ଅନେକ ଦିନ ତଳର କଥା । ବ୍ରହ୍ମଦେଶର ଗୋଟିଏ ଗାଁରେ ବୁଢୀଟିଏ ରହୁଥିଲା । ତା’ର ପୁଅ ବୋହୁ ତ ପରଲୋକଗମନ କରିଥିଲେ । କିନ୍ତୁ ପଛକୁ ସେମାନେ ଯୋଡିଏ ପୁଅ ଛାଡି ଯାଇଥିଲେ । ବୁଢୀ ସେ ଦୁଇ ପିଲାଙ୍କୁ ନିଜ ସାଧ୍ୟାନୁସାରେ ମଣିଷ କରିଥାଏ । କିନ୍ତୁ ଦିନେ ସେ ବୁଢୀର ଶେଷ ସମୟ ଆସି ଉପସ୍ଥିତ ହେଲା । ତେଣୁ ସେ ତା’ର ଦୁଇ ନାତିଙ୍କୁ ଡାକି କହିଲା, “ପିଲାଏ, ମୁଁ ତମମାନଙ୍କ ପାଇଁ କୌଣସି ସୁନା ରୂପା ରଖିଯାଇ ପାରୁନାହିଁ ।”
ଏହା ଶୁଣି ବଡ ନାତି ରୁମନ୍ ଥଟ୍ଟାଳିଆ ଭାବରେ କହିଲା “ସେକଥା ତ ଆମକୁ ଜଣା!”
ତା’ଦେଖାଦେଖି ସାନ ନାତି ସୁମନ୍ ବି କହିଲା “ଜେଜେମା! ତମେ ଆଉ ଆମ ପାଇଁ ଆଦୌ ଚିନ୍ତା କରନାହିଁ ।”
ତା’ପରେ ସେ ବୁଢୀ କହି ଚାଲିଲା, “ତେବେ ଏ ଘରର ସେ କୋଣରେ ପଡିଛି ଶିଳ ଓ ଶିଳପୁଆ । ତାହା ଦେଖୁଛଟି?”
ଜେଜେମାଙ୍କ କଥା ଶୁଣି ରୁମନ୍ ମନ୍ତବ୍ୟ ଦେଲା “ହଁ, ହଁ, ନ ଦେଖି ଆଉ କ’ଣ କିଛି ଚାରା ଅଛି? ତା’ଛଡା ଆମ ଘରେ ଆଉ କିଛି ତ ଦେଖିବା ଭଳି ଚିଜ ବି ନାହିଁ!”
ବୁଢୀ ତା’ ସାନନାତିର ଏଭଳି ତାଚ୍ଛଲ୍ୟଭରା କଥାକୁ ଆପଣା ଦିହକୁ ମୋଟେ ନନେଇ ବରଂ ସେ ଶାନ୍ତ ଭାବରେ କହିଲା, “ବେଶ୍ । ତେବେ ବଡ ରୁମନ୍ ସେ ଶିଳଟି ନେଉ । ଆଉ ସାନ ସୁମନ୍ ଶିଳପୁଆ ନେଉ । ଏସବୁ ତ ଦିନେନା ଦିନେ ଅବଶ୍ୟ ତୁମ କାମରେ ଆସିବ ।”
ଏହା ପରେ ପରେ ସେ ବୁଢୀ ଚିରଦିନ ପାଇଁ ତା’ ଆଖି ବୁଜିଦେଲା ।
ତା’ପରେ କିଛିଦିନ ବିତିଗଲା । ସୁମନ୍ କହିଲା “ଆମେ ଏଣିକି କାମ ନକଲେ କିପରି ଚଳିବା? ଏହା କହି ଶିଳାପୁଆଟି ଉଠାଇନେଇ ସେ ବଣକୁ ଗଲା । ଏପରି କରିବା ପଛରେ ତା’ର ମୁଖ୍ୟ ଉଦ୍ଧେଶ୍ୟ, ଜାଳେଣି କାଠ ଗୋଟାଇ ବଜାରରେ ସେସବୁ ବିକି ଦୁଇ ପଇସା ଆଣିବା ଥିଲା । ତେବେ ବି ସେ ଶିଳୁପୁଆଟି ନେଲା କାରଣ ଜେଜେମା ସେଇଆ କହିଥିଲେ ।
ସାନ ଭାଇର ଦେଖାଦେଖି ରୁମନ୍ ମଧ୍ୟ ଶିଳଟି ଉଠାଇ ନେଇ ଘରୁ ବାହାରିଗଲା । ସେ ଜମିଦାରଙ୍କ ଘରେ ମୂଲ ଲାଗିବା ଉଦ୍ଧେଶ୍ୟରେ ଯାଉ ଯାଉ ବାଟରେ ଭାବିଲା, “ବିନା ଶିଳପୁଆରେ ଖାଲି ଶିଳର ମୂଲ୍ୟ ବା କ’ଣ? ମୁଁ ବି ସେ ବୁଢୀ କଥାରେ ବୋକାଙ୍କ ଭଳି ଏଇଟା ଧରି ବାଟ କାହିଁକି ଚାଲିଛି?” ଏହିପରି କେତେ କଥା ଭାବି ରୁମନ୍ ଶେଷରେ ସେ ଶିଳଟିକୁ ନଦୀ ଭିତରକୁ ଫୋପାଡି ଦେଲା । ଫଳରେ କିଛି ସମୟ ପାଇଁ ତା’ ଚାରିକଡେ ପାଣି ସୁନାରଙ୍ଗରେ ରଙ୍ଗୀନ ହେଲା । “ଆରେ, ବୋଧେ ଏହି ଶିଳର ନିଶ୍ଚୟ କିଛି ବିଶେଷ ଗୁଣ ଥିଲା!” ଏହା ଭାବି ରୁମନ୍ ତୁରନ୍ତ ସେ ନଦୀ ଭିତରକୁ ଲମ୍ଫ ଦେଇ ତାହା ଉଦ୍ଧାର କରିବାକୁ ଚେଷ୍ଟା କଲା । କିନ୍ତୁ ତା’ର ସେ ଚେଷ୍ଟା ଶେଷରେ ବିଫଳ ହେଲା ।