ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଅପୂର୍ବ ଯୁକ୍ତି

ଗୋଟିଏ ଗ୍ରାମରେ ଚାରିଜଣ ଯୁବକ ଥିଲେ । ସେମାନେ ସାଙ୍ଗ ହୋଇ ଅନେକ କିଛି କରନ୍ତି; ଏପରିକି  ଚୋରୀ ମଧ୍ୟ କରନ୍ତି । ଥରେ ସେଇ ଗାଁର ଜଣେ ଚାଷୀର ଛେଳିଟିକୁ ଚୋରୀ କରି ସେମାନେ ଗାଁ ମୁଣ୍ଡରେ ଥିବା ବରଗଛ ମୂଳରେ କାଟି, ରାନ୍ଧି, ଖାଇଲେ ।

                ଚାଷୀଟି ଏକଥା ଶୁଣି ଭାବିଲା ଗ୍ରାମର ମୁଖିଆକୁ ଏକଥା କହି କିଛି ବି ଲାଭ ନାହିଁ । କାରଣ ସେମାନଙ୍କର ଗୁଣ୍ଡାମୀକୁ ଡରି ସେ ମଧ୍ୟ କିଛି କହିବେ ନାହିଁ । ତେଣୁ ସେ ସିଧା ରାଜାଙ୍କ ପାଖକୁ ଯାଇ ସେମାନଙ୍କ ବିରୁଦ୍ଧରେ ଅଭିଯୋଗ କଲା । ଅଭିଯୋଗ ପାଇ ରାଜା ସେ ଚାରିଜଣ ଚୋରଙ୍କୁ ଦରବାରକୁ ଡକାଇ ଆଣିଲେ ଓ ସେମାନଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗ କଥା କହିଲେ । ସବୁ ଶୁଣି ସେମାନଙ୍କ ମଧ୍ୟରୁ ରାମୁ କହିଲା, “ମହାରାଜ, ଏ ଚାଷୀର ତ ଛେଳି ନାହିଁ, ତେଣୁ ଚୋରୀ କରିବାର ପ୍ରଶ୍ନ ଉଠୁଛି ଆଉ କୁଆଡୁ?”

                ରାମୁ କଥା ଶୁଣି ଚାଷୀଟି କହିଲା, “ଆରେ ରାମୁ, ଗାଁ ମୁଣ୍ଡରେ ଥିବା ପୋଖରୀ କୂଳରେ ବରଗଛ ମୂଳେ ତମେ ମୋର ଛେଳିଟାକୁ ମାରି ଖାଇନ?”

                ଚାଷୀ କଥା ଶୁଣି ଆଉ ଜଣେ ଚୋର କହିଲା “ମହାରାଜ, ଆମ ଗାଁରେ ତ ପୋଖରୀ ହିଁ ନାହିଁ, ବରଗଛ ତ ଆଦୌ ନାହିଁ ।”

                ତହୁଁ ସେ ଚାଷୀ କହିଲା “ମହାରାଜ, ଏ କି ମିଥ୍ୟାଚାର, ପୋଖରୀର ପୂର୍ବ ତଟରେ ଅଷ୍ଟମୀ ଦିନ ଏମାନେ ମୋ ଛେଳିକୁ ହାଣି ଖାଇଛନ୍ତି ।”

                ଅନ୍ୟ ଜଣେ ଚୋର ତତ୍କ୍ଷଣାତ୍ କହିଲା, “ମହାରାଜ, ଆମ ଗାଁରେ ପୂର୍ବଦିଗହିଁ ନାହିଁ । ଆଉ ଅଷ୍ଟମୀ ତିଥି ତ ଆମ ଗାଁକୁ କେବେ ମଧ୍ୟ ଆସେନାହିଁ ।”

                ଏକଥା ଶୁଣିବା ପରେ ରାଜା ଓ ତାଙ୍କ ଦରବାରର ଅନ୍ୟାନ୍ୟ ଲୋକ ଚାରି ଚୋରଙ୍କର ଡମ୍ଫାମୀ ବେଶ୍ ବୁଝିଗଲେ । ରାଜା ଚାଷୀଟିକୁ କ୍ଷତିପୂରଣ ଦେଲେ ଓ ଚୋରମାନଙ୍କୁ ସିଧା କାରାଗାରକୁ ପଠାଇ ଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ