ଜଗୁଦାସ ରାମପୁର ଗ୍ରାମର ଜଣେ ଧନୀ ଚାଷୀ ଥିଲେ । ଚାଷ ଛଡା ତାଙ୍କର ଦୋକାନଟିଏ ଥାଏ ସେଥିରୁ ମଧ୍ୟ ବହୁତ ଟଙ୍କା ରୋଜଗାର ହୁଏ । କିନ୍ତୁ ସେ ଟିକିଏ ଲୋଭୀ ପ୍ରକୃତିର ବ୍ୟକ୍ତି ଥିଲେ । ଧାନ ଅମଳ ସମୟରେ ସେ ପତ୍ନୀକୁ ଦୋକାନ ଜଗାଇ ଦେଇ ନିଜେ ଜମିପାଖରେ ଥାଏ ।
ଧାନ ଅମଳ ପରେ ସବୁ ଚାଷୀମାନେ ଗରୀବ ଲୋକଙ୍କୁ କିଛି ନା କିଛି ଦାନ ଦେଇଥାନ୍ତି । ତେବେ ଲୋଭୀ ଜଗୁଦାସର ପାଖକୁ କେବେ କେହି ମଧ୍ୟ ଯାଏ ନାହିଁ । ଥରେ ଜଗୁଦାସର ମନ ହେଲା ଏଥର କିଛି ଦାନ ଖଇରାତ କରିଲେ ଯଶ ମିଳିବ । ତେଣୁ ସେ କେତେକ ପିଲାଙ୍କୁ ଗ୍ରାମରୁ ଡାକିଆଣି ସେମାନଙ୍କୁ କିଛି କିଛି ଧାନ ବାଂଟିଲା । କିନ୍ତୁ ତହିଁରେ ଚାରିଭାଗରୁ ଭାଗେ ଧାନ ଆଉ ବାକି ତିନିଭାଗ ଅଗାଡି ଥିଲା ।
ସେଇ ଗାଁର ଧରମ ଦାସ ଦୂରରୁ ଏସବୁ ଦେଖି ସେ ପିଲାମାନଙ୍କୁ ପାଖକୁ ଡାକି ଦେଖିଲା ସେଗୁଡାକ ସବୁ ତୁଚ୍ଛା ଅଗାଡି ମିଶା ଧାନ । ପିଲାଙ୍କୁ ସେ ଚୁପ୍ଚାପ୍ କିଛି କହି ବିଦା କଲା ।
କିଛି ସମୟ ପରେ ଜଗୁଦାସ ଧାନବସ୍ତା ସବୁ କ୍ଷେତରୁ ଘରକୁ ଆଣି ଦେଖିଲା ଘରେ ବହୁତ ଧାନ ଗଦା ହୋଇଛି । ସେ ଆଶ୍ଚର୍ଯ୍ୟ ହେଲା । ଠିକ୍ ଏତିକିବେଳେ ତା’ ସ୍ତ୍ରୀ ବହୁତ ଖୁସିରେ ଆସି କହିଲା, “ଆହେ, ଶୁଣ, ଆଜି ମୁଁ ଅଧା ଦାମ୍ରେ ବହୁତ ଧାନ କିଣିଛି । କେତେ ଗୁଡିଏ ପିଲା ଧାନ ଅଧା ଦାମ୍ରେ ବିକୁଥିଲେ କହିଲେ କିଏ ଧର୍ମାତ୍ମା ତାଙ୍କୁ ଦାନ ଦେଇଛି । ଅଧା ଦାମ୍ରେ ମିଳିବାରୁ ମୁଁ ସବୁ କିଣିନେଲି ।”
ଜଗୁଦାସ ଧାନଗଦା ଦେଖି ନିଜର ଅଗାଡି ମିଶା ଧାନ ଠିକ୍ ଚିହ୍ନି ପାରିଲେ ଓ ନିଜ କୃତିତ୍ତ୍ୱ ବିଷୟରେ ଚୁପ୍ ରହିବା ଭଲ ଭାବି ସ୍ତ୍ରୀକୁ କିଛି ଉତ୍ତର ଦେଲେ ନାହିଁ ।