ହିମାଳୟର ଗୁମ୍ଫା ଭିତରେ ରହୁଥିବା ମୁନି ସଦାନନ୍ଦ ଯଜ୍ଞ କରି ପ୍ରକୃତିର ପଂଚ ମହାଭୁତ ମଧ୍ୟରୁ ଏକ କ୍ଷୁଦ୍ର ଆକୃତି ବିଶିଷ୍ଟ ଆଶ୍ଚର୍ଯ୍ୟ ମଣିଷକୁ ସୃଷ୍ଟି କଲେ । ସେହି ମଣିଷର ନାମ ଅପୂର୍ବ ଥିଲା । ସେ ଉଭୟ ସାହସୀ ଓ ଅନେକ ବିଶିଷ୍ଟ ଗୁଣସମ୍ପନ୍ନ ଥିଲା । ସେ ସର୍ବଦା ସତ୍ୟକୁ ଆଦର କରୁଥିଲା । ସେ ଅଗ୍ନିରେ ଭସ୍ମ ହେଉଥିବା ଏକ ଗ୍ରାମକୁ ହାତୀମାନଙ୍କ ସହାୟତାରେ ରକ୍ଷା କଲା । ତା’ପରେ…
ହାତୀମାନେ ଶୁଣ୍ଡରେ ପାଣି ପକାଇ ନିଆଁ ଲିଭାଇବା ପରେ ଜମିଦାରଲୋକମାନଙ୍କୁ ଗୋଡାଇଲେ । ସେମାନେ ଜୀବନ ବିକଳରେ ପଡି ଉଠି ଦୌଡିଲେ । ଫଳରେ ସେମାନଙ୍କ ହାତ ଗୋଡ ଛିଡିଗଲା । କୌଣସିମତେ ଜୀବନକୁ ନେଇ ସେଠାରୁ ସେମାନେ ପଳାଇଲେ । ହାତୀମାନେ ସେମାନଙ୍କର କିଛି ଅନିଷ୍ଟ କରି ନାହାଁନ୍ତି । ଶେଷକୁ ସେମାନେ ସେ ଅଂଚଳରୁ ପଳାଇ ଗଲା ପରେ ହାତୀମାନେ ବିଜୟୋଲ୍ଲାସରେ ବୃହଂଣ କରି ଜଙ୍ଗଲକୁ ଫେରିଗଲେ ।
ଗରୀବମାନଙ୍କ ଉପରେ ଜମିଦାର ଲୋକଙ୍କର ଏଭଳି ଅତ୍ୟାଚାର ଦେଖି ଅପୂର୍ବର ମନ ବହୁତ କଷ୍ଟ ହୋଇଥିଲା, ଏବେ ସେମାନେ ସେଠୁ ପଳାଇବା ପରେ ତା’ର ମନ ଭାରି ଖୁସି ହେଲା । ଏକେ ତ ସଂସାରର କୌଣସି ଜ୍ଞାନ ତା’ର ନଥିଲା । ପୁଣି ତା’ସାଙ୍ଗକୁ ଏପରି ସବୁ ପରିସ୍ଥିତି । ଏବେ ସେ କ୍ରମେ ସବୁ ବୁଝିଗଲା; ପ୍ରକୃତିର ସବୁ ଗୁପ୍ତ ନିୟମ ସହିତ ସେ ସମ୍ପର୍କ ରଖିପାରୁଥିଲା । ହାତୀମାନଙ୍କୁ ସେ ସେହି ଶକ୍ତି ଦ୍ୱାରା ଡକାଇଥିଲା ଓ ଧନ୍ୟବାଦ ଦେଇ ସେମାନଙ୍କୁ ପୁଣି ଜଙ୍ଗଲକୁ ପଠାଇଲା । ତା’ପରେ ନଈକୂଳରେ ବୁଲି ବୁଲି ସେ ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିବାରେ ଲାଗିଲା । ସବୁଜ ରଙ୍ଗର ଗଛସବୁରେ ନାନା ଜାତିର ନାନା ବର୍ଣ୍ଣର ଫୁଲ ସବୁ ଧୀର ପବନରେ ଦୋହଲୁଥିବାର ଦେଖି ସେ ଅତି ଖୁସିରେ ଗଦ୍ ଗଦ୍ ହୋଇଯାଉଥିଲା । ନଈରେ ଭାସୁଥିବା ଡଙ୍ଗାସବୁ, ବଣର ନାନା ପକ୍ଷୀଙ୍କର କଳରବ ସବୁକିଛି ତାକୁ ଆଶ୍ଚର୍ଯ୍ୟ ଓ ସୁନ୍ଦର ଲାଗୁଥିଲା ।
ଏସବୁ ମଧ୍ୟରେ ହଠାତ୍ କାହାର ଏକ ଯନ୍ତ୍ରଣାପୂର୍ଣ୍ଣ ଚିତ୍କାର ସେ ଶୁଣି ପାରିଲା । ସେ ଦୂରସ୍ଥ ବସ୍ତୁ ଦେଖିପାରୁଥିଲା ଓ ଶୁଣିପାରୁଥିଲା; ତେଣୁ ସେହି ଶବ୍ଦ ବାରି ସେ ସେହି ଆଡକୁ ଦୌଡିଲା । କେଇ ମୁହୂର୍ତ୍ତ ମଧ୍ୟରେ ତା’ର ଗତି ଦ୍ରୁତତର ହେଲା ଓ ଶେଷରେ ସେ ଅଦୃଶ୍ୟ ହୋଇଗଲା । ଏବେ ସିଏ ଯାଇ ଏକ ଗ୍ରାମର ପ୍ରାନ୍ତରେ ଥିବା କୁଡିଆଘର ଆଗରେ ପହଁଚିଲା । ଟିକିଏ ଅନ୍ଧାର ମାଡି ଆସିଲାଣି । କୁଡିଆ ଘର ଭିତରୁ କିଛି ଶବ୍ଦ ଆସୁଥିବାର ସେ ଶୁଣିଲା, “ମୋ ଉପରେ ଦୟା କର । ମୋର ଏହି ଅବୋଧ ବାଳକକୁ ଛାଡିଦିଅ, ସେ ନିରପରାଧ ।” ଅପୂର୍ବ ଭିତରକୁ ଉଙ୍କି ମାରି ଦେଖିଲା ଦୈତ୍ୟପରି ତିନିଜଣ ଲୋକ ଗୋଟିଏ ବାର ବର୍ଷର ବାଳକକୁ ଧରି ଟାଣୁଛନ୍ତି; ତା’ର ବିଧବା ମା’ କାକୁତି ମିନତି କରି କହୁଥାଏ “ତାକୁ ଛାଡିଦିଅ” । ଦୁଇଜଣଙ୍କ ହାତରେ ବାଡି, ଜଣଙ୍କ ହାତରେ ଛୁରା । ଛୁଆଟା କାନ୍ଦିବାକୁ ଆରମ୍ଭ କରିବାରୁ ଆଉ ଜଣେ ତା’ ମୁହଁକୁ ଚାପି ଧରିଥାଏ ।
ପିଲାର ମା’ କାନ୍ଦି କାନ୍ଦି ସେମାନଙ୍କ ପାଦତଳେ ପଡୁଥାଏ; କିନ୍ତୁ ସେମାନଙ୍କ ମଧ୍ୟରୁ ଯିଏ ନେତା ସେ ଖୁବ୍ ଥଟ୍ଟା କରି କଥା କହୁଥାଏ । ସେ କହୁଥାଏ, “ଶୁଣ ମୁଁ ତୁମର ଗହଣା ଓ ଧନ ସମ୍ପତ୍ତି କିଛିବି ଛୁଇଁବି ନାହିଁ । ମୁଁ ତ କେବଳ ତୁମ ପୁଅକୁହିଁ ନେବାକୁ ଆସିଥିଲି । କାରଣ ଏହା ଭିତରେ ଏପରି ସବୁ ଗୁଣ ଓ ଲକ୍ଷଣ ଅଛି ଯାହାକି ଦେବତାଙ୍କ ପାଇଁ ଯୋଗ୍ୟ; ତେଣୁ ମୁଁ ତାକୁ ବଳୀ ଦେବାକୁ ନେବି । ଆମେ ଦୁଇଦିନ ଧରି ତା’ ଉପରେ ଲକ୍ଷ୍ୟ ରଖିଥିଲୁ । ତୁମେ ତ ସେଥିପାଇଁ ଗର୍ବ କରିବାର କଥା ।”
ସ୍ତ୍ରୀ ଲୋକଟି ଚିତ୍କାର କରି କହିଲା “ମୁଁ ନିଶ୍ଚୟ ମୋର ଗୁଣବାନ ପୁଅ ପାଇଁ ଗର୍ବିତ । ମୁଁ ଦେଖୁ ଦେଖୁ ତୁମେ ନେଇଯିବ ମୁଁ କିମିତି ମା’ ହୋଇ ତାହା ସହନ କରିବି? ହେ ଭଗବାନ୍, କିଏ କେଉଁଠି ଅଛ ମୋତେ ରକ୍ଷା କର ।”
ସେମାନେ ସେହି ସ୍ତ୍ରୀ ଲୋକଟିକୁ ପେଲିଦେଇ କହିଲେ, “ତୁମେ ଏପରି ଚିତ୍କାର କରିବ ତ ତୁମକୁ ଏଇଠି ଶେଷ କରିଦେବା ପରେ ଆମେ ତାକୁ ଏଠୁ ନେଇଯିବୁ ।” “ତୁମେ ଜାଣ ମୁଁ କିଏ? ମୁଁ ହେଉଛି ଭୈରବ ସର୍ଦ୍ଦାର । ମୋ ନାମ ଶୁଣିଲେ ଲୋକେ ଭୟରେ ଖାଲି ଥରନ୍ତି । ନିଜର ଭଲ ଚାହଁ ତ ଚୁପ୍ ହୋଇଯାଅ ।” ଏହା କହି ସେ ଭୟଙ୍କର ଭୈରବ ସର୍ଦ୍ଦାର ଓ ତା’ର ସାଙ୍ଗମାନେ ପିଲାଟିକୁ ବାନ୍ଧିଦେଇ ତା’ର ମୁହଁ ବନ୍ଦ କରିଦେଲେ ଏବଂ ତାକୁ ଟାଣି ଟାଣି ଜଙ୍ଗଲ ଆଡକୁ ନେଇଗଲେ ।
ସ୍ତ୍ରୀ ଲୋକଟି କୁଡିଆ ଭିତରୁ ବାହାରକୁ ଆସି ଚିତ୍କାର କରି କହିଲା, “ଦୌଡିଆସ, ମୋ ପୁଅକୁ ବଳି ଦେବାପାଇଁ ଭୈରବ ସର୍ଦ୍ଦାର ନେଇ ଯାଛି । ଘରେ ମୋର ସ୍ୱାମୀ ନାହିଁ । ସିଏ ଥିଲେ କ’ଣ କେବେବି ଏପରି ହୋଇଥା’ନ୍ତା । ଦୌଡିଆସ, ମୋ ପିଲାକୁ ରକ୍ଷାକର ।”