ରାଜାଙ୍କ ଘରେ ନୀଳ ରଙ୍ଗର ପିଆଲାଟିଏ ଥିଲା । ଏହା ଅତି ସୁନ୍ଦର ଦେଖାଯାଉଥିଲା । ସୁତରାଂ ରାଜା ତାକୁ କେବଳ ଅତିଥିମାନଙ୍କୁ ଦେଖାଇବା ପାଇଁ ରଖିଥିଲେ । ଏହା ରାଜାଙ୍କର ସତେଯେମିତି ଅମୂଲ୍ୟ ସମ୍ପତି ଭାବରେ ଗଣା ଯାଉଥିଲା । ଏହାକୁ ଜଗିବା ପାଇଁ ସିପାହୀ ନିଯୁକ୍ତ ହୋଇଥିଲାବେଳେ ରାଜକର୍ମଚାରୀମାନେ ଯତ୍ନ ନେବାରେ ବି ହେଳା କରୁନଥାନ୍ତି ।
ଥରେ ରାଜା ଅନ୍ୟ ଦେଶ ଜୟକରି ବାହାରିଲେ । କିଛି ଦିନ ପରେ ବିଜୟୀ ହୋଇ ବି ଫେରି ଆସିଲେ । ରାଜ ଉଆସରେ ଆନନ୍ଦ ଉଲ୍ଲାସ ଖେଳିଗଲା । ବିଜୟ ଭେରୀ ବାଜି ଉଠିଲା । ରାଜ ପ୍ରାସାଦରେ କୋଳାହଳ ଯୋଗୁଁ ସମସ୍ତେ ପିଆଲା କଥା ଭୁଲିଗଲେ । ଫଳରେ ପିଆଲାଟି ଅସାବଧାନତାବଶତଃ ତଳେ ପଡି ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଗଲା ।
ଏକଥା ଶୁଣି ରାଜା ରାଗରେ ଜଳିଗଲେ । ହେଲେ ସେଭଳି ପିଆଲା ମିଳିବ କେଉଁଠୁ? କାର୍ଯ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କୁ ମୃତ୍ୟୁ ଦେବାକୁ ବାହାରିଲେ । ମାତ୍ର ମନରେ ଚିନ୍ତା କଲେ, ମୃତ୍ୟୁ ଦଣ୍ଡ ଦେଇ ଦେଲେ କ’ଣ ପିଆଲା ମିଳିଯିବ କି? ଆଉ କିଏ ଜାଣି ଶୁଣି ତ ଏହାକୁ ଭାଙ୍ଗିନାହିଁ? ଏଭଳି କଥା ମନରେ ଚିନ୍ତା କରି ରାଜା ସେହି କର୍ମଚାରୀମାନଙ୍କୁ ଦଣ୍ଡମୁକ୍ତ କରିଦେଲେ । ମାତ୍ର ନୂଆ ପିଆଲା କିପରି ତିଆରି ହେବ ସେହି କଥାରେ ରହିଲେ । ରାଜ୍ୟରୁ ବଛା ବଛା କାରିଗର ଡକାଇଲେ । ପ୍ରଥମେ କଥା ଉଠିଲା ଏହାକୁ ତିଆରି କରିବା ପରିବର୍ତେ ପୁରୁଣାଟିକୁ ଯୋଡିବା ପାଇଁ ପ୍ରୟାସ ଜାରି ରହୁ ।