ଗୋଟିଏ ଗ୍ରାମରେ ଅତି ସୁନ୍ଦରୀ ଓ ସୁଲକ୍ଷଣୀ ଝିଅଟିଏ ଥାଏ, ତା’ର ନାମ ହେଲା ସୀତା । କିନ୍ତୁ ତା’ ଜୀବନଟି ବଡ କଷ୍ଟ ଓ ଯାତନାଭରା; ପିଲାଦିନୁ ତା’ର ମା’ ମରିଛି; ସାବତ ମା’ର ଅତ୍ୟାଚାରରେ କୌଣସି ମତେ ଜୀବନ ଧରି ସେ ଥାଏ ।
ସାବତ ମା’ ରମଣୀର ଝିଅ ଗୀତା । ଗୀତା ସଦାବେଳେ ସୀତା ନାମରେ ସତ ମିଛ କହି ସୀତାକୁ ମାଡ ଖୁଆଏ । ରମଣୀ ଚାହୁଁଥାଏ କି ସୀତାର ବିବାହ ଜଣେ ସାଧାରଣ ଗରୀବ, ଅସୁନ୍ଦର ଓ ମୂର୍ଖ ସହିତ ହେଉ । ଥରେ ସେପରି ଜଣେ ଲୋକକୁ ଜ୍ୱାଇଁ କରିବ ବୋଲି କନ୍ୟା ଦେଖିବାକୁ ସେ ନିମନ୍ତ୍ରଣ କରିଥିଲା । କିନ୍ତୁ ସେ ନିମନ୍ତ୍ରଣ ଭୁଲ୍କ୍ରମେ ଅନ୍ୟଜଣେ ଭଲ ଲୋକ ପାଇ ସେ ଆସିବାକୁ ଖବର ଦେଲା । ଏକଥା ଶୁଣି ରମଣୀ ସେଦିନ ତା’ ଝିଅ ଗୀତାକୁ କନ୍ୟା ଦେଖା ପାଇଁ ସଜାଇ ଦେଲା । ସୀତା ପାଖରେ କାମଦାମ କରୁଥାଏ; କୁଣିଆ ଚର୍ଚ୍ଚା ପାଇଁ ରମଣୀକୁ ସେ ସାହାଯ୍ୟ କରୁଥାଏ । ବରଘର ଖୁବ୍ ଧନୀ ଲୋକ । କନ୍ୟା ଦେଖା ସରିଲା ଭାବି ଜାମାତା ବସିଥିବା ସମୟତକ ସୀତାକୁ ଚାହିଁ ଦେଖୁଥିଲେ । ତା’ପରେ ରମଣୀକୁ ପଚାରି ବୁଝିଲେ ସୀତା ତାଙ୍କର ସାବତ ଝିଅ । ସୀତାର ସୌନ୍ଦର୍ଯ୍ୟ, ତା’ର ଚାଲିଚଳଣ, ଓ ଆଚାର ବ୍ୟବହାରରେ ସେ ଅତ୍ୟନ୍ତ ମୁଗ୍ଧ ହୋଇ ଏକ ଅଯାଚିତ ପ୍ରସ୍ତାବ ଦେଲେ ଓ ସେଥିପାଇଁ ଜିଦ୍ ଧରି ସେ ବସିଲେ । ସେ କହିଲେ, “ବିବାହ ଯଦି କରିବି ତ ସୀତାକୁ ହିଁ କରିବି ।”
ସୀତା ବିଷୟରେ ରମଣୀ ଅନେକ ଖରାପ କଥା ମିଛରେ କହିଲା । ତଥାପି ଭାବିଜାମାତା ନିଜ କଥାରୁ ଆଦୌ ଟଳିଲେ ନାହିଁ । ବାଧ୍ୟ ହୋଇ ରମଣୀ କହିଲା, “ଆଚ୍ଛା, ଆମେ ଭାବିଚିନ୍ତି ଖବର ପଠାଇବୁ ।”
ବରପକ୍ଷ ଲୋକମାନେ ଚାଲିଯିବା ପରେ ରମଣୀ ଖାଲି ଈର୍ଷ୍ୟାରେ ଜଳିଉଠି ଗର୍ଜନ କରି କହିଲା, “ଯେତେବେଳ ପର୍ଯ୍ୟନ୍ତ ଏଇ ସୀତା, ଅଲକ୍ଷଣୀ ଏଠାରେ ଥିବ, ସେପର୍ଯ୍ୟନ୍ତ ମୋ ଝିଅର ବିବାହ କେବେବି ହୋଇ ପାରିବ ନାହିଁ । ବେଶ୍ ଗୋଟାଏ ସୁନ୍ଦରୀ ହୋଇଛି । ରହିଥା’ ଆଜି ରାତିରେ ଗରମ ତେଲ ତା’ ମୁହଁ ଉପରେ ଢାଳି ଦେବି ଯେ ଅସୁନ୍ଦର ହୋଇଯିବ ।” ଗୀତା ଖୁସି ହୋଇ କହିଲା, “ମା’, ତୁମେ ସେପରି କଲେ ମୁଁ ଦିଦିଠାରୁ ବେଶି ସୁନ୍ଦର ହୋଇ ଉଠିବି ।”
ସୀତା ଏକଥା ଶୁଣି ଭୟରେ ଖାଲି ଥରିଲା । ବେଶି ରାତି ହେବାରୁ ସେ ସେହି ଘର ଛାଡି ବଣକୁ ପଳାଇଲା । ଚାଲିଚାଲି ଯେତେବେଳେ ସେ ଥକି ପଡିଲା, ସେ ଏକ ବୃକ୍ଷ ତଳେ ଯାଇ ବିଶ୍ରାମ କଲା । ବସୁ ବସୁ ସେଠାରେ ସେ ଶୋଇବି ପଡିଲା । ସକାଳୁ ଉଠି ସେ ଦେଖେ ତ ଜଣେ ବିକୃତ ଲୋକ ତାକୁ ଜଗି ରହିଛି; ସୀତା ଉଠିବାରୁ ସେ ତାକୁ କହିଲା, “ହେ ସୁନ୍ଦରୀ ବାଳିକା, ତୁମେ ରାତିରେ ଏହି ଘନ ଅରଣ୍ୟରେ କ’ଣ କରୁଥିଲ? ଏହି ଭୟଙ୍କର ସ୍ଥାନରେ ନିର୍ଭୟରେ କିପରି ବା ଶୋଇଗଲ? ତୁମ ଉପରକୁ ଏକ ବ୍ୟାଘ୍ର ଲମ୍ପ ଦେବା ଅବସ୍ଥାରେ ମୁଁ ସେ ବ୍ୟାଘ୍ରକୁ ଏଠାରୁ ତଡି ତୁମର ଜୀବନ ବଂଚାଇଛି, ପୁଣି ଅଧିକ ବିପଦ ପଡିବା ଭୟରେ ମୁଁ ତୁମକୁ ସେତେବେଳଠାରୁ ଏଠାରେ ଜଗି ବସିଛି ।” ସୀତା ସେହି ଲୋକଟିର କଥା ଶୁଣି ଭୀଷଣ ଆଶ୍ଚର୍ଯ୍ୟ ହେଲା ଓ ତା’ର ଜୀବନ ରକ୍ଷା କରିଥିବାରୁ ସେ ତାଙ୍କୁ କୃତଜ୍ଞତା ଜଣାଇଲେ ।
ଲୋକଟି କହିଲା, “ଶୁଣ ତୁମକୁ ବାଘ କବଳରୁ ରକ୍ଷା କରିବା ପରେ ମୁଁ ତୁମକୁ ଜଗିଛି ଖାଲିରେ ନୁହେଁ, ମୋର ମଧ୍ୟ ସେଥିରେ କିଛି ଉଦ୍ଧେଶ୍ୟ ଅଛି । ତୁମ ରୂପ ଉପରେ ମୋହିତ ହୋଇ ମୁଁ ତୁମକୁ ବିବାହ କରିବାକୁ ଚାହେଁ ।”
ସୀତା ପୁଣି ମହା ଅଡୁଆରେ ପଡିଲା । ମନରେ ସାହସ କରି ସେ କହିଲା, “ମୁଁ ଅବଶ୍ୟ ତୁମକୁ ବିବାହ କରନ୍ତି; କିନ୍ତୁ ତୁମେ କ’ଣ ଜାଣ କି ମୁଁ ଏ ଜଙ୍ଗଲକୁ ଆସିଛି କାହିଁକି? ମୋର ବିବାହ ଜଣେ ରାକ୍ଷସ ସହିତ ହେବ ବୋଲି ମୋର ଜାତକରେ ଅଛି ।”
ଲୋକଟି ଗର୍ବ କରି କହିଲା, “ଓହୋ, ତେବେ ଏଇକଥା? ସେ ରାକ୍ଷସ ମୋର ସାମ୍ନାକୁ ଆସୁ ତ ଏଇ ତରବାରୀରେ ତାକୁ ମୁଁ ଟିକି ଟିକି କରି କାଟି ପକାଇବି । ଆଉ ତା’ପରେ ଯାଇ ତୁମକୁ ମୁଁ ବିଭା ହେବି ।”
ଠିକ୍ ସେତିକିବେଳେ କାହୁଁ ଏକ ସତ ରାକ୍ଷସ ଆସି ସେଠାରେ ହାଜର୍ ହେଲା । ତାକୁ ଦେଖିବାମାତ୍ରେ ସୀତା ଚିତ୍କାର କରି ହଠାତ୍ ବେହୋସ୍ ହୋଇଗଲା । ଲୋକଟା ରାକ୍ଷସକୁ ଚାହିଁ କହିଲା, “ଛି, ମୁଁ କ’ଣ ଏତେ ଭୀରୁ ଯେ ଜଣେ ରାକ୍ଷସ ସହିତ ଲଢିବି?” ଏତିକି କହିଦେଇ ରାକ୍ଷସ କିଛି କହିବା ପୂର୍ବରୁ ସେ ନିଜର ପ୍ରାଣ ନେଇ ସେଠାରୁ କୁଆଡେ ଦୌଡି ପଳାଇଲା ।