ମାଧବ ତାଙ୍କ ଗୃହରେ ପ୍ରବେଶ କରିବା ମାତ୍ରେ, ଚେତନ ଏବଂ ଚିନ୍ମୟ ତାଙ୍କ ପାଖକୁ ଧାଇଁ ଆସିଲେ । ତା’ପରେ ସେମାନେ କହିଲେ “ଜେଜେବାପା ଆପଣ ଶୁଣିଲେଣି? ଆମର ସାଂଗମାନେ ବିଭିନ୍ନ ପ୍ରକାର ଘର ତିଆରି ବାଣ ଏବଂ ଆତସବାଜି କିଣୁଛନ୍ତି । ହେଲେ ବାପା ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ଆମ ପାଇଁ ବାଣ କିଣିବାକୁ ବାହାରୁ ନାହାଁନ୍ତି । ସବୁ ବର୍ଷ ତ ବାପା ଆମ ପାଇଁ କେବଳ ଝୁରୁଝୁରି ବାଣ ଆଣୁଥିଲେ । କହୁଥିଲେ ଯେ ତୁମ୍ଭେମାନେ ଛୋଟ ପିଲା । ଏବେ ତ ଆମ୍ଭେମାନେ ବଡ ହୋଇଗଲୁଣୁ । ମୁଁ ଦଶ ବର୍ଷର ହେଲିଣି । ଦୟାକରି ବାପାଙ୍କୁ ଟିକେ ଏ ବିଷୟରେ କହନ୍ତୁ ଜେଜେବାପା?” ଏକଥା ସେମାନେ ବ୍ୟଗ୍ର ହୋଇ କହିଲେ ।
ଅନୁସୟା, ଚେତନ ଏବଂ ଚିନ୍ମୟଙ୍କର ମାଆ ସେମାନଙ୍କୁ ବିରକ୍ତ ହୋଇ କହିଲେ, “ଅପେକ୍ଷା କର ପିଲେ । ଜେଜେବାପା ଘର ଭିତରେ ପାଦ ଦେବା ଆଗରୁ ତୁମ୍ଭେମାନେ ଅଭିଯୋଗ କରିବା ଆରମ୍ଭ କରିଦେଲଣି?”
ମାଧବ ସେମାନଙ୍କୁ ସାଙ୍ଗରେ ନେଇ ଘର ଭିତରକୁ ଆସିଲେ ଏବଂ ଜେଜେମାଆ ପଠାଇଥିବା ମିଠାଇ ସେମାନଙ୍କୁ ଦେଲେ । ଦୁହେଁ ସବୁକିଛି ଭୁଲି ମିଠାଇ ଖାଇବାରେ ମଜ୍ଜିଗଲେ ।
ମାଧବ କହିଲେ “ଅନୁସୟା, ମୁଁ ପିଲାମାନଙ୍କୁ ଏଥର ଦୀପାବଳିରେ ସାଙ୍ଗରେ ନେଇଯିବାକୁ ଆସିଛି । ମୁଁ ସେମାନଙ୍କୁ ଉତ୍ସବର ଦିନେ ପରେ ଛାଡି ଦେଇ ଯିବି ।” ମାଧବ ଏ କଥା କହିବା ପରେ ଅନୁସୟା ସେମାନଙ୍କ ପାଇଁ ପ୍ରସ୍ତୁତ କରି ରଖିଥିବା ଲୁଗା ବ୍ୟାଗ୍ କାଢିଲେ । ଏଥୁଅନ୍ତେ ମାଧବ ସେ ପିଲାମାନଙ୍କୁ ସାଙ୍ଗରେ ଧରି କାର୍ରେ ବସି ଚାଲିଗଲେ । ପିଲାମାନେ ମନ ଆନନ୍ଦରେ ଜେଜେବାପାଙ୍କ ସହିତ ଗାଡିରେ ବସିଲେ । କାର୍ ଷ୍ଟାର୍ଟ ହେବା ମାତ୍ରେ ପିଲାମାନେ ଚିତ୍କାର କଲେ, “ବାଣ…” । ମାଧବ ସେମାନଙ୍କୁ ଚୁପ୍ କରାଇ କହିଲେ, “ଦୟାକରି ଅପେକ୍ଷା କର । ଏଠି ଭାରି ଭିଡ । ପ୍ରଥମେ ମୁଁ ତୁମ୍ଭମାନଙ୍କୁ ଗୋଟିଏ କାହାଣୀ ଶୁଣାଇବି?
ଏକଥା ଶୁଣିବା କ୍ଷଣି ପିଲାମାନଙ୍କ ମଧ୍ୟରେ ଉତ୍କଣ୍ଠା ବଢିଲା ।
“ବହୁ ଦିନ ତଳର କଥା ଗୋଟିଏ ଗ୍ରାମରେ ସୂର୍ଯ୍ୟ ନାମକ ପିଲାଟିଏ ଥିଲା । ସେ ମଧ୍ୟ ତୁମ୍ଭମାନଙ୍କ ପରି ଦୀପାବଳି ଉତ୍ସବରେ ବାଣ ଫୁଟାଇବାକୁ ଚାହୁଁଥିଲା । ତା’ର ବାପାଙ୍କୁ ବିଭିନ୍ନ ପ୍ରକାରର ବାଣ କିଣି ଆଣି ଦେବା ପାଇଁ ବାଧ୍ୟ କରୁଥିଲା । ତୁମ ବାପାଙ୍କ ପରି ସୂର୍ଯ୍ୟର ବାପା ମଧ୍ୟ ତାକୁ କହୁଥିଲେ ବାଣ କିଣିବା ଟଙ୍କା ନଷ୍ଟ କରିବା ସହିତ ସମାନ । ବାଣ ନ କିଣି ସେମାନେ ଏହି ଅର୍ଥ ଦ୍ୱାରା ଦରିଦ୍ର ବ୍ୟକ୍ତିଙ୍କର ସହାୟତା କରିପାରିବେ । ସେ ଆହୁରି ମଧ୍ୟ ସୂର୍ଯ୍ୟକୁ କହୁଥିଲେ ଯେ ବାଣ ଫୁଟାଇବା ଅତ୍ୟନ୍ତ ବିପଦଜନକ ହୋଇଥାଏ ଏବଂ ବଡମାନଙ୍କର ତତ୍ତ୍ୱାବଧାନରେ ପିଲାମାନେ ବାଣ ଫୁଟାଇବା ଉଚିତ୍ । ସେତେବେଳେ ତ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା କାରଣ ସେ ଗ୍ରାମରେ ବହୁତ କୁଡିଆ ଘର ଥିଲା ଏବଂ ଖୁବ୍ ସହଜରେ ସେଥିରେ ନିଆଁ ଲାଗିଯାଉଥିଲା ।”