ବିଜେ ନରହରିପୁର ଶାସନମୁଣ୍ଡ ସାହାଲା ଘରକୁ ଛାଡି ପଚାଶ ଷାଠିଏ କଦମ ଦୂରରେ ବଳଦେବଙ୍କ ପୂଜାପିଣ୍ଡି ବା ମଣ୍ଡପ । ଗ୍ରାମ ଦିଗକୁ ଛାଡି ସେ ପିଣ୍ଡିର ଆଉ ତିନିପଟରେ ପାଂଚଶାଲି, ଦଶଶାଲି, ମଧ୍ୟଭଳି ଅତି ପୁରୁଣା ବୁଢା, ଗଣତିରେ ଶହେ ସାତ ନଡିଆଗଛ । ଏଗୁଡିକ ସବୁ ଶାସନ ମହାଜନଙ୍କ କୋଠ ଗଛ । ଫଳ ଏକ ସଙ୍ଗରେ ତୋଳାଯାଇ ଭାଗପିଛେ ବାଂଟ ହୁଏ ।
ସକାଳ ଓଳି ବେଳ ଘଡିକ ସମୟରେ ନଡିଆଗଛ ମୂଳରେ ଜଣ ପଚାଶ ବ୍ରାହ୍ମଣଗୋସାଇଁ ବିଜେ ହୋଇଛନ୍ତି । ପୁରୁଖା ପୁରୁଖା ଭଳିଆ ଆଉ ମର୍ଯ୍ୟାଦାବନ୍ତ ପୁଣି ଦୂର – ଗାଁରୁ ଆସିଥିବା ବନ୍ଧୁମାନେ ନଡିଆପତ୍ର ବୁଣା ଚଟେଇରେ ବସିଛନ୍ତି, ବାକି ଆଉ ସମସ୍ତଙ୍କର ଭୂମ୍ୟାସନ । ଏଣେ ସେ ଶାସନ ପିଲାଗୁଡାକ ସକାଳୁଁ ସଞ୍ଜଯାଏଁ ନଡିଆ ଚୋରେଇ ତଳେ ଧାଁଦଉଡ ହୋ-ହୋ ପାଟିକରି ଖେଳୁଥାନ୍ତି, ମାତ୍ର ଆଜି ସେମାନଙ୍କ ପାଟିରେ କିଛି ବି କଥା ନାହିଁ । ଯୋଡିକୁ ଯୋଡି, ପୁଞ୍ଜାକୁ ପୁଞ୍ଜା ପିଲା ଖୁବ୍ ଦୂରେଇ ଦୂରେଇ ଭିତରେ ବୁଲି ବୁଲି ଗୋସାଇଁମାନଙ୍କ ସଭା ଦେଖୁଛନ୍ତି । ସେମାନେ ବି ତାଙ୍କ ମନ ମଧ୍ୟରେ ଯେମନ୍ତ ବୁଝିଛନ୍ତି, ଆଜି ଏ ଗାଁରେ ଭାରି ଗୋଟାଏ କଣ ହେବ । ଶାସନ ଗୋସେଇଁମାନଙ୍କୁ ଛାଡି ଆହୁରି ବି ଆଠ ଦଶଜଣ ଦୂରଦୂରାନ୍ତର ଗାଁର ଗୋସେଇଁମାନେ ଆସି ଏଠାରେ ଉପସ୍ଥିତ, ବିପଦଗ୍ରସ୍ତ ବନ୍ଧୁମାନଙ୍କୁ ସଙ୍ଖୁଳିବା ପାଇଁ ସେମାନେ ଆସିଛନ୍ତି । ଭେଣ୍ଡିଆ ଜଗୁପତିଏ ଦୁଇଗୋଡ ପାପୁଲିରେ ଗୋଟିଏ ପଥରକୁଣ୍ଡି ଜାକି ଧରି ମୁଣ୍ଡ ପୋତି ଗୋଟିଏ ନାସଘୋଟା ବାଡିରେ ଘଡର ଘଡର କରି ନାସ ଘୋଟୁଥିଲେ । ଘୋଟା ହୋଇଗଲା । ଆଗେ ମୁରବି ଭଳିଆ ଲୋକଙ୍କ ଆଗରେ, ପଛରେ ଆଉ ଆଉ ମହାଜନଙ୍କ ଆଗରେ କୁଣ୍ଡି ଦେଖାଇଲେ । ସମସ୍ତେ ଟିପେ ଟିପେ ସେଥିରୁ ନାସ ନେଇ ସୁଁ-ସୁଁ କରି ନାକ ଦୁଇପୁଡାରେ ଗୁଞ୍ଜିଦେଲେ ।
ନାସ ଶୁଙ୍ଘାଶୁଙ୍ଘି ବାଦେ ପ୍ରଥମେ ଲକ୍ଷ୍ମଣ ମିଶ୍ରେ ପଚାରିଲେ, “ମାମୁ! କର୍ଜାଟା ତୁମ ଅଙ୍ଗିତା, ନା ଅଜାଙ୍କ ଦେହକର?” (ଲକ୍ଷ୍ମଣ ମିଶ୍ରେ ଦିବାକର ଦ୍ୱିବେଦୀଙ୍କ ଭଣଜା, ଏଂଟ୍ରାନ୍ସ ପାସ୍, ଗୋଟାଏ ମାଇନର ସ୍କୁଲର ହେଡମାଷ୍ଟର ସେ । ମାମୁଙ୍କ ଏଭଳି ବିପଦ କଥା ଶୁଣି ଆଉ ବନ୍ଧୁଙ୍କ ପରି ସେ ବି ସଙ୍ଖୁଳି ଆସିଛନ୍ତି ।)