଠାରୁ ମାସିକ ଖର୍ଚ୍ଚ ପାଇ ଅତି ଆନନ୍ଦରେ ଚଳୁଥାଆନ୍ତି । ଦିନେ ସେ କିଛି କାର୍ଯ୍ୟବଶତଃ ରାଜଧାନୀକୁ ଯାଇଥିଲେ । ସେଠାରେ ଗୋଟିଏ ଚିତ୍ର ଦୋକାନରେ ସେ ଜଣେ ବୀର ସୈନିକଙ୍କର ତୈଳଚିତ୍ର ଦେଖିଲେ । ସେ ବଡ ଆନନ୍ଦରେ ସେହି ଚିତ୍ରଟିକୁ ନିରେଖି ଦେଖିଲେ ।

ତାଙ୍କର ଏ ଭାବ ଦେଖି ଦୋକାନୀ କହିଲା, “ଇଏ ଜଣେ ଛଶହ ବର୍ଷ ତଳର ବୀର ସୈନିକ । ସେ ଥରେ ତାଙ୍କ ତଲବାର ଖୋଳରୁ ବାହାର କଲେ ନିହାତି କମ୍ରେ ଏକଶହ ଏକ ଶତ୍ରୁଙ୍କୁ ହାଣି ସାରିଲେ ପୁଣି ଥରେ ଖୋଳରେ ରଖୁଥିଲେ । ଆପଣଙ୍କର ଯଦି ଏହି ଚିତ୍ରଟି ପସନ୍ଦ ହୋଇଛି ତେବେ ନେଇଯା’ନ୍ତୁ । ଆମ ଦୋକାନରେ ମୂଲଚାଲ କରିବାର କୌଣସି ନିୟମ ନାହିଁ । ଚିତ୍ରଟିର ଦାମ୍ ଦୁଇହଜାର ମୁଦ୍ରା ।” ଜୟସିଂହ ନିଜ ପଇସା ଗଣି ଦେଖିଲେ ଶହେ ଟଙ୍କା କମ୍ ପଡୁଛି । ତେଣୁ ସେ ହତାଶ ହୋଇ କିଣିବାର ଆଉ ପ୍ରଶ୍ନ ନ ଉଠାଇ ସେଠୁ ଫେରି ଆସିଲେ । ମାସକ ପରେ ଥରେ ସେ ନିକଟସ୍ଥ ଗ୍ରାମରେ ଥିବା ସୈନ୍ୟବାହିନୀର ଜଣେ ଅବସର ପ୍ରାପ୍ତ ବନ୍ଧୁ ସୈନ୍ୟଙ୍କ ଘରକୁ ବୁଲି ଯାଇଥିଲେ । ସେଠାରେ ସେ ଦେଖିଲେ ପୂର୍ବୋକ୍ତ ତୈଳଚିତ୍ରଟି ବଡ ଯତ୍ନର ସହିତ ରଖା ହୋଇଛି । ସେ ଆଶ୍ଚର୍ଯ୍ୟ ହୋଇ ସେଇ ଆଡେ ଅନାଇଥାଆନ୍ତି । ଏହା ଦେଖି ସେ ବନ୍ଧୁ ଜଣକ କହିଲେ, “ଆରେ ଏତେ ଆଶ୍ଚର୍ଯ୍ୟ ହୋଇ କ’ଣ ଦେଖୁଛ । ସେ ତ ମୋର ଅଣଅଜାଙ୍କ ଚିତ୍ର । ଶୁଣିଥିବ ବିଖ୍ୟାତ ରୁଦ୍ରପୁର ଯୁଦ୍ଧରେ କେବଳ ତାଙ୍କରି ଯୋଗୁଁହିଁ ଶତ୍ରୁମାନେ ରାଜ୍ୟ ଛାଡି ପଳାଇଲେ । ସେ ହଜାର ହଜାର ଶତ୍ରୁସୈନ୍ୟ ମାରିଥିଲେ ଓ ଶେଷକୁ ସେ ନିଜେ ମଧ୍ୟ ବୀରଗତିଙ୍କୁ ପ୍ରାପ୍ତ କରିଥିଲେ ।”

ସବୁକଥା ଧୈର୍ଯ୍ୟଧରି ଶୁଣିବା ପରେ ଜୟସିଂହ ଏକ ଦୀର୍ଘ ଶ୍ୱାସ ପକାଇ କହିଲେ, “ହାୟ, ମୋ ପାଖରେ ଅଧିକ ଶହେ ମୁଦ୍ରା ଥିଲେ, ଇଏବିତ ମୋର ଅଣଅଜା ହୋଇଥା’ନ୍ତେ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ