ଚିତ୍ରପୁର ନାମକ ନଗରରେ ଚିତ୍ରରଥ ନାମକ ଜଣେ ରାଜାଙ୍କର ରାଜତ୍ୱ ଥିଲା । ରାଜାଙ୍କର ପୁଷ୍ପ ଉଦ୍ୟାନ ମଧ୍ୟରେ ଗୋଟିଏ ସୁନ୍ଦର ପୁଷ୍କରିଣୀ ଥାଏ । ସେହି ପୁଷ୍କରିଣୀରେ ଅନେକ ଗୁଡ଼ି ହଂସ ବାସ କରୁଥିଲେ । ସେହି ହଂସମାନେ ପ୍ରତି ଛଅମାସରେ ଗୋଟିଏ ଲେଖା ସୁନାର ଅଣ୍ଡା ଦେଉଥିଲେ । ରାଜା ଯେତେବେଳେ ପୁଷ୍ପ ଉଦ୍ୟାନକୁ ରାଣୀଙ୍କୁ ନେଇ ସାନ୍ଧ୍ୟ ଭ୍ରମଣରେ ଯାଆନ୍ତି ପରିଚାରିକାମାନଙ୍କୁ ଲଗାଇ ସେହି ଅଣ୍ଡାଗୁଡ଼ିକ ସଂଗ୍ରହ କରି ନଅରକୁ ନେଇ ଆସନ୍ତି । ଏଥିଲାଗି ହଂସମାନଙ୍କ ଉପରେ ରାଜାଙ୍କର ବିଶେଷ ଶ୍ରଦ୍ଧା ରହିଗଲା । ଏଥିପାଇଁ ସେହି କ୍ଷୁଦ୍ର ହଂସମାନେ ଭାବିଲେ ଯେ ରାଜାଙ୍କ ଗୁଣଠାରୁ ଅମେ କେଉଁ ଗୁଣରେ କମ୍ ନୁହଁନ୍ତି । ଆମର ସୁନାର ଅଣ୍ଡା ଦେଖି ରାଜା ଲୋଭିତ । ସେଥିଲାଗି ସେ ଆମ ପ୍ରତି ଅନେକ ଶ୍ରଦ୍ଧା ସ୍ନେହ ରଖିଛନ୍ତି । ଆମେ ଯଦି ବଳେ ବଳେ କହିବା ପୁଷ୍କରିଣୀ ଛାଡ଼ି ଯିବାକୁ ରାଜା ନିଶ୍ଚୟ ନତମସ୍ତକ ହୋଇ ସୁନା ଲୋଭରେ ଆମର ଚାଲିଯିବା ରାସ୍ତାରେ ପ୍ରତିବନ୍ଧକ ହୋଇ ଆମକୁ ଅନୁରୋଧ କରିବେ । ଏହାବ୍ୟତୀତ ରାଜାଙ୍କର ଅନ୍ୟ ଉପାୟ କିଛି ନାହିଁ ।
ଏହିପରି ହଂସମାନଙ୍କ ମଧ୍ୟରେ ଅନେକ ଅହଂଭାବ ଜାଗ୍ରତ ହେଲା । ସେମାନେ ସୁନା ଅଣ୍ଡା ଦେଉଥିବା ଅହଂକାର ଗୁଣଦ୍ୱାରା ଗର୍ବି ହୋଇ ଉଠିଲେ । ସେମାନଙ୍କ ଆଖିରେ ରାଜା ମଧ୍ୟ ସାଧାରଣ ହୋଇଗଲେ ।
ଦିନକର କଥା କୁଆଡ଼ୁଗୋଟିଏ ସୁନାପକ୍ଷୀ ଉଡ଼ି ଉଡ଼ି ଯାଉ ଯାଉ ରାଜାଙ୍କ ଉଦ୍ୟାନ ପ୍ରତି ତା’ର ଦୃଷ୍ଟି ପଡ଼ିଲା । ଜାଗାଟିର ମନୋହର ଶୋଭା ଦେଖି ସେ ସେହି ଉଦ୍ୟାନରେ ଓହ୍ଲାଇ ପଡ଼ି ଜଳ କ୍ରୀଡ଼ା କରିବା ନିମନ୍ତେ ପୁଷ୍କରିଣୀର ନିକଟକୁ ଗଲା ।