ପରଦିନ ମହାରାଜ ଭୋଜ ଯେତେବେଳେ ସିଂହାସନରେ ଆରୋହଣ କରିବାକୁ ଉଦ୍ୟତ ହେଲେ, ସେତେବେଳେ ଚତୁର୍ଥ ପୁତ୍ତଳିକା କାମକନ୍ଦଳା ମୂର୍ତ୍ତି ସାଜି ଠିଆ ହେଲା ଏବଂ ବାଟଓଗାଳି କହିଲା, “ମହାରାଜ! ବିକ୍ରମାଦିତ୍ୟଙ୍କର ଯେତେ ପ୍ରକାରର ସଦ୍ଗୁଣ ରହିଥିଲା ଆପଣଙ୍କର ସେଥିରୁ କାଣିଚାଏ ଅଛିକି? ମୋ କଥା ଥରେ ଶୁଣନ୍ତୁ ଏବଂ ମନେମନେ ବିଚାର କରି ଦେଖନ୍ତୁ, ଆପଣ ଉପଯୁକ୍ତ କି ନୁହଁନ୍ତି । ତା’ପରେ ଯାହା କରିବାର କଥା କରନ୍ତୁ ।”
ଏକଦା ମହାରାଜ ବିକ୍ରମାଦିତ୍ୟ ରାଜ ଦରବାରରେ ବିଜେ କରିଥିଲେ । ମନ୍ତ୍ରୀ, ରାଜପାରିଷଦଗଣଙ୍କ ସହିତ କୌଣସି ପ୍ରସଙ୍ଗରେ ଆଲୋଚନା କରୁଥିଲେ ସେତେବେଳେ ଜଣେ ତେଜସ୍ୱୀ ସାଧୁ ଆସି ଉପସ୍ଥିତ ହେଲେ । ମହାରାଜ ତାଙ୍କର ଆଦର ସତ୍କାର କରି ଆଗମନର ଅଭିପ୍ରାୟ ଜାଣିବାକୁ ଚାହିଁଲେ । ସାଧୁ ଜଣକ କହିଲେ, “ମହାରାଜ! ମୁଁ ମାନସରୋବରରୁ ଆସିଛି । ଗତ କିଛିଦିନ ଧରି ଏକ ଆଶ୍ଚର୍ଯ୍ୟ ଘଟଣା ଦେଖି ସେଇ କଥା ଆପଣଙ୍କୁ ଜଶାଇବାକୁ ଆସିଛି । ମୁଁ ନିଇତି ଦେଖୁଛି, ଯେ ସୂର୍ଯ୍ୟ ଉଦୟହେବା ସହିତ ମାନସରୋବର ବକ୍ଷରେ ଏକ ସ୍ତମ୍ଭର ଆର୍ବିଭାବ ଘଟୁଛି । ସୁର୍ଯ୍ୟୋଦୟ ସମୟରେ ସ୍ତମ୍ଭଟି ଦୀର୍ଘ ହୋଇ ଯାଉଛି । ମଧ୍ୟାହ୍ନ ସମୟରେ ତାର ଉଚ୍ଚତା ବଢି ଆକାଶକୁ ଛୁଉଁଛି । ସୂର୍ଯ୍ୟାସ୍ତ ବେଳକୁ ସ୍ତମ୍ଭଟି କୁଆଡେ ମିଳାଇ ଯାଉଛି । ଏମିତି କାହିଁକି ହେଉଛି ମୁଁ ବୁଝିପାରୁ ନାହିଁ ।”
ମହାରାଜା ଏବଂ ପାରିଷଦବର୍ଗ ଆଶ୍ଚର୍ଯ୍ୟ ହୋଇ କହିଲେ, “କ’ଣ ତେବେ ଏହାର ରହସ୍ୟ?” ସାଧୁ କହିଲେ, “କିଛିକାଳ ପୂର୍ବେ ଦେବଗଣ ଓ ସୂର୍ଯ୍ୟଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ସୂର୍ଯ୍ୟଙ୍କ କହିବା ଅନୁସାରେ ପୃଥିବୀପୃଷ୍ଠରେ ଏମିତି କେହି ମାନବ ନାହାନ୍ତି ଯିଏକି ତାଙ୍କର ସାମ୍ନା ସାମ୍ନି ହୋଇପାରିବ । କେବଳ ସମୁଦ୍ରହିଁ ତାଙ୍କୁ ସାକ୍ଷାତ କରିପାରିବ ।”
ତାଙ୍କ କଥା ଶୁଣି ସବୁ ଦେବତା ଚୁପ୍ ରହିଲେ । ମାତ୍ର ଇନ୍ଦ୍ରଦେବ କହିଲେ, “ପୃଥିବୀରେ ଏକମାତ୍ର ରାଜଚକ୍ରବର୍ତ୍ତି ବିକ୍ରମାଦିତ୍ୟ ଆପଣଙ୍କର ସାମ୍ନାସାମ୍ନି ହୋଇ ପାରିବେ । କାରଣ ସେ ଯେଉଁ ସିଂହାସନରେ ବସି ଶାସନ କରୁଛନ୍ତି ତାହାର ମହାତ୍ମା ଅତୁଳନିୟ ।”
“ହେ ମହାରାଜ! ମୁଁ ଇନ୍ଦ୍ର ଦେବଙ୍କ ଦୂତରୂପେ ଆପଣଙ୍କ ପାଖକୁ ଆସିଛି । ଆପଣ ଚାହିଁଲେ ସୂର୍ଯ୍ୟଙ୍କ ସହିତ ସାକ୍ଷାତ କରି ଇନ୍ଦ୍ରଙ୍କ ସମ୍ମାନ ରକ୍ଷା କରିପାରିବେ ।” ଏକଥା ଶୁଣି ବିକ୍ରମାଦିତ୍ୟ କହିଲେ, “ଇନ୍ଦ୍ରଦେବ ମୋ ଉପରେ ଯେଉଁ ଆସ୍ଥା ପ୍ରକଟ କରିଛନ୍ତି, ମୁଁ ତା’ର ଅବମାନନା କରିପାରିବି ନାହିଁ । ମୁଁ ଯଥାଶୀଘ୍ର ସୂର୍ଯ୍ୟଙ୍କ ସାମ୍ନା ସାମ୍ନି ହୋଇ ଦେବକୁଳର ଗୌରବ ବଢାଇବି ।”