ଅତି ପୁରାକାଳରେ ବ୍ରହ୍ମଦତ ବାରାଣସୀରେ ରହି ରାଜ୍ୟ ଶାସନ କରୁଥିଲେ । ବାରାଣସୀଠାରୁ କିଛି ଦୂରରେ ଗଙ୍ଗାତୀରରେ ଗୋଟିଏ ଗ୍ରାମ ଥିଲା । ଏଥିରେ ପାଂଚଶତ ସୂତ୍ରଧର ବାସ କରୁଥିଲେ । ସେମାନେ ଗୃହ ନିର୍ମାଣର ଉପକରଣମାନ ପ୍ରସ୍ତୁତ କରୁଥିଲେ । ଏହି ଉଦ୍ଧେଶ୍ୟରେ ସେମାନେ ନୌକାରେ ବସି କିଛି ଦୂରରେ ଥିବା ଗୋଟିଏ ବନକୁ ଯାଉଥିଲେ । ବନରୁ କାଠ ଆଣି ସେଥିରେ ଗୃହର ବିଭିନ୍ନ ଜିନିଷ ତିଆରି କରୁଥିଲେ । ପରେ ସେଗୁଡିକ ନୌକାରେ ଲଦି ବାରାଣସୀକୁ ଆଣୁଥିଲେ । ସେଠାରେ ଲୋକମାନଙ୍କ ବରାଦ ଅନୁସାରେ ଗୃହ ନିର୍ମାଣ କରିଦେଉଥିଲେ । କାଠ ଶେଷ ହୋଇଗଲେ ପୁଣି ନୌକାରେ ବସି ବନକୁ ଯାଉଥିଲେ ।
ଥରେ ସେମାନେ ବନମଧ୍ୟରେ କାଠ ହାଣି ତାହାକୁ ଆବଶ୍ୟକତା ଅନୁସାରେ କାଟି ସେଥିରେ ଗୃହର ବିଭିନ୍ନ ଅଂଶ ତିଆରି କରୁଥିଲେ । କିଏ ରନ୍ଦାମାରି କାଠ ପାଲିସ୍ କରୁଥିଲା, କିଏ ଶେଣି ତିଆରି କରୁଥିଲା, କେହି ଚଉକାଠ ତିଆରି କରୁଥିଲା, କେହି ଅବା କବାଟ ତିଆରି କରୁଥିଲା । ସୂତ୍ରଧରମାନଙ୍କ କାର୍ଯ୍ୟସ୍ଥଳଠାରୁ କିଛି ଦୂରରେ ଗୋଟିଏ ହାତୀ ରହୁଥିଲା । ସେ ବନ ମଧ୍ୟରେ ଇତସ୍ତତଃ ଭ୍ରମଣ କରୁଥିଲାବେଳେ ଗୋଟିଏ ଗୋଜିଆ କାଠଖଣ୍ଡ ତା’ର ଗୋଟିଏ ପାଦରେ ପଶିଗଲା । ଏହା ଫଳରେ ତାହାର ପାଦ ପାଚି ଫୁଲିଗଲା । ଯନ୍ତ୍ରଣା ହେତୁ ସେ ଛଟପଟ ହେଲା । କଅଣ କରିବ, କିପରି କାଠଖଣ୍ଡିକ ପାଦରୁ ବାହାର କରିବ ସେ ସ୍ଥିର କରିପାରିଲାନାହିଁ ।