ପାଣ୍ଡବମାନଙ୍କ ଅଜ୍ଞାତବାସ କାଳରେ ଦିନେ ଦ୍ରୌପଦୀ ରହୁଥିବା ଏକ ଗ୍ରାମ ନିକଟସ୍ଥ ନଦୀରେ ସ୍ନାନ କରୁଥାଆନ୍ତି । ଏହି ସମୟରେ ନଦୀ ବନ୍ଧ ଉପରେ କିଛି ଲୋକଙ୍କ ଚିତ୍କାର ଶୁଣାଗଲା । ଦ୍ରୌପଦୀ ନିଜ ଛାତି ଓ ଶରୀରକୁ ଲୁଗାରେ ଘୋଡାଇ ନଦୀ ବନ୍ଧ ଉପରକୁ ଚାହିଁବା ମାତ୍ରେ ଭୟରେ ଶିହରୀ ଉଠିଲେ । ସେ ଦେଖିଲେ ଜଣେ ସୁନ୍ଦରୀ ଯୁବତୀ ପ୍ରାଣ ବିକଳରେ ନଦୀବନ୍ଧ ଉପରେ ଧାଉଁଛି ଏବଂ ତା’ପଛରେ କିଛି ଲୋକ ଗୋଡାଇ ଗୋଡାଇ ତାକୁ ଟେକା ଫିଙ୍ଗୁଛନ୍ତି । ଯୁବତୀଟି ଟେକାମାଡରୁ ରକ୍ଷା ପାଇବା ପାଇଁ ଦ୍ରୌପଦୀଙ୍କୁ ଦେଖି ତାଙ୍କ ଆଡକୁ ପଳାଇ ଆସୁଥିବା ବେଳେ ଦ୍ରୌପଦୀ ନିଜ ଦେହର ବସ୍ତ୍ର ସଜାଡିନେଇ ପାଣିଭିତରୁ କୂଳକୁ ଉଠି ଆସିଲେ ।
ଯୁବତୀ ଉପରକୁ ଟେକା ଫିଙ୍ଗୁଥିବା ଲୋକମାନେ ଦ୍ରୌପଦୀଙ୍କୁ ଦେଖିବା ମାତ୍ରେ ଚୁପ୍ଚାପ୍ ଠିଆ ହୋଇ ରହିଗଲେ । ସେତେବେଳକୁ ଯୁବତୀଟି ଦଉଡିଆସି ଦ୍ରୌପଦୀଙ୍କ ପାଖରେ ପହଁଚି ଭୟରେ ଥରୁଥାଏ ।
ଯୁବତୀଟି ଅତ୍ୟନ୍ତ ଭୟପାଇ ଯାଇ ଥିବାର ଜାଣି ଦ୍ରୌପଦୀ ସେହି ଲୋକମାନଙ୍କୁ ଭତ୍ସନା କରି କହିଲେ – “ଆପଣମାନଙ୍କ ମନରେ ଟିକେ ବି ଦୟାନାହିଁ । ଏତେ କମ୍ ବୟସର ଏପରି ଜଣେ ସୁନ୍ଦରୀ ଯୁବତୀଙ୍କୁ ଆପଣମାନେ ଗୋଡେଇ ଗୋଡେଇ ଟେକା ଫିଙ୍ଗୁଛନ୍ତି, ଆପଣଙ୍କୁ ଟିକେ ଲାଜ ଲାଗୁନାହିଁ ।”
ଟେକା ଫିଙ୍ଗୁଥିବା ଲୋକମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ରାଗିଯାଇ କହିଲା – “ଆପଣ କିଛି ନଜାଣି ନଶୁଣି ପାଟି କରୁଛନ୍ତି କାହିଁକି? ଏ ଯୁବତୀ ଆମ ଗ୍ରାମର ପରିବେଶକୁ ସମ୍ପୂର୍ଣ୍ଣ ନଷ୍ଟକରି ଦେଲାଣି । ୟା ସକାଶେ ଆମେମାନେ ଗାଁରେ ମୁଣ୍ଡଟେକି ଚାଲି ପାରୁନାହୁଁ । ଏଇ ଯୁବତୀ ବିବାହିତା ହୋଇଥିଲେ ମଧ୍ୟ ଏକାଧିକ ପୁରୁଷମାନଙ୍କ ସହିତ ସମ୍ପର୍କ ରଖିଛି ।”