ଚମ୍ପାହାଟ ଗାଁ ଭିତର ଦେଇ ସେଦିନ ଜଣେ ଯୁବକ ଗୋଟାଏ ଘୋଡାର ଲଗାମ୍ ହାତରେ ଧରି, ଘୋଡା ଉପରେ ନବସି ଘୋଡା ସାଥେ ସାଥେ ଦୌଡିବାର ଦେଖାଗଲା । ଗାଁ ମୁଣ୍ଡ ଚଟିଘର ପିଣ୍ଡାରେ ହାଲିଆ ହୋଇ ସେ ଯୁବକଟି ବସି ପଡିବାରୁ ଚଟିଘର ମାଲିକ ଅର୍ଜୁନ ଦାସ ତାକୁ ପଚାରିଲେ, “ବାବୁ, ତମେ ଘୋଡା ସାଙ୍ଗରେ ଏଭଳି ଦୌଡୁଛ କାହିଁକି?”
ତହୁଁ ସେ ଯୁବକ ଜଣକ କହିଲା “ମୋର ଜମାଳସାହି ଗାଁରେ ଖୁବ୍ ଶୀଘ୍ର ପହଁଚିବା ଦରକାର ।”
ଅର୍ଜୁନ ଦାସ ପଚାରିଲେ “ତେବେ ତମେ ଘୋଡାରେ ସବାର ହେଉନାହଁ କାହିଁକି?”
ଏହା ଶୁଣି ସେ ଯୁବକଟି ମୃଦୁ ଭାବରେ ହସିଦେଲା । ଏଡେ ସହଜରେ ସେ ରହସ୍ୟଟି ପ୍ରକଟ କରିବାକୁ ଚାହୁଁ ନଥିଲା । ଯାହାହେଉ, ଅର୍ଜୁନ ଦାସ ପୁଣି ତାକୁ ପଚାରିବାରୁ ସେ କହିଲା, “ମୁଁ ତ ପ୍ରଥମେ ଚାଲି ଚାଲି ଯିବାକୁ ବାହାରିଥିଲି । କିନ୍ତୁ ମୋ କକା କହିଲେ ଯେ, ଘୋଡାରେ ଯା, କାରଣ ଦୁଇ ଗୋଡ ଅପେକ୍ଷା ଚାରିଗୋଡରେ ଗଲେ ଶୀଘ୍ର ପହଁଚି ହେବ । ମୁଁ ଭାବି ଦେଖିଲି, ଛଅ ଗୋଡରେ ଗଲେ ତ ଆହୁରି ଶୀଘ୍ର ପହଁଚି ହେବ । ତେଣୁ ଘୋଡାର ଚାରିଗୋଡ ସହ ମୋର ଦୁଇଗୋଡ ମିଶାଇ ମୁଁ ଦୌଡୁଛି । ଏବେ ବୁଝିଲ?”
ଅର୍ଜୁନ ଦାସ ତାଙ୍କ ଜୀବନରେ ଏଭଳି ଜ୍ଞାନ କେବେବି ପାଇ ନଥିଲେ!