ପୁରୁଣା କାଳର କଥା । ଶକୁରା ନାମକ ଏକ ଗ୍ରାମୀଣ ବ୍ୟକ୍ତି କାମ ଖୋଜିବାକୁ ରାଜଧାନୀ ସହରକୁ ଆସିଲା । ସେ ଏହା ଚାହୁଁଥିଲା ଯେ ଯଦି ନବାବ୍ଙ୍କ ଦରବାରରେ ତାକୁ ଛୋଟିଆ କାମଟିଏ ମିଳିଯା’ନ୍ତା, ତେବେ ସେ ଭଲରେ ଚଳିଯା’ନ୍ତା । କିନ୍ତୁ ବହୁତ ଚେଷ୍ଟା କରି ସେ ବିଫଳ ହେଲା । ଚାକିରୀ ପାଇଁ ଯେଉଁ ଆବେଦନ ପତ୍ର ସେ ଲେଖେ ସେଗୁଡିକ ରାଜାଙ୍କ ପର୍ଯ୍ୟନ୍ତ ଯାଏ ନାହିଁ ।
ଅବଶେଷରେ ସେ ବିରକ୍ତ ହୋଇ ଏକ ଉପାୟ ପାଂଚିଲା । ସାହସର ସହିତ ସେହି କାମଟି କଲା । ସେ ବଣିଆ ପାଖକୁ ଯାଇ ସୁନାର ଏକ ମୋହର ତିଆରି କଲା । ତା’ପରେ ଅଦାଲତର ବାହାରେ ସେ ବସିଥାଏ । ଆବେଦନକାରୀଙ୍କ ପତ୍ରରେ ମୋହର ବାଡେଇ କିଛି ପଇସା ସେ ନିଏ । ସମସ୍ତେ ଭାବନ୍ତି ଏ ବ୍ୟବସ୍ଥା ରାଜାଙ୍କ ତରଫରୁ କରା ଯାଇଛି । ତେଣୁ ସମସ୍ତେ ଶକୁରାର ମୋହର ବାଡେଇବା ପରେ ଯାଇ ଦରଖାସ୍ତ ଦିଅନ୍ତି । ଭିତରେ ଥିବା କର୍ମଚାରୀମାନେ ମଧ୍ୟ ସେଇଆ ଭାବିଲେ ଓ ଶକୁରାର ମୋହର ପ୍ରତି ସେମାନେ ବି ଅଭ୍ୟସ୍ତ ହୋଇଗଲେ । ମୋହର ନଥିଲେ ଦରଖାସ୍ତ ଫେରାଇ ଦେଉଥିଲେ । କିନ୍ତୁ କେହି ବି କେବେ ପ୍ରଶ୍ନ କରିନାହିଁ ଏ ମୋହରର ଇତିହାସ କ’ଣ?
ଅଳ୍ପ ସମୟ ମଧ୍ୟରେ ସେ ବହୁତ ଧନ ଅର୍ଜ୍ଜନ କଲା । ଦିନେ ଭାବିଲା ଯେ ଧରା ପଡିଲେ ତ ଫାଶୀ । ତେଣୁ ଆଗରୁ ବେଶି ଧନ ରଖିଦେବା ଭଲ । ଏଥର ସେ ନିଜ ମୋହର ପାଇଁ ପଇସାଏ ସ୍ଥାନରେ ଦୁଇପଇସା ନେଲା ଏବଂ ଦୁଇଟି ଥଳୀରେ ସେସବୁକୁ ସେ ଅଲଗା ଅଲଗା କରି ରଖିଲା । ଏହିପରି ଭାବେ ଦଶବର୍ଷ ବିତିଗଲା । ଦିନେ କୌଣସି କାରଣରୁ ଶକୁରା ଅଦାଲତକୁ ଯାଇ ପାରିନାହିଁ । ସେଦିନ ଦରଖାସ୍ତମାନଙ୍କ ଉପରେ ଶକୁରାର ମୋହର ନଥାଏ । କଚେରୀର ଗୁମାସ୍ତାମାନେ କହିଲେ, “ଶକୁରା ମୋହର ଯେଉଁଥିରେ ନାହିଁ ସେହି ଦରଖାସ୍ତକୁ ଆମେ ଆଦୌ ଗ୍ରହଣ କରିବୁ ନାହିଁ ।” କଥା ଯାଇ ବଡ କର୍ମଚାରୀଙ୍କ ପାଖରେ ପହଁଚିଲା । ସମସ୍ତେ ପଚରାପଚରି ହେଲେ ଏ ମୋହର କିଏ ମାରୁଛି?
ପୁରୁଣା ଦରଖାସ୍ତ ସବୁ ଦେଖାଗଲା । ସେଥିରେ ମୋହର ଲଗା ହୋଇଛି “ଅନ୍ଧ ସରକାର, ପିତଳ କବାଟ । ଶକୁରାର ମୋହର” । ଏହା ତ ସରକାରୀ ମୋହର ନୁହେଁ । କଥା ଯାଇ ନବାବ୍ଙ୍କ କାନରେ ପଡିଲା । ଏକଥା ଶୁଣି ସେ ନବାବ୍ ଭାରି ଆଶ୍ଚର୍ଯ୍ୟ ହେଲେ ଯେ ଏତେବର୍ଷ ଧରି ଜଣେ ଏମିତି ମୋହର ମାରି ଆସୁଛି ଅଥଚ ଏ ବିଷୟ ପ୍ରତି କେହି କେବେବି ଦୃଷ୍ଟି ଦେଇ ନାହାଁନ୍ତି । ଏଡେ ବଡ ଶାସନ କାମ, ଏତେ ଗୁଡାଏ କର୍ମଚାରୀ ଅଥଚ ଜଣେ ସାଧାରଣ ଗ୍ରାମୀଣ ମଣିଷ ସମସ୍ତିଙ୍କ ଅଗୋଚରରେ ଏତେ କଥା କରିଗଲା । ଏମିତି ଆଉ କେତେକଥା ହୋଇଯାଉ ନଥିବ । ଶକୁରାକୁ ତୁରନ୍ତ ଦରବାରରେ ହାଜର କରିବାକୁ ନବାବ୍ ଆଦେଶ ଦେଲେ । ନବାବ୍ଙ୍କ ଆଜ୍ଞାରେ ଶକୁରାକୁ ଗିରଫ୍ କରି ଦରବାରକୁ ଅଣାଗଲା । ଦିନେ ନା ଦିନେ ଏସବୁ ଘଟିବ ବୋଲି ଶକୁରା ତ ଏକଥା ଜାଣିଥିଲା । ତେଣୁ ନବାବ୍ଙ୍କ ପାଖକୁ ଯିବା ବେଳକୁ ତା’ ରୋଜଗାରର ଅଧା ଥିବା ମୁଣିଟିକୁ ଧରି ସେ ଗଲା । ତାକୁ ଦେଖିବା ମାତ୍ରେ ନବାବ୍ ପଚାରିଲେ, “ତମେ କିଏ? ତୁମକୁ ଏ ମୋହର ମାରିବାର ଅଧିକାର କିଏ ଆଉ କେବେ ଦେଲା?
ଶକୁରା କୌଣସି କଥା ନ ଲୁଚାଇ ସବୁ କିଛି ସରଳ ଭାବରେ କହିଗଲା । ଶେଷରେ ସେ କହିଲା, “ହଜୁର୍, ଆପଣଙ୍କ ହିସାବରେ ତିରିଶ ହଜାର ଟଙ୍କା ଜମା ରହିଛି । ଏଇ ନିଅନ୍ତୁ ।” ଏତିକି କହି ସେ ତା’ ଥଳୀଟିକୁ ନବାବଙ୍କୁ ଧରାଇ ଦେଲା ।
ନବାବ୍ ନ ରାଗି ବରଂ ତାହାର ବୁଦ୍ଧି ଦେଖି ଖୁବ୍ ଖୁସି ହେଲେ । ସେହି କାମକୁ ତା’ର ଚାକିରୀ ଭାବରେ ସ୍ଥାୟୀ କରିଦେଲେ । ମୋହରରୁ କେବଳ ଅନ୍ଧ ଶବ୍ଦଟି କାଟିଦେଲେ । ସେହି ଦିନଠାରୁ ଶକୁରାର ମୋହର ବର୍ଷ ବର୍ଷ ଧରି ଚଳି ଆସୁଛି ।