ରଘୁନନ୍ଦନ ମିଶ୍ର, ଆନନ୍ଦପୁର ଗ୍ରାମର ଅନ୍ୟ ଅଧିବାସୀମାନଙ୍କ ଅପେକ୍ଷା ବେଶ୍ ସ୍ୱଚ୍ଛଳ । ପନ୍ଦର ଏକର ଉର୍ବର ଚାଷଜମି ସାଙ୍ଗକୁ ଦୁଇ ଏକର ଆମ୍ବ ତୋଟାରୁ ତାଙ୍କର ଭଲ ଆୟ ହୁଏ । ତାଙ୍କ ପରିବାର କହିଲେ ସ୍ତ୍ରୀ ଓ ଏକମାତ୍ର କନ୍ୟା – ରୁକ୍ମିଣୀ ।
ରୁକ୍ମିଣୀ ଏବେ ବିବାହ-ଯୋଗ୍ୟ ବୟସରେ ଉପନୀତା । ମିଶ୍ରେ ନିଜ କନ୍ୟାର ବିବାହ ଆୟୋଜନରେ ଲାଗି ଥାଆନ୍ତି । ମନେ ମନେ ସ୍ଥିର କରି ଥାଆନ୍ତି, ଜଣେ ସୁନ୍ଦର ଅଥଚ ବିଦ୍ୱାନ ଯୁବକଙ୍କୁ ସେ ନିଜ ଜୋଇଁ କରିବେ, ଯେ କି, ଘରଜୋଇଁ ଭାବେ ରହିବା ପାଇଁ ସମ୍ମତ ଥିବ ।
ତାଙ୍କ ପସନ୍ଦର ଯୁବକ, ଦୁଇ ତିନି ଜଣ ନଜରକୁ ଆସିଲେ । କିନ୍ତୁ, ସେମାନଙ୍କ ମଧ୍ୟରୁ କେହି ଘରଜୋଇଁ ହେବାପାଇଁ ରାଜି ନ ଥିଲେ । ଇତିମଧ୍ୟରେ ରୁକ୍ମିଣୀ, ନିଜ ମା’ଙ୍କ ସହିତ ଏକ ସମ୍ପର୍କୀୟଙ୍କ ଘରକୁ ଏକ ବିବାହ-ଉତ୍ସବରେ ଯୋଗ ଦେବା ପାଇଁ ଯାଇଥାଏ । ସେଠାରେ ତା’ର ଶ୍ରୀକାନ୍ତ ନାମକ ଏକ ଯୁବକଙ୍କ ସହ ପରିଚୟ ହେଲା । ବେଶ୍ ଧନୀ ନ ହେଲେ ବି ନିଜର ପାଣ୍ଡିତ୍ୟ ତଥା ଉତ୍ତମ ବ୍ୟବହାର ପାଇଁ ତା’ର ଯଥେଷ୍ଟ ସୁନାମ ଥାଏ ।
ରୁକ୍ମିଣୀ ଶ୍ରୀକାନ୍ତଙ୍କୁ ପସନ୍ଦ କରୁଥିବା ବିଷୟ ମା’ ଜାଣି ପାରି ପ୍ରଥମେ ବହୁତ ଖୁସି ହେଲେ । ମାତ୍ର କାଳେ ଘରଜୋଇଁ ହେବା କଥା ଶୁଣିଲେ ସେ ମନା କରିଦେବ ଏହା ଭାବି ସେ ପୁଣି ଚିନ୍ତିତ ହେଲେ । ତଥାପି ମନରେ ସାହସ ରଖି ଶ୍ରୀକାନ୍ତଙ୍କୁ ସେ ପଚାରିଲେ, “ତୁମର ବିଦ୍ୟା ଅଧ୍ୟୟନ ସରିଯାଇଛି କି? ଏବେ ପୁଣି ତମେ ଆଉ କ’ଣ କରିବାକୁ ମନସ୍ଥ କରୁଛ?”
ଶ୍ରୀକାନ୍ତ ତୁରନ୍ତ ଉତ୍ତର ଦେଲେ, “ପୈତୃକ ସମ୍ପତ୍ତି ରୂପେ, ଦୁଇ ଏକର ଚାଷଜମି ମୋତେ ମିଳିଛି । ମାତ୍ର ସେଥିରୁ ଆମଦାନୀ ପର୍ଯ୍ୟାପ୍ତ ହେବ ନାହିଁ । ଅନ୍ୟମାନେ ପରାମର୍ଶ ଦେଉଛନ୍ତି, ଏକ ଶିକ୍ଷାୟତନ ଆରମ୍ଭ କରିବା ପାଇଁ, ମୋର ମଧ୍ୟ ଅନୁରୂପ ଇଚ୍ଛା ରହିଛି ।”
ଏପରି ପ୍ରତ୍ୟୁତ୍ତର ରୁକ୍ମିଣୀଙ୍କ ମା’ଙ୍କ ମନରେ ଆଶା ସଂଚାର କଲା । ସେ କହିଲେ, “ତୁମେ ଆମର ଦୂର ସମ୍ପର୍କୀୟ । ଏ କଥା ତୁମେ ତ ଜାଣିଛ । ଏହି ଦୂର-ସମ୍ପର୍କକୁ ନିକଟତର କରିବା ପାଇଁ, ମୋର ଇଚ୍ଛା । ଯେବେ ମୋର ସ୍ୱାମୀ ରାଜି ହୁଅନ୍ତି, ତେବେ ତୁମକୁ ଜୋଇଁ କରିବାର ଆଶା ମୁଁ ରଖିଛି । ମୋର କନ୍ୟା ରୁକ୍ମିଣୀକୁ ଦେଖି ତମେ ନିଶ୍ଚୟ ପସନ୍ଦ କରିଥିବ” ।