ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଅସଦିସ ଜାତକ

ଏକ ସମୟରେ ବୋଧିସତ୍ୱ ବାରାଣସୀରେ ରାଜା ବ୍ରହ୍ମଦତଙ୍କ ପଟ୍ଟମହିଷୀଙ୍କ ଗର୍ଭରୁ ତାଙ୍କର ପ୍ରଥମ ପୁତ୍ରରୂପେ ଜନ୍ମଗ୍ରହଣ କରିଥିଲେ । ନବଜାତ ପୁତ୍ରଟିର ସୌନ୍ଦର୍ଯ୍ୟ ଅତୁଳନୀୟ ଥିଲା । ତାଙ୍କ ସଦୃଶ ସୁନ୍ଦର ଶିଶୁ ଦେଖାନଥିବାରୁ ତାଙ୍କର ନାମ ରଖାଯାଇଥିଲା ଅସଦୃଶ କୁମାର । କ୍ରମେ ଶିଶୁଟି ବୃଦ୍ଧି ପ୍ରାପ୍ତ ହୋଇ ପିତାମାତାଙ୍କର ମନୋହରଣ କରିବାକୁ ଲାଗିଲା । ଶିଶୁଟିର ବୟସ ଚାରିବର୍ଷ ହେଲାବେଳକୁ ରାଣୀ ଅନ୍ୟ ଏକ ପୁତ୍ରରତ୍ନ ଲାଭ କଲେ । ଏହି ଦ୍ୱିତୀୟ ପୁତ୍ରର ନାମ ହେଲା ବ୍ରହ୍ମଦତ କୁମାର ।

       ଅସଦୃଶ ଷୋଡଶ ବର୍ଷରେ ପଦାର୍ପଣ କରନ୍ତେ ବ୍ରହ୍ମଦତ ତାହାଙ୍କୁ ଅଧ୍ୟୟନ ନିମନ୍ତେ ତକ୍ଷଶିଳାକୁ ପ୍ରେରଣ କଲେ । ସେଠାରେ ସେ ଜଣେ ବିଶ୍ୱବିଖ୍ୟାତ ଆଚାର୍ଯ୍ୟଙ୍କୁ ଗୁରୁପଦରେ ବରଣ କରି ତାଙ୍କଠାରୁ ବେଦ, ଧର୍ମଶାସ୍ତ୍ର ଓ ନୀତିଶାସ୍ତ୍ରମାନ ଶିକ୍ଷା କଲେ । ଏହା ସଂଗେ ସଂଗେ ସେ ଗୁରୁଙ୍କଠାରୁ ଧନୁର୍ବିଦ୍ୟା ମଧ୍ୟ ଶିକ୍ଷା କରି ସେଥିରେ ଅସାଧାରଣ ଦକ୍ଷତା ଅର୍ଜନ କଲେ । ଏହିପରି ନାନାଗୁଣରେ ବିଭୂଷିତ ହୋଇ ସେ ବାରାଣସୀକୁ ଫେରିଆସିଲେ ।

       ରାଜା ବ୍ରହ୍ମଦତଙ୍କର ମୃତ୍ୟୁକାଳ ନିକଟ ହେବାରୁ ସେ ପାତ୍ରମନ୍ତ୍ରୀ ପ୍ରଭୃତିଙ୍କୁ ଡକାଇ କହିଲେ, “ମୋ ଅନ୍ତେ ମୋର ଜ୍ୟେଷ୍ଠପୁତ୍ର ଅସଦୃଶ କୁମାର ବାରାଣସୀ ରାଜସିଂହାସନରେ ଆସୀନ ହେବ ଓ କନିଷ୍ଠପୁତ୍ର ବ୍ରହ୍ମଦତ କୁମାର ରାଜପ୍ରତିନିଧି ପଦରେ ନିଯୁକ୍ତ ରହିବ । ମୋର ଆଶା, ଏହାଦ୍ୱାରା ଉଭୟେ ସୁଖରେ ରହି ପ୍ରଜାମାନଙ୍କୁ ମଧ୍ୟ ସୁଖଶାନ୍ତିରେ ରଖିପାରିବେ ।” ଏହାର ଦିନେ ଦୁଇ ଦିନ ପରେ ବ୍ରହ୍ମଦତଙ୍କର ମୃତ୍ୟୁ ହେଲା । ପାତ୍ରମନ୍ତ୍ରୀ ମାନେ ଅସଦୃଶ କୁମାରଙ୍କୁ ରାଜପଦରେ ଅଭିଷିକ୍ତ କରିବାର ଅଭିଳାଷ ପ୍ରକାଶ କଲେ; କିନ୍ତୁ ସେ ସିଂହାସନରେ ବସିବାକୁ ଅନିଚ୍ଛା ପ୍ରକାଶ କରି କହିଲେ, “ରାଜପଦ ପ୍ରତି ମୋର ତିଳେମାତ୍ର ଆସକ୍ତିନାହିଁ । ମୁଁ ଯଶ ବା କ୍ଷମତାର ଲାଳସା ରଖିନାହିଁ । ତେଣୁ ରାଜସିଂହାସନରେ ବସିବାଦ୍ୱାରା ମୁଁ ସୁଖଶାନ୍ତି ପାଇବି ବୋଲି ମନେକରୁନାହିଁ । ଅତଏବ ତୁମେମାନେ ବ୍ରହ୍ମଦତ କୁମାରକୁ ସିଂହାସନରେ ବସାଅ ।” ପାତ୍ରମନ୍ତ୍ରୀମାନେ ବାଧ୍ୟହୋଇ ବ୍ରହ୍ମଦତ କୁମାରଙ୍କର ଅଭିଷେକ ସମ୍ପାଦନ କରି ତାଙ୍କୁ ରାଜସିଂହାସନରେ ବସାଇଲେ, ତାହା ସଂଗେ ସଂଗେ ଅସଦୃଶ କୁମାର ଯେପରି ରାଜୋଚିତ ସୁଖସ୍ୱାଚ୍ଛନ୍ଦ୍ୟ ଉପଭୋଗ କରିପାରିବେ ସେଥିର ବ୍ୟବସ୍ଥା କରିଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ