ବିରବଲ ମହାରାଜ ଆକବରଙ୍କୁ ପ୍ରତିଟି କାମରେ ସାହାଯ୍ୟ କରନ୍ତି । ଏପରିକି କୌଣସି ନା କୌଣସି ନିଷ୍ପତି ମଧ୍ୟ ରାଜା ବିରବଲଙ୍କ କଥାରେ ବଦଳାଇ ଦେଇଥାଆନ୍ତି । ଥରେ ଆଗ୍ରା ସହରରେ ଜଣେ ବ୍ୟକ୍ତିଙ୍କୁ ନେଇ ଜୋର୍ସୋର୍ରେ ଚର୍ଚ୍ଚା ଆରମ୍ଭ ହେଲା । ସେହି ବ୍ୟକ୍ତିଟିର ନାମ ହେଉଛି ସୂରଜ । ଏଇଥିପାଇଁ ତା’ ସମ୍ପର୍କରେ ଚର୍ଚ୍ଚା ହେଉଥିଲା ଯେ, ଯିଏ ସକାଳୁ ଉଠି ପ୍ରଥମେ ସୂରଜର ମୁହଁ ଚାହିଁବ, ଦିନଟା ଯାକ ତା’ର ଭଲରେ କଟିବ ନାହିଁ । ଏହି ଘଟଣାକୁ ନେଇ ଆଗ୍ରା ସହରରେ ପ୍ରତ୍ୟେକ ଜନତା ଚର୍ଚ୍ଚାରେ ଲାଗିପଡିଲେ । ଶେଷକୁ କଥା ଯାଇ ମହାରାଜ୍ ଆକବରଙ୍କ କାନରେ ପଡିଲା ।
ମହାରାଜ୍ ସଂଗେ ସଂଗେ ସୂରଜକୁ ଦରବାରକୁ ଡକାଇଲେ । ସୂରଜ ଯେମିତି ଆସି ମହାରାଜଙ୍କୁ ପ୍ରଣାମ କରିଛନ୍ତି, ସଂଗେ ସଂଗେ ଜଣେ କର୍ମଚାରୀ ଆସି ଖବର ଦେଲା ଯେ, “ମହାରାଜ! ମହାରାଣୀ ଭୀଷଣ ଭାବେ ଅସୁସ୍ଥ ହୋଇ ପଡିଛନ୍ତି । ଆପଣ ଶୀଘ୍ର ତାଙ୍କର ଶୟନ କକ୍ଷକୁ ଚାଲନ୍ତୁ ।” କର୍ମଚାରୀଠାରୁ ଏହି ଦୁଃସମ୍ବାଦ ପାଇବା ମାତ୍ରକେ ରାଜା ସଂଗେ ସଂଗେ ମହାରାଣୀଙ୍କ ଶୟନ କକ୍ଷ ଉଦ୍ଧେଶ୍ୟରେ ଚାଲିଲେ । ସେଠାରେ ମହାରାଣୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ବୁଝି ସାରି ପୁଣି ଦରବାରକୁ ଫେରିଲେ । ପୁଣି ଥରେ ସୂରଜ ସହିତ କଥାବାର୍ତ୍ତା ଆରମ୍ଭ କଲେ । ଠିକ୍ ଏହି ସମୟରେ ଜଣେ କର୍ମଚାରୀ ଆସି ରାଜାଙ୍କୁ ଖାଇବାକୁ ଡାକିଲା । ରାଜା କିଛି ସମୟ ପରେ ଯିବାପାଇଁ କର୍ମଚାରୀକୁ କହିଲେ । ସୂରଜ ସହିତ କିଛି କଥାବାର୍ତ୍ତା କରିସାରି ଖାଇବାକୁ ଗଲା ବେଳକୁ ଖାଦ୍ୟ ସବୁ ଖରାପ ହୋଇଯାଇଥାଏ । ରାଜା ବିରକ୍ତ ହୋଇ ସଂଗେ ସଂଗେ ଦରବାରକୁ ଫେରି ଆସିଲେ । ସୂରଜ ମଧ୍ୟ ଦରବାରରେ ଉପସ୍ଥିତ ଥାଏ । ରାଜା ସଂଗେ ସଂଗେ ସୂରଜକୁ ବନ୍ଦୀଶାଳାରେ ରଖିବାକୁ ଆଦେଶ ଦେଲେ । କାରଣ ପ୍ରକୃତରେ ସୂରଜର ମୁହଁ ଚାହିଁଲା ବେଳଠାରୁ ରାଜା ଶାନ୍ତିରେ ଟିକେ ବସି ପାରି ନାହାଁନ୍ତି ।
ରାଜାଙ୍କ ଆଦେଶ ପାଇବା କ୍ଷଣି କର୍ମଚାରୀମାନେ ସୂରଜକୁ ବନ୍ଦୀଗୃହକୁ ନେଇଗଲେ । ସୂରଜ ଯେତେ ଅନୁନୟ ବିନୟ ହୋଇ କହିଲେ ମଧ୍ୟ ତା’ କଥା କେହି ଶୁଣିଲେ ନାହିଁ । ତହିଁ ଆରଦିନ ବିରବଲ ଯାଇ ସୂରଜ୍ ପାଖରେ ପହଁଚିଲେ । ସୂରଜ୍କୁ କହିଲେ, “ସୂରଜ୍! ମହାରାଜ ଯେଉଁ ଦିନ ବନ୍ଦୀ ଗୃହକୁ ଭ୍ରମଣ କରିବାକୁ ଆସିବେ ତୁମେ ମହାରାଜଙ୍କୁ କହିବ, ମହାରାଜ୍! ଆପଣଙ୍କ ମୁଖ ସେଦିନ ଦର୍ଶନ କରିଥିବାରୁ ମୋର ଆଜି ଏହି ଦଶା । ନିର୍ଦ୍ଧାରିତ ଦିନ ଯେମିତି ମହାରାଜ୍ ଆସିଛନ୍ତି ସୂରଜ୍ ଏହି କଥା କହିଦେଲା । ଏହାପରେ ରାଜା ନିଜର ଭୁଲ୍ ବୁଝିପାରି ସୂରଜ୍କୁ ଛାଡିଦେଲେ ।