ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଆତ୍ମଜ୍ଞାନ

ଚାଷୀଟିଏ ନିଜର କ୍ଷେତବାଡି କାମ କରୁଥାଏ । ପାଖରାସ୍ତାରେ ସାଧୁଟିଏ ଯାଉଥା’ନ୍ତି । ବହୁତ ଖରା ହେବାରୁ  ସେ ଦୁହେଁ ଗୋଟିଏ ଗଛ ତଳକୁ ବିଶ୍ରାମ ନେବା ପାଇଁ ଆସିଲେ । ସାଧୁ ଚାଷୀକୁ ପଚାରିଲେ, “ଏ କ୍ଷେତ ତୁମର ତ? ବେଶ୍ ସୁନ୍ଦର ଫସଲ ହୋଇଛି । ତେବେ ଠିକ୍ ସମୟରେ ବର୍ଷା ହେବ ତ ଭଲ ।”

                ସାଧୁଙ୍କୁ ପ୍ରଣାମ କରି ଚାଷୀ କହିଲା, “ସାଧୁବାବା, ଫସଲ ଆମଦାନୀ ହୋଇ ଘରକୁ ଆସିଲେ ଯାଇ ଜଣାଯିବ ଏ ବର୍ଷ ଫସଲ ଭଲ ହୋଇଛି କି ନାହିଁ । ବର୍ଷା କେତେବେଳେ ଆସିବ ବା ନ ଆସିବ ସେକଥା କିଏ କହିବ? ଆଚ୍ଛା, ଆପଣ ଇଆଡେ କୁଆଡେ ଯାଉଛନ୍ତି?”

                ଅଦୂରରେ ଥିବା ପାହାଡ ଆଡକୁ ଅଙ୍ଗୁଳି ନିର୍ଦେଶ କରି ସେ କହିଲେ, “ସେଠାରେ ଜଣେ ମହାନ୍ ଜ୍ଞାନୀ ଓ ସିଦ୍ଧପୁରୁଷ ଅଛନ୍ତି । ଜ୍ଞାନଉପଦେଶ ପାଇଁ ମୁଁ ସେଠାକୁ ଯାଉଛି ।” ପୁଣି ମୁହଁ ଉଦାସ କରି ସେ କହିଲେ, “ଏହା ପୂର୍ବରୁ ତିନିଜଣ ଗୁରୁଙ୍କର ମୁଁ ସେବା କରିଛି, କିନ୍ତୁ ଜଣେ ହେଲେ କେହି ଆତ୍ମଜ୍ଞାନ ମୋତେ ଶିକ୍ଷା ଦେଲେନାହିଁ । ଦେଖେ ଏଥର କ’ଣ ହେଉଛି ।”

                ଏକଥା ଶୁଣି ସେ ଚାଷୀଟି ହସିକରି କହିଲା, “ଚାଳିଶ ବର୍ଷ ଧରି ମୁଁ ନିଜେ ଫସଲ ଦେଖୁଛି ଓ ପଚାଶ ବର୍ଷ ଧରି ବର୍ଷାକୁ ଦେଖୁଛି; ତଥାପି ମଧ୍ୟ କାଲି କ’ଣ ହେବ, ସେକଥା ଜାଣିବା ପାଇଁ, ଏତେଦିନର ଅଭିଜ୍ଞତା ଥାଇ ମଧ୍ୟ ସବୁ ବ୍ୟର୍ଥ । ଆଉ ଆପଣ ଅନ୍ୟଜଣକର ଅଭିଜ୍ଞତାରୁ ଆତ୍ମଜ୍ଞାନ ପାଇବାକୁ ଚେଷ୍ଟା କରୁଛନ୍ତି? କିଏ କହିବ ଆପଣଙ୍କ ଇଚ୍ଛା ପୂର୍ଣ୍ଣ ହେବ କି ନାହିଁ!”

                ଚାଷୀର ଏଭଳି କଥାରେ ସେ ସାଧୁଙ୍କର ସେହିକ୍ଷଣି ଜ୍ଞାନୋଦୟ ହେଲା । “ଆତ୍ମଜ୍ଞାନ ପାଇଁ ନିଜେ ପ୍ରଚେଷ୍ଟା କରିବା ଉଚିତ୍ ।” ଏହି ଶିକ୍ଷାଲାଭ କରି ସାଧୁ ସେହିଠାରୁହିଁ ଫେରିଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ