ସେତେବେଳେ କାଶୀ ନଗରୀରେ ରାଜା ବ୍ରହ୍ମଦତ ରାଜୁତି କରୁଥିଲେ । ତାଙ୍କ ପାଟରାଣୀ ମଦ୍ରଦେଶର ରାଜକନ୍ୟା ଚନ୍ଦ୍ରାଦେବୀ ଥିଲେ ।
ରାଜା ସୁଚାରୁ ରୂପେ ରାଜକାର୍ଯ୍ୟ ପରିଚାଳନା କରୁଥିଲେ ଓ ନିଜେ ନିଜ କର୍ତ୍ତବ୍ୟ ପରାୟଣତା ଯୋଗୁଁ ବେଶ୍ ଖୁସିଥିଲେ । ପ୍ରଜାମାନେ ବି ଅତ୍ୟନ୍ତ ସନ୍ତୁଷ୍ଟ ଥିଲେ । କିନ୍ତୁ କ୍ରମେ ତାଙ୍କୁ ଗୋଟିଏ ଚିନ୍ତା ଘାରିଲା । ତାଙ୍କର ପିଲାପିଲି ଆଦୌ ହେଲେ ନାହିଁ । ଦିନେ ସେ ରାଜ୍ୟର ସମ୍ଭ୍ରାନ୍ତ ବ୍ୟକ୍ତି ଓ ପଣ୍ଡିତମାନେ ଏକତ୍ର ଆସି ରାଜାଙ୍କୁ କହିଲେ କି ଭବିଷ୍ୟତରେ ଯେପରି ରାଜ୍ୟର ସିଂହାସନ ଖାଲି ନହେବ, ସେ ଦୃଷ୍ଟିରୁ ରାଜା ବ୍ରତ, ଯଜ୍ଞ ଇତ୍ୟାଦି ଦ୍ୱାରା ଦେବତାମାନଙ୍କୁ ସନ୍ତୁଷ୍ଟ କରି ପୁତ୍ରଲାଭ କରିବା ଏକାନ୍ତ ଆବଶ୍ୟକ ।
ରାଜା ଏ ପ୍ରସ୍ତାବକୁ ସ୍ୱାଗତ କଲେ ଓ ଯଜ୍ଞ ଓ ବ୍ରତାଦି ଅନୁଷ୍ଠାନ କଲେ । ରାଣୀ ଏକାଗ୍ର ଭାବରେ ପ୍ରାର୍ଥନା କରିବାକୁ ଲାଗିଲେ: “ହେ ଦେବଗଣ! ମୋତେ ଏକ ସୁସନ୍ତାନ ଦିଅ!”
ଦେବରାଜ ଇନ୍ଦ୍ରଙ୍କ ମନରେ ରାଣୀଙ୍କ ପ୍ରାର୍ଥନା ଗଭୀର ରେଖାପାତ କଲା । ସେ ତାଙ୍କ ମନସ୍କାମନା ପୂର୍ଣ୍ଣ କରିବାକୁ ମନସ୍ଥ କଲେ । କେଉଁ ମହାତ୍ମାଙ୍କୁ ସେ ରାଣୀଙ୍କ ଗର୍ଭକୁ ପଠାଇବେ? ହଠାତ୍ ତାଙ୍କର ମନେ ପଡିଗଲା ବୋଧିସତ୍ୱଙ୍କ କଥା ।
ସେ ବୋଧିସତ୍ୱଙ୍କୁ ଯାଇ କହିଲେ, “ହେ ବୋଧିସତ୍ୱ! ତୁମେ ତ ସର୍ବଦା କରୁଣାମୟ । କାଶୀର ରାଜା ଓ ତାଙ୍କ ରାଣୀ ନିଃସନ୍ତାନ ହୋଇଥିବାରୁ ମନଃପୀଡାରେ ଅଛନ୍ତି । ତୁମେ ଯାଇ ସେମାନଙ୍କ ସନ୍ତାନ ରୂପେ ଜନ୍ମ ଗ୍ରହଣ କରି ସେମାନଙ୍କୁ ଆନନ୍ଦ ଦିଅ । ତା’ଛଡା ରାଜା ରୂପେ ତୁମେ ଅଗଣିତ ପ୍ରଜାଙ୍କର ଅନେକ ପ୍ରକାର ହିତ ସାଧନ କରିପାରିବ । ଲୋକଙ୍କ ମଙ୍ଗଳ ସକାଶେ ତୁମପାଇଁ ଏହା ଏକ ସୁଯୋଗ ।”