ବାରାଣସୀରେ ବ୍ରହ୍ମଦତ ନାମରେ ଜଣେ ରାଜା ଥିଲେ । ତାଙ୍କର ପାଟରାଣୀଙ୍କ ଗର୍ଭରେ ବୋଧିସତ୍ୱ ପୁତ୍ରରୂପେ ଜନ୍ମଗ୍ରହଣ କରିଥିଲେ । ବୋଧିସତ୍ୱ ବୟଃପ୍ରାପ୍ତ ହେବାରୁ ଗୁରୁଙ୍କ ନିକଟରୁ ବିବିଧ ଶାସ୍ତ୍ର ଶିକ୍ଷାକରି ପାରଙ୍ଗମ ହେଲେ ଓ ପିତାଙ୍କ ମୃତ୍ୟୁ ପରେ ରାଜସିଂହାସନ ଆରୋହଣ କଲେ । ତାଙ୍କର ନ୍ୟାୟପୂର୍ଣ୍ଣ ଶାସନରେ ରାଜ୍ୟରେ ସର୍ବତ୍ର ସୁଖଶାନ୍ତି ବିଦ୍ୟମାନ ଥିଲା ।
ପଶାଖେଳ ବୋଧିସତ୍ୱଙ୍କର ଅତି ପ୍ରିୟ ଥିଲା ଓ ପ୍ରାୟ ପ୍ରତିଦିନ ସେ ରାଜପୁରୋହିତଙ୍କ ସହିତ ପଶା ଖେଳୁଥିଲେ । ରୁପାର ପଶାପାଲି ଓ ସୁନାର ପଶାକାଠି ଘେନି ଦୁଇ ବନ୍ଧୁଙ୍କର ଖେଳ ହେଉଥିଲା । ରାଜା ଖେଳିବା ସମୟରେ ଗୋଟିଏ କବିତା ବୋଲୁଥିଲେ-
ବିଧାତା ବିଧାନ ନୁହଁଇ ଆନ
ନଦୀଜଳ କରେ ନୀଚ ଗମନ;
ପରପୁରୁଷରେ ରସେ ଯୁବତୀ
ଅଛି କେଉଁ ନାରୀ ନୋହି ଅସତୀ?
ପଶାକାଠି ପକାଇଲାବେଳେ ରାଜା ଏହି ପଦଟି ବୋଲନ୍ତି ଓ ତାଙ୍କ ଇଚ୍ଛା ଅନୁସାରେ ଦାନ ପଡେ । ଫଳରେ ରାଜା ଖେଳରେ ଜିତନ୍ତି । ବାଜିରଖି ଖେଳ ହେଉଥାଏ । କ୍ରମେ ରାଜପୁରୋହିତ ସବୁ ହରାଇବାକୁ ବସିଲେ । ସେ ଭାବିଲେ, “ରାଜା କହୁଛନ୍ତି ଯେ ନାରୀମାନେ ଅସତୀ । ମୁଁ ଯଦି ଗୋଟିଏ ସତୀ ସ୍ତ୍ରୀ ଦେଖେ ତେବେ ରାଜାଙ୍କର କଥା ମିଥ୍ୟା ହେବ ଓ ସେ ନିଶ୍ଚୟ ହାରିବେ ।” ତେଣୁ ସେ ଗୋଟିଏ ସ୍ତ୍ରୀର ସନ୍ଧାନ ନେଲେ; କିନ୍ତୁ କାହାକୁ ସତୀ ବୋଲି କିପରି ଜାଣିବେ?