ସେତେବେଳେ ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ କଂଗ୍ରେସ ଅଧିବେଶନ ବସିଥାଏ । ଏହାର ମୂଳ ଲକ୍ଷ୍ୟ ଥିଲା ଗୋରାଶାସନକୁ ଦେଶରୁ ହଟାଇବା । ତେଣୁ ସେଠାରେ ଦେଶରୁ ବିଭିନ୍ନ ପ୍ରାନ୍ତରୁ ନେତାଗଣ ଯୋଗ ଦେଇଥାନ୍ତି । ସେମାନଙ୍କ ମଧ୍ୟରେ ଥାଆନ୍ତି ଲୋକମାନ୍ୟ ବାଳ ଗଙ୍ଗାଧର ତିଳକ । ଏହି ଅଧିବେଶନରେ ତାଙ୍କର ଗୁରୁଦାୟିତ୍ୱ ଥାଏ । ତେଣୁ ସେ ପ୍ରତିଦିନ ବଡି ଭୋରରୁ ବିଳମ୍ବିତ ରାତ୍ରିଯାଏଁ ନିଜକୁ ନିୟୋଜିତ କରି ଦେଉଥିଲେ । ସେ ଏତେ କାର୍ଯ୍ୟବ୍ୟସ୍ତ ରହୁଥିଲେ ଯେ, ଭୋକ ଶୋଷ ସୁଦ୍ଧା ଭୁଲି ଯାଉଥିଲେ । ସେଥିଲାଗି ବେଳେବେଳେ ତାଙ୍କୁ ଖାଡାଖାଡା ଉପବାସ ବି ରହିବାକୁ ପଡୁଥିଲା ।
ଦିନକର କଥା । ତିଳକ କାର୍ଯ୍ୟବସ୍ତତା ଯୋଗୁଁ ଖାଇବା କଥା ସମ୍ପୂର୍ଣ୍ଣ ରୂପେ ଭୁଲି ଯାଇଥାନ୍ତି । ଖାଇବା ସମୟ ଗଡି ଯାଉଥିବା କଥା ସାଙ୍ଗରେ ଥିବା ବନ୍ଧୁମାନେ ବି ତାଙ୍କୁ ସୂଚନା ଦେଲେ । ତଥାପି ମଧ୍ୟ ସେ ସେଥିପ୍ରତି ଆଦୌ କର୍ଣ୍ଣପାତ କଲେ ନାହିଁ । ବେଶ୍ ବିଳମ୍ବରେ କାର୍ଯ୍ୟରୁ ଟିକିଏ ଅବ୍ୟାହତ ପାଇଲା ପରେ ସେ ଭୋଜନାଳୟକୁ ପଶିଗଲେ ।
ସେଠାରେ ଭୋଜନାଳୟ ଦାୟିତ୍ୱରେ ଥିବା ନେତାଜଣକ ତିଳକଙ୍କୁ ଦେଖି ପଚାରିଲେ, “ଏଇ କେତେଦିନ ହେଲା ମୁଁ ଲକ୍ଷ୍ୟ କରୁଛି, ଆପଣ ଠାକୁରପୂଜା କରିବାକୁ ବେଳ ପାଉ ନାହାଁନ୍ତି କି ଭଲକରି ଗଣ୍ଡେ ଖାଇବାକୁ ବି ଇଚ୍ଛା କରୁ ନାହାଁନ୍ତି, ଏମିତିକି ବେଳେବେଳେ ଉପବାସ ବି ରହିଯାଉଛନ୍ତି । ଏହାର କାରଣ କ’ଣ?”