ଅନେକ ଦିନ ତଳର କଥା । ଚୀନ ଦେଶରେ ଗୋଟିଏ ଛୋଟ ଗାଁର ଏ କାହାଣୀ । ସେଇଠି ରହୁଥାଆନ୍ତି ଗୋଟିଏ ଛୋଟ ଖପରଲି ଘରେ କାଠୁରିଆ, ତାର ସ୍ତ୍ରୀ ଏବଂ ତାଙ୍କର ଛୋଟ ଝିଅଟିଏ । ସେମାନେ ତ ଭାରି ଗରିବ ଥିଲେ । ହେଲେ ପାଖ ଜଙ୍ଗଲରୁ କାଠ ଆଣି କାଠୁରିଆ ତାର ବ୍ୟବସାୟ କରୁଥିଲା । ବାରିରେ ପରିବା ଆଦାୟ କରି ଦୁଃଖେ ସୁଖେ ଦୁଇ ପ୍ରାଣୀ ଚଳି ଯାଉଥିଲେ । ତାଙ୍କର କେବେ ବି କିଛି ବଳୁ ନ ଥିଲା କି କେବେବି କିଛି ଅଭାବ ମଧ୍ୟ ପଡୁ ନ ଥିଲା ।
ଦିନକର କଥା । କାଠୁରିଆ କାଠ ଚିରୁଥାଏ । ତାରି ପାଖରେ ବସି ତାର ସ୍ତ୍ରୀ ଲୁଗା ସିଲାଇ କରୁଥାଏ । ଦୁହେଁଯାକ ଦୁଃଖ ସୁଖ ହେଉ ହେଉ କେତେ କଥା ପଡିଲା । କିପରି ପଡିଶା ଘରର ଲୋକେ କୋଠାଘରେ ରହୁଛନ୍ତି । ଆଉ କାହାର ଗାଡିମଟର ଅଛି । ପୁଣି କେହି କେହି କେତେ ଜମିବାଡି ଅମଳ କରି ବେଶ୍ ସୁଖରେ ନିଜ ସମୟ ବିତାଉଛନ୍ତି । ଗାଁଯାକରେ ସେଇ କେବଳ ଦୁଃଖ ପାଉଛନ୍ତି ।
ଠିକ୍ ଏତିକିବେଳେ ସେ କାଠୁରିଆର ସ୍ତ୍ରୀ କହିଲା, “ଯଦି ମୁଁ ପରୀରାଣୀକୁ ଦେଖନ୍ତି, ତେବେ ମୁଁ ତାକୁ କେତୋଟି ବର ମାଗନ୍ତି – ଯହିଁରେ ଆମର ଧନସମ୍ପତ୍ତି ବଢିଯାଆନ୍ତା ।”
ସତକୁ ସତ, ସେ କାଠୁରିଆ ସ୍ତ୍ରୀର ପାଟିରୁ କଥା ସରିଛି କି ନାହିଁ, ହଠାତ୍ ପରୀରାଣୀ ଆସି ତା ଘର ଭିତରେ ପଶିଗଲା । ପରୀରାଣୀକୁ ଦେଖି ସେ କାଠୁରିଆ ଓ ତାର ସ୍ତ୍ରୀ ଆଚମ୍ବିତ ହୋଇଗଲେ! ପରୀରାଣୀ ସେ କାଠୁରିଆକୁ କହିଲେ, “ମୁଁ ତୁମକୁ ତିନିଗୋଟି ବର ଦେଲି । ତୁମେ ତାର ସତ୍ ଉପଯୋଗ କରିବ । ଆଉ ମୋତେ କିଛି ବି ମାଗିବ ନାହିଁ ।”
ଏତିକି କହି ସେ ପରୀରାଣୀ ସେଠାରୁ ଉଭାନ୍ ହୋଇଗଲା । କେଉଁଠୁ ଆସି ସେ କୁଆଡେ ଗଲା, ସେକଥା କେହି ବି ଆଦୌ ଜାଣି ପାରିଲେ ନାହିଁ ।
ବର ତିନୋଟି ପାଇ କାଠୁରିଆ ଆଉ ତାର ସ୍ତ୍ରୀ ବଡ ଖୁସି ହୋଇଗଲେ । ଉଭୟଙ୍କ ଭିତରେ ବିଚାର ପଡିଲା – କ’ଣ ମାଗିଲେ ସେମାନେ ସର୍ବଦା ସୁଖରେ ରହିବେ ।
କାଠୁରିଆ ସ୍ତ୍ରୀ କହିଲା, “ମୋର ମନ ହେଉଛି, ଆମେ ଗୁଡାଏ ଧନ ସମ୍ପତ୍ତି ମାଗିଦେବା । ତେବେ ଯାଇ ଆମର ଆଉ କୌଣସି ଦୁଃଖ ରହିବ ନାହିଁ । ଯେମିତିକି ଅନ୍ୟମାନେ ଆମକୁ ଦେଖି ଖୁବ୍ ଈର୍ଷା କରିବେ ।