ପ୍ରାଚୀନ କାଳର କଥା । ଗୁରୁଗୃହରେ ରହି ଶିଷ୍ୟମାନେ ବିଦ୍ୟାଶିକ୍ଷା କରିବାର ପ୍ରଥା ଥାଏ । ଗୋଟିଏ ସହରରେ ‘ବର୍ଷ’ ନାମରେ ଜଣେ ଗୁରୁ ଥିଲେ । ସବୁ ବିଦ୍ୟାରେ ସେ ଥିଲେ ପଣ୍ଡିତ । ନାନା ଦେଶରୁ ଶିଷ୍ୟମାନେ ଆସି ତାଙ୍କ ପାଖରେ ବିଦ୍ୟାଶିକ୍ଷା କରୁଥାଆନ୍ତି ।
ଥରେ ବ୍ୟାଡି, ବରୁରୁଚି ଓ ଇନ୍ଦ୍ରଦତ ନାମରେ ତିନିଜଣ ବନ୍ଧୁ ପାଠ ପଢିବା ପାଇଁ ଇଚ୍ଛା କଲେ । ସେମାନେ ତ ଗୁରୁ ବର୍ଷଙ୍କ ନାମ ଆଗରୁ ଶୁଣିଥିଲେ । ତେଣୁ ତାଙ୍କରି ପାଖରେ ଯାଇ ସେମାନେ ପହଁଚିଲେ ପାଠ ପଢିବା ପାଇଁ ।
ଖୁବ୍ ଅଳ୍ପକାଳ ମଧ୍ୟରେ ସେ ତିନିବନ୍ଧୁ ନାନା ବିଦ୍ୟାରେ ପାରଙ୍ଗମ ହୋଇ ଉଠିଲେ । ତିନିବନ୍ଧୁଙ୍କ ମଧ୍ୟରୁ ବରୁରୁଚି ବ୍ୟାକରଣ ବିଭିନ୍ନ ବିଦ୍ୟାରେ ଅଗାଧ ଜ୍ଞାନ ଅର୍ଜନ କଲେ । ତେଣୁ ଗୁରୁ ବର୍ଷ ବରୁରୁଚିଙ୍କ ଉପରେ ଅତ୍ୟନ୍ତ ସନ୍ତୋଷ ପ୍ରକାଶ କଲେ । ସେ ଗୁରୁ ବର୍ଷ ନିଜର କନ୍ୟା ଉପକୋଶାଙ୍କୁ ବିବାହ ଦେଇ ବରୁରୁଚିଙ୍କୁ ନିଜର ଜାମାତା ପଦରେ ବରଣ କଲେ ।
ପାଠପଢା ଶେଷ ହେଲା । ଏବେ ସେ ତିନିବନ୍ଧୁଯାକ ବିଦାୟ ନେଇ ଯେ ଯାହା ଘରକୁ ଫେରିବେ । ତେଣୁ ସେମାନେ ତାଙ୍କ ଗୁରୁଙ୍କୁ ପ୍ରାର୍ଥନା କଲେ, ‘ଦକ୍ଷିଣା’ ଦେବାପାଇଁ । ତହୁଁ ସେ ଗୁରୁ ଓ ଗୁରୁପତ୍ନୀ କହିଲେ, “ବରୁରୁଚି ତ ଆମର ଜାମାତା ଏବଂ ତୁମେ ଦୁହେଁ ଆମ ଜାମାତାଙ୍କର ଅନ୍ତରଙ୍ଗ ବନ୍ଧୁ । ତୁମ ତିନିଜଣଙ୍କର ସେବାରେ ଆମେ ଅତ୍ୟନ୍ତ ସନ୍ତୋଷ ଲାଭ କରିଅଛୁ । ଆମର ଆଉ କିଛି ବି ଗୁରୁଦକ୍ଷିଣା ଆବଶ୍ୟକ ନାହିଁ ।
ମାତ୍ର ଏ କିପରି କଥା? ଗରୁଦକ୍ଷିଣା ନ ଦେଲେ ତ ବିଦ୍ୟା ଅର୍ଜନ କେବେବି ସଫଳ ହୁଏ ନାହିଁ ବୋଲି କୁହାଯାଏ । ସେଥିପାଇଁ ବ୍ୟାଡି ଓ ଇନ୍ଦ୍ର ଖାଲି ଜିଗର କଲେ ଗୁରୁଦକ୍ଷିଣା ଦେବାପାଇଁ । ଗୁରୁ ଏଥିରେ ଅତ୍ୟନ୍ତ କ୍ରୋଧ ପ୍ରକାଶ କରି କହିଲେ, “ଯଦି ଏପରି ଭାବୁଛ, ତେବେ ମୋତେ ଏକଲକ୍ଷ ସ୍ୱର୍ଣ୍ଣମୁଦ୍ରା ଦେବାକୁ ହେବ ।”
ତାପରେ ସେ ତିନିବନ୍ଧୁ ହସି ହସି ଗୁରୁ ଗୃହରୁ ବିଦାୟ ନେଲେ । ଗୁରୁଙ୍କୁ ପ୍ରଣାମ ଜଣାଇ ସେମାନେ କହିଲେ, “ଆମକୁ ଆଶୀର୍ବାଦ କରନ୍ତୁ । ଆମେ ଯେପରି ଅବିଳମ୍ବେ ଆପଣଙ୍କ ଦକ୍ଷିଣା ଯୋଗାଡ କରି ଆପଣଙ୍କୁ ପୂନର୍ବାର ଦର୍ଶନ କରିବୁ ।”
ବରୁରୁଚି କହିଲେ, “କିନ୍ତୁ ସେ ପର୍ଯ୍ୟନ୍ତ ମୋର ପତ୍ନୀ ଉପକୋଶା ଆପଣଙ୍କ ପାଖରେ ହିଁ ରହିବେ । ଉପକୋଶା ଓ ଗୁରୁପତ୍ନୀ ବରୁରୁଚିଙ୍କୁ ବିଦାୟ ଦେଇ ଅତି ଦୁଃଖରେ ଭାଙ୍ଗିପଡିଲେ ।
ତାପରେ ସେ ତିନିବନ୍ଧୁ ନାନା ଦେଶ ବୁଲିବାକୁ ଲାଗିଲେ । ବହୁ ମହାଜନ ଓ ସୌଦାଗରଙ୍କୁ ମଧ୍ୟ ସେମାନେ ଭେଟିଲେ । ମାତ୍ର କେହିବି ତାଙ୍କର ଦକ୍ଷିଣାର ମୂଲ୍ୟ ପୂରଣ କରିବା ପାଇଁ ଦାନ ଦେଇପାରିଲେ ନାହିଁ ।