ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଅଦ୍ଭୁତ ଦର୍ପଣ

ନିଶା ଗରଜୁଥାଏ । ଠିକ୍ ସେତିକିବେଳେ ବାହାରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଏଣେ ସାଏଁ ସାଏଁ ଶବ୍ଦ ବଣ ଗହନରୁ ଶୁଭୁଥାଏ । ମଝିରେ ମଝିରେ ପୁଣି ଶ୍ୱାନ ଶ୍ୱାପଦଙ୍କ ରଡି ସହିତ ଅଶରିରୀମାନଙ୍କ ଅଟ୍ଟହାସ୍ୟ ବି ଶୁଣାଯାଉଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।

                କିନ୍ତୁ ରାଜା ବିକ୍ରମାର୍କ ଟିକିଏ ହେଲେ ବି ଦ୍ୱିଧା ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଏବଂ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ, ରାଜା ତାକୁ ନିଜ କାନ୍ଧରେ ପକାଇ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ରାଜା, ତମେ ନିଶ୍ଚୟ କୌଣସି ଅଦ୍ଭୁତ ଚିଜ ପାଇବାକୁ ଏପରି କରୁଛ । ଅଦ୍ଭୁତ ଚିଜମାନଙ୍କର ଗୁଣ ସବୁବେଳେ କାମ କରେନା । ତା’ଛଡା ସେମାନଙ୍କ ଶକ୍ତି ମଧ୍ୟ ସୀମିତ । ଏହି କଥାଟିର ମର୍ମ ବୁଝାଇଦେବା ନିମନ୍ତେ ମୁଁ ତୁମକୁ ଗୋଟାଏ କାହାଣୀ କହୁଛି । ମନଦେଇ ମୋ କାହାଣୀଟି ଶୁଣ । ଏହାକୁ ଶୁଣିଲେ ତୁମର ଶ୍ରମଭାର ଲାଘବ ମନେ ହେବ ।”

                ଏହାପରେ ସେ ବେତାଳ ଗପିଲା : କଳିଙ୍ଗର ଏକ ଅରଣ୍ୟରେ ଜୟେନ୍ଦ୍ର ନାମକ ଜଣେ ଋଷି ଥିଲେ । ତାଙ୍କଠାରୁ ଶାସ୍ତ୍ର, ଦର୍ଶନ, ରାଜନୀତି ଇତ୍ୟାଦି ଶିଖିବା ନିମନ୍ତେ ତାଙ୍କ ଆଶ୍ରମରେ କେତେଜଣ ଯୁବକ ସର୍ବଦା ରହୁଥାନ୍ତି । ଏକଦା ଯଦୁପୁର ନାମକ ରାଜ୍ୟର ରାଜକୁମାର ଭୂଦେବ ମଧ୍ୟ ତାଙ୍କ ପାଖରେ ଶିକ୍ଷା ଲାଭ କରୁଥିଲେ । ତେବେ, ତାଙ୍କ ପିତାଙ୍କ ଦେହ ବିଶେଷ ଭାବରେ ଖରାପ ହେବାର ଖବର ପାଇ ସେ ରାଜଧାନୀକୁ ଫେରିଯିବା ନିମନ୍ତେ ଗୁରୁଙ୍କୁ ଅନୁମତି ମାଗିବାକୁ ଯିବାରୁ ଗୁରୁ କହିଲେ, “ବତ୍ସ, ରାଜ୍ୟଶାସନ ସକାଶେ ଯେଉଁ ଭଳି ଶିକ୍ଷା ଦୀକ୍ଷା ଲୋଡା, ତାହା ତୁମେ ଆୟତ କରି ସାରିଛ । ଏଥର ଯାଇ ଅସୁସ୍ଥ ପିତାଙ୍କ ତରଫରୁ ରାଜକାର୍ଯ୍ୟ ବୁଝାବୁଝି କର । ତୁମକୁ ଗୋଟାଏ ଅଦ୍ଭୁତ ଚିଜ ଦେଉଛି ।” ଏହା କହି ସେ ଋଷି ଖଣ୍ଡିଏ ଦର୍ପଣ ବାହାର କରି ତାଙ୍କୁ ଦେଖାଇଲେ ଓ କହିଲେ, “ଯେକୌଣସି ଲୋକକୁ ଦର୍ପଣ ଆଗରେ ଠିଆ କରାଇ ତା’ର ଗୁଣ ବା ଦୁର୍ଗୁଣ ସମ୍ପର୍କରେ ଦର୍ପଣକୁ ପଚାରିଲେ ଦର୍ପଣ ତତ୍କ୍ଷଣି କହିଦେବ । ଏହା ତମ ସେବାରେ ଲାଗିପାରେ । ତେବେ ଯେଉଁଦିନ ଏହା ଉପରୁ ତୁମ ଆଗ୍ରହ ତୁଟିଯିବ, ସେଦିନ ତୁମେ ଏହା ମୋତେ ଫେରାଇଦେବ ।”

ଏହାପରେ ଭୂଦେବ ଗୁରୁଙ୍କ ପ୍ରତି କୃତଜ୍ଞତା ଜଣାଇ ଯଦୁପୁର ଚାଲି ଆସିଲେ । କିଛିଦିନ ପରେ ରାଜାଙ୍କ ମୃତ୍ୟୁ ହୁଅନ୍ତେ ସେ ସିଂହାସନ ଆରୋହଣ କଲେ ।

ଦର୍ପଣ ତାଙ୍କର ବହୁତ କାମ ଦେଲା । ମନ୍ତ୍ରୀ, ଅମାତ୍ୟ, ଦୂତ ଇତ୍ୟାଦିଙ୍କ ସମ୍ପର୍କରେ ଭଲ ମନ୍ଦ ସେ ଦର୍ପଣର କରାମତିରୁ ଠିକ୍ ଜାଣି ପାରିଲେ । କ୍ରମେ ସେହି ଦର୍ପଣର ଖ୍ୟାତି ମଧ୍ୟ ଚତୁର୍ଦ୍ଦିଗରେ ବ୍ୟାପି ଗଲା ।

ଦିନେ ମଗଧ ରାଜ୍ୟରୁ ତିନିଜଣ ଯୁବକ ଆସି ତାଙ୍କୁ ଦେଖା କଲେ । ସେମାନଙ୍କ ଭିତରୁ ଜଣେ ମଲ୍ଲଯୋଦ୍ଧା, ଜଣେ ଖଡ୍ଗ ଯୋଦ୍ଧା ଏବଂ ଆଉ ଜଣେ ତୀରନ୍ଦାଜ । ସେମାନେ କହିଲେ, “ମହାରାଜ! ଆମ ଭିତରୁ ସବୁଠାରୁ ଦକ୍ଷ କିଏ, ସେକଥା ଆମ ଦେଶର ରାଜା ସ୍ଥିର କରିପାରୁ ନାହାଁନ୍ତି କିମ୍ବା ଆଉ କେହି ମଧ୍ୟ ସେ ବିଷୟରେ କୌଣସି ସିଦ୍ଧାନ୍ତ କରିପାରୁ ନାହାଁନ୍ତି । ଆମେ ଶୁଣିଲୁ ଯେ ଆପଣଙ୍କ ପାଖରେ ଏକ ଅଦ୍ଭୁତ ଦର୍ପଣ ରହିଛି । ଅନୁଗ୍ରହ କରି ତାହା ସାହାଯ୍ୟରେ ଥରେ ଖାଲି ଆପଣ ଆମର ଏ ସମସ୍ୟାର ସମାଧାନ କରିଦିଅନ୍ତୁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ