ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କ’ଣ ଲୋଡା

“ଆଉ ଏ ଜୀବନରେ କିଛିବି ହେବ ନାହିଁ!”

                ଶ୍ରୀଧର ସେଦିନ ରାଗିଯାଇ ଘର ଭିତରେ ଚିତ୍କାର କରି ଏହା କହିଲା ।

                ଆଜିକାଲି ସେ ମଧ୍ୟେ ମଧ୍ୟେ ଏଭଳି ମନ୍ତବ୍ୟ ଦେଉଥିଲା । ସେ ଯେ କାହାରି ବିରୁଦ୍ଧରେ ଏଭଳି କହୁଥିଲା, ତାହା ନୁହେଁ, ଖାଲି ନିଜ ଅସନ୍ତୋଷକୁ ପ୍ରକାଶ କରିବା ତାହାର ଉଦ୍ଧେଶ୍ୟ ଥିଲା । ତେବେ ସେ ଏଭଳି କହିବା ଫଳରେ ତା’ ପରିବାରର ଅନ୍ୟମାନେ ବି ବିଷର୍ଣ୍ଣ ବୋଧ କରୁଥିଲେ । ବିଶେଷତଃ ତା’ ସ୍ତ୍ରୀ ବଡ ଉଦାସ ଦେଖା ଯାଉଥିଲା । ସେଦିନ ସେ ସବୁଦିନ ଅପେକ୍ଷା ନିଜ କଣ୍ଠସ୍ୱର ଅଧିକ ଉଚ୍ଚ କରି ଏକଥା କହିଲା ।

                ହଠାତ୍ ବାହାରୁ କେହି କହିଲେ, “କାହିଁକି? କ’ଣ ହେଲା କି?” ଏହା ଶୁଣିବା କ୍ଷଣି ଶ୍ରୀଧର ଖୁବ୍ ଆଶ୍ଚର୍ଯ୍ୟ ହୋଇ ବାହାରକୁ ବାହାରି ଆସି ଦେଖିଲା, ଜଣେ ସାଧୁ ଠିଆ ହୋଇଛନ୍ତି । ସେ ସାଧୁଙ୍କୁ ପ୍ରଣାମ କଲା । ସାଧୁ କହିଲେ, “ପୁଅ! କିଛି ଖାଇବାକୁ ଦେଇପାରିବୁ? ମୋତେ ବହୁତ ଭୋକ କଲାଣି ।”

                ଶ୍ରୀଧର ସାଧୁଙ୍କୁ ଆଦର କରି ଘର ଭିତରକୁ ନେଇଗଲା ଓ ତାଙ୍କୁ ଖାଇବାକୁ ଦେଲା । ସାଧୁ କହିଲେ, “ଆଚ୍ଛା କହିଲୁ, ତୋର କ’ଣ ଦରକାର?”

ଶ୍ରୀଧର ପ୍ରଥମେ ସଙ୍କୋଚ କଲା । ସେ କହିଲା, “ଛାଡନ୍ତୁ ଆଜ୍ଞା, ଆମଭଳି ଅଧମ ସଂସାରୀ ଲୋକଙ୍କ ଜୀବନରେ ଅଭାବ ଅସୁବିଧା ତ ସବୁବେଳେ ଲାଗି ରହିଥାଏ । ସେସବୁ ବାଜେ କଥା ଆପଣଙ୍କୁ କହି ମୁଁ କାହିଁକି ବିବ୍ରତ କରିବି?”

ସାଧୁ କହିଲେ “ନା, ନା, ମୋତେ କୁହ । ମୋ ଭଳି ଲୋକକୁ ଯାହା କିଛି କହିପାର । ମୋ ପାଇଁ ସବୁ ସମସ୍ୟା ସମାନ ।”

ଶ୍ରୀଧର କହିଲା “ମହାଭାଗ! ମୋର ଦରକାର ଟଙ୍କା । ବେପାରରେ ଯେତିକି ପରିଶ୍ରମ କରୁଛି, ସେ ତୁଳନାରେ ଉପାର୍ଜନ ଅତି କମ୍ । ଖଣ୍ଡିଏ ଭଲ ଘର ସୁଦ୍ଧା କରି ପାରୁନାହିଁ ।”

“ବେଶ୍! ତେବେ ଆଜିଠାରୁ ତୋର ଚାରିଗୁଣ ଅଧିକ ଆୟ ହେବ ।” ସାଧୁ ଏହା କହି ସେଠାରୁ ଚାଲିଗଲେ ।

ସାଧୁ ଚାଲିଯିବା ପରେ ଶ୍ରୀଧର ମନରେ ଟିକେ ସନ୍ଦେହ ହେଲା, ସତରେ କ’ଣ ସାଧୁଙ୍କ କଥା ଫଳିବ? ସାଧୁଙ୍କୁ ତା’ ଦୁଃଖକଥା କହି ସେ ଆଉ କିଛି ଭୁଲ୍ କରିନାହିଁ ତ? ସାଧୁସନ୍ଥମାନେ ଦୟାପରବଶ ହୋଇ ଭଲ କଥା କହିଦେବେ । ସେମାନଙ୍କ କଥା ନ ଫଳିଲେ ଶେଷରେ ସେମାନଙ୍କରହିଁ ଖରାପ ହେବ । ଶ୍ରୀଧର ଠିକ୍ କଲା କି ଭୁଲ୍ କଲା ସେକଥା ସେ ମୋଟେ ବୁଝିପାରିଲା ନାହିଁ ।

ସତକୁ ସତ କିନ୍ତୁ ଶ୍ରୀଧରର ଅବସ୍ଥା ପୁରାପୁରି ବଦଳିଗଲା । ବେପାରରେ ବି ତା’ର ହଠାତ୍ ଉନ୍ନତି ହେବାକୁ ଲାଗିଲା । ପାଞ୍ଚବର୍ଷ ଭିତରେ ସେ ଗୋଟିଏ ନୂଆ ଘର ତୋଳିଲା ।

ପାଞ୍ଚବର୍ଷ ପରେ ପୁଣି ଦିନେ ସେ ସାଧୁ ଆସି ତା’ ଘରେ ପହଁଚିଲେ । ଶ୍ରୀଧର ତାଙ୍କୁ ଅଭ୍ୟର୍ଥନା ଜଣାଇଲା । ସାଧୁ ପଚାରିଲେ, “ତୋ ମୁହଁରେ ତ ମୁଁ କାହିଁ ହସ ହସ ଭାବ ଦେଖୁ ନାହିଁ! କୋଠା ତ ତୋଳିଛୁ, ଆୟ ତ ଭଲ ଭାବରେ ହେଉଛି । ତେବେ ସମସ୍ୟା କ’ଣ?”

ଶ୍ରୀଧର କହିଲା “ମହାଭାଗ! ଏସବୁ ଥାଇ କ’ଣ ହେବ? ମୋର ତ କେହିବି ପିଲାପିଲି ନାହାଁନ୍ତି ।”

“ଓଃ, ବେଶ୍ । ପିଲାପିଲି ହେବେ । ସେଥିଲାଗି ତୁ ଆଉ ଚିନ୍ତା କରନାହିଁ ।” ଏହା କହି ସାଧୁ ସେଠାରୁ ପୁଣି ଚାଲିଗଲେ ।

ସେହିବର୍ଷ ଶ୍ରୀଧର ଗୋଟିଏ ପୁତ୍ର ସନ୍ତାନର ପିତା ହେଲା । ଦୁଇବର୍ଷ ପରେ ତା’ର ପୁଣି କନ୍ୟା ଲାଭ ହେଲା ।

ପାଞ୍ଚବର୍ଷ ପରେ ସାଧୁ ଆସି ପହଁଚିଲେ ଓ ପଚାରିଲେ “ପିଲାପିଲି ତ ହେଲେ, ଅଥତ ମୁହଁରେ କାହିଁକି ହସ ନାହିଁ?”

ଶ୍ରୀଧର କହିଲା “ଆଜ୍ଞା, ଅବଶ୍ୟ ଦୁଇଟା ପିଲାପିଲି ହେଲେ, କିନ୍ତୁ ପରେ ପରେ ସ୍ତ୍ରୀର ଦେହ ଖରାପ । ଏଇନା ପିଲାଙ୍କ ତତ୍ତ୍ଵ କିଏ ନେବ? ଆପଣ ତାକୁ ସୁସ୍ଥ କରି ଦିଅନ୍ତୁ ।”

“ଆଚ୍ଛା ହେଉ । ତୋର ଯଦି ସେଇଆ ଦରକାର, ତେବେ ସେଇଆହିଁ ହେବ ।” ଏହା କହି ସାଧୁ ସେଠାରୁ ଚାଲିଗଲେ ।

ପ୍ରତିଥର ସାଧୁ ଚାଲିଯିବା ପରେ ଶ୍ରୀଧର ଭାବେ, ସେ ସାଧୁଙ୍କୁ ବାରମ୍ବାର ବର ମାଗି ଆଉ କିଛି ଭୁଲ୍ କରୁନାହିଁ ତ?

ଆଉ ପାଞ୍ଚବର୍ଷ ଗଲା ଓ ସାଧୁ ଆସି ପୁନଃ ସେଠାରେ ପହଁଚିଗଲେ । ଶ୍ରୀଧର ତାଙ୍କୁ ପ୍ରଣାମ କଲା ଓ ଘର ଭିତରକୁ ଡାକିନେଲା । ସାଧୁ ପଚାରିଲେ, “ସ୍ତ୍ରୀ ଭଲ ଅଛି ଟି? ତେବେ ମନ କାହିଁକି ଖରାପ କରିଛୁ? ତୋର ଆଉ କ’ଣ ଲୋଡା?”

“ଆଜ୍ଞା, ସ୍ତ୍ରୀର ସ୍ୱାସ୍ଥ୍ୟ ପୁରା ଭଲ ହୋଇଯିବା ମାତ୍ରେ ସେ ଖାଲି କଥା କଥାରେ ମୋ ଉପରେ ରାଗୁଛି । ପୁଅଟାକୁ ଦଶବର୍ଷ ପୁରିଲାଣି, କିନ୍ତୁ ଏଯାବତ ସେ ଅକ୍ଷରଟାଏ ମଧ୍ୟ ଶିଖିଲା ନାହିଁ । ମୋତେ ଏଥିରେ ଶାନ୍ତି କାହୁଁ ମିଳିବ? ଅଧୁନା ମୋତେ ଶାନ୍ତି ଦିଅନ୍ତୁ ।”

ସାଧୁ ହସିଲେ ଓ କହିଲେ, “ଏକଥା ମୋତେ ତ ପ୍ରଥମ ଦିନହିଁ କହିପାରିଥାନ୍ତୁ । ତୁ ଶାନ୍ତି ନ ଚାହିଁ ଏତେ କଥା କାହିଁକି ଚାହୁଁଥିଲୁ?”

ଶ୍ରୀଧର କହିଲା “ମୁଁ ମୂର୍ଖ!”

ସାଧୁ ତାକୁ କିପରି ଭଗବାନଙ୍କ ଉପରେ ସବୁ ଛାଡି ଶାନ୍ତିରେ ରହିବାକୁ ହୁଏ, ସେ ରହସ୍ୟ ଶିଖାଇଦେଲେ ଓ ତା’ଠାରୁ ବିଦାୟ ନେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ