ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

କନ୍ୟା ମନୋନୟନ

ନିଶା ଗରଜୁଥାଏ, ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରେ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।

                କିନ୍ତୁ ରାଜା ବିକ୍ରମାର୍କ ତିଳେ ମାତ୍ର ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ ସେ ତାକୁ ତାଙ୍କ କାନ୍ଧରେ ପକାଇ ସେହି ଶୂନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ରାଜନ୍, ତୁମ ଚେଷ୍ଟା ସବୁଥର ବିଫଳ ହୋଇଛି; ତଥାପି ବି ତୁମେ ସେଥିରୁ କ୍ଷାନ୍ତ ହେଉନାହଁ ଏହା ଦେଖି ମୋତେ ଭୀଷଣ ଆଶ୍ଚର୍ଯ୍ୟ ଲାଗୁଛି । ବୁଦ୍ଧିମାନ୍ ହୋଇଥିବା ଯୋଗୁଁ କେହି କେହି ତର୍କ କରିବାକୁ ଓ ସବୁଥିର କାରଣ ଖୋଜିବାକୁ ଯାଇ ଅଜବ ଢଙ୍ଗରେ ବ୍ୟବହାର କରନ୍ତି । ମୋର ମନେହୁଏ ତୁମେ ବି ଠିକ୍ ସେଇମାନଙ୍କ ପରି ନିଜ କଥାକୁ ଆଂଟ କରି ଧରିଛ । ଉଦାହରଣ ସ୍ୱରୂପ ମୁଁ ତୁମକୁ ବିଜୟପୁରୀର ରାଜକୁମାରଙ୍କ କାହାଣୀ ଶୁଣାଇବି, ମନଦେଇ ତାହା ଶୁଣ, ଶୁଣିଲେ ତମ ଶ୍ରମଭାର ଲାଘବ ମନେ ହେବ ।”

                “ଏହାପରେ ସେ ବେତାଳ ଗପିଲା : ବିଜୟପୁରୀର ରାଜା ବିଦ୍ୟାଧରଙ୍କର ବହୁଦିନ ଧରି କୌଣସି ସନ୍ତାନ ସନ୍ତତି ନଥିଲେ; ତେଣୁ ସମସ୍ତେ ସେ ରାଜାଙ୍କୁ ଦ୍ୱିତୀୟ ବିବାହ ପାଇଁ ପ୍ରସ୍ତାବ ଦେଲେ । କିନ୍ତୁ ରାଜା କୌଣସି ମତେ ସେଥିରେ ରାଜି ହେଲେ ନାହିଁ । ରାଜା ଓ ରାଣୀ ଦୁହେଁ ଅନେକ ପୂଜା ଓ ବାର ବ୍ରତ କରିବା ପରେ ହଠାତ୍ ଜଣାପଡିଲା ରାଣୀ ମା’ ହେବାକୁ ଯାଉଛନ୍ତି । ଯଥା ସମୟରେ ରାଣୀଙ୍କର ଦୁଇଟି ଯାଆଁଳା ପୁଅ ହେଲେ । ସେହି ପୁଅମାନଙ୍କର ନାମ ଜୟ ଓ ବିଜୟ ରଖାଗଲା । କ୍ରମେ ପିଲା ଦୁଇଟି ବଡ ହେଲେ ଓ ସମସ୍ତ ପ୍ରକାର ବିଦ୍ୟାରେ ପାରଙ୍ଗମ ହୋଇ ଉଠିଲେ ।

                କିଛି ବର୍ଷ ପରେ ରାଜା ତାଙ୍କ ବଡ ପୁଅକୁ ରାଜସିଂହାସନରେ ବସାଇ ନିଜେ ବାନପ୍ରସ୍ଥ ଆଚରଣ କରିବାକୁ ଚାହିଁଲେ । ଏ ବିଷୟରେ ରାଜା ସମସ୍ତିଙ୍କର ମତ ମାରିଲେ । ପ୍ରଧାନମନ୍ତ୍ରୀ କହିଲେ, “ମଣିମା, ଦୁହେଁ ତ ଯୋଗ୍ୟ; କିନ୍ତୁ ପ୍ରଥା ଅନୁସାରେ ଜ୍ୟେଷ୍ଠ ରାଜପୁତ୍ରଙ୍କୁ ଆପଣ ସିଂହାସନ ଦିଅନ୍ତୁ ।”

                ସେହିଦିନ ରାଜା ତାଙ୍କର ଦୁଇପୁତ୍ରଙ୍କୁ ଡକାଇ କହିଲେ, “ଏବେ ତ ମୋର ବୟସ ବଢି ଗଲାଣି । ମଁ ତୁମ ଦି’ଜଣଙ୍କର ବିବାହ ଏକ ସଙ୍ଗେ କରିଦେବାକୁ ଚାହେଁ । ପୁଣି ଜୟର ରାଜ୍ୟାଭିଷେକ ମଧ୍ୟ ହେବ । ତା’ପରେ ମୁଁ ଏକ ନିର୍ଜନ ସ୍ଥାନକୁ ଯାଇ ସେଠାରେ ଶାନ୍ତିରେ ସମୟ ବିତାଇବି । ସେଥିପାଇଁ ମୁଁ ପଡୋଶୀ ରାଜ୍ୟର ରାଜକନ୍ୟାମାନଙ୍କର ଚିତ୍ରପଟ ମଗାଉଛି ତା’ମଧ୍ୟରୁ ତୁମେ ଦୁହେଁ ନିଜ ନିଜ ଲାଗି କନ୍ୟା ପସନ୍ଦ କରିନେବ ।”

                ଜୟ କହିଲେ, “ବାବା, ମୋତେ କ୍ଷମା କରନ୍ତୁ । ମୁଁ ଆମ ମୁଖ୍ୟମନ୍ତ୍ରୀଙ୍କ ଝିଅକୁ ବିବାହ କରିବାକୁ ପସନ୍ଦ କରି ସାରିଛି!”

                ରାଜା ଜୟଙ୍କର କଥା ଶୁଣି ଚମକି ଉଠିଲେ କିନ୍ତୁ ସେ ଚୁପ୍ ରହିଲେ । କାରଣ ସେ ଜାଣନ୍ତି ପୁଅ ଟିକିଏ ଜିଦ୍ଖୋର୍, ସେ ତା’ ମନରେ ଯାହା ଧରିଥିବ ସେଇଆ । ତେଣୁ ସେ ସାନ କୁମାରଙ୍କୁ ପଚାରିଲେ, “ପୁଅ, ତୁମେ କିଛି କହିବାକୁ ଚାହଁ କି?”

                “ବାବା, ଏଥିପାଇଁ ମୋତେ ଦୁଇଦିନ ସମୟ ଦିଅନ୍ତୁ ।” ଏତିକି କହି ସେ ସେଠାରୁ ଚାଲିଗଲେ ।

                ପରଦିନ ପିତାଙ୍କ ପାଖକୁ ଯାଇ ସେ କହିଲେ, “ମୁଁ ପୃଥିବୀର ସର୍ବାପେକ୍ଷା କୋମଳ ଝିଅକୁହିଁ ବିବାହ କରିବାକୁ ଚାହେଁ । ସେହିପରି ଏକ ରାଜକୁମାରୀଙ୍କର ଚିତ୍ରପଟ ଆପଣ ମୋତେ ଅଣାଇ ଦିଅନ୍ତୁ ।”

                ମାସକ ମଧ୍ୟରେ ଅନେକ ରାଜକୁମାରୀଙ୍କର ଚିତ୍ରପଟ ସବୁ ଆସିଗଲା । ସେମାନଙ୍କ ମଧ୍ୟରୁ କୁମାର ବିଜୟ ତିନୋଟି ଚିତ୍ରପଟ ବାଛିଲେ ଯଥା; ଭୁବନଗିରି, ଉଦୟଗିରି ଓ ଚନ୍ଦ୍ରଗିରିର ତିନି ରାଜକୁମାରୀଙ୍କର । ତା’ପରେ ସେ ରାଜାଙ୍କୁ କହିଲେ, “ବାବା, ମୁଁ ଏଇ ତିନିଜଣଙ୍କ ମଧ୍ୟରୁ ଜଣକୁ ବିବାହ କରିବି । ଏମାନଙ୍କ ସହିତ ମୁଁ କଥା ହେବି, ତା’ପରେ ଯାହାକୁ ଯୋଗ୍ୟ ଦେଖିବି ତାକୁହିଁ ଆପଣଙ୍କର ବୋହୁ ବାଛିବି । ଆପଣ ଏହି ତିନି ରାଜ୍ୟକୁ ସୂଚନା ଦିଅନ୍ତୁ ଯେ ମୁଁ ସେଠାକାର ରାଜକୁମାରୀମାନଙ୍କୁ ଭେଟିବାକୁ ଯାଉଛି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ