ପୁରାକାଳର କଥା । ଜଣେ ରାଜା ଥିଲେ ଯେ ସେ ଯାହା ମନ ତାହା କରୁଥିଲେ । କିନ୍ତୁ ସେ ସର୍ବଦା ବାହାଦୁରୀ ଦେଖାଇ କହୁଥାନ୍ତି କି ସେ କେବେବି ଅଯୌକ୍ତିକ କାମ କରନ୍ତି ନାହିଁ ।
ଥରେ ସେ ଅସୁସ୍ଥ ହେଲେ । ବହୁତ ଦିନ ଧରି ସେ ଆରୋଗ୍ୟ ଲାଭ ନ କରିବାରୁ ସେ ଏହା ଘୋଷଣା କଲେ ଯେ, “ଯିଏ ମୋତେ ଭଲ କରିଦେବ, ସେ ମୋ ରାଜ୍ୟରୁ ଗୋଟିଏ ଅଂଶ ପାଇବ । କିନ୍ତୁ ଯିଏ ଚେଷ୍ଟା କରି ବିଫଳ ହେବ, ସେ ତା’ ମୁଣ୍ଡଟି ହରାଇବ । ଯୁକ୍ତିଯୁକ୍ତ କଥା ।”
ଦୁଇ ତିନିଜଣ ଆଶାୟୀ ବୈଦ୍ୟ ଚେଷ୍ଟା କଲେ, କିନ୍ତୁ ସେ ରାଜାଙ୍କୁ ମୋଟେ ଭଲ କରି ପାରିଲେ ନାହିଁ । ଫଳରେ ସେମାନେ ସବୁ କାରାରୁଦ୍ଧ ହେଲେ ଓ ମୁଣ୍ଡ କାଟ ପାଇଁ ଅପେକ୍ଷା କଲେ ।
ବିଜୟ ଶର୍ମା ନାମକ ଜଣେ ବୈଦ୍ୟ ରାଜାଙ୍କୁ ଭେଟି କହିଲେ, “ମହାରାଜ! ମୁଁ ଆପଣଙ୍କ ସର୍ତ୍ତ ଗ୍ରହଣ କଲି । ମୁଁ ଯଦି ସପ୍ତାହକ ଭିତରେ ଆପଣଙ୍କୁ ଭଲ କରି ନ ପାରିବି, ତେବେ ଆପଣ ମୋ ମୁଣ୍ଡ ନେବେ । ଆଉ ଯଦି ପାରିବି, ତେବେ ମୁଁ ଆପଣଙ୍କ ମୁଣ୍ଡ ନେବି ।”
ରାଜା ଚିତ୍କାର କରି କହିଲେ “କି ସାହସ!”
“ମହାରାଜ! ମୁଁ ଯୁକ୍ତିଯୁକ୍ତ କଥା କହୁଛି । ମୁଁ ଯଦି ଆପଣଙ୍କୁ ଭଲ କରି ନ ପାରିଲି ତେବେ ମୁଁ ଆପଣଙ୍କୁ ମୋ ମୁଣ୍ଡଟି ଦେବି, ଭଲ କରି ପାରିଲେ ଆପଣ ନିଜ ମୁଣ୍ଡଟି ମୋତେ ନଦେବେ କିଆଁ? ଏହା ହେଉଛି ପ୍ରଥମ ଯୁକ୍ତି । ଆପଣଙ୍କ ମୁଣ୍ଡଟି ଗଲେ ଭବିଷ୍ୟତରେ ବୈଦ୍ୟମାନେ ନିରାପଦ ହେବେ । ଏହା ହେଲା ଦ୍ୱିତୀୟ ଯୁକ୍ତି । ବୈଦ୍ୟମାନେ ନିରାପଦ ହେଲେ ସିନା ରୋଗୀମାନଙ୍କ ଉପକାର ହେବ । ଏହା ଅଟେ ତୃତୀୟ ଯୁକ୍ତି…”
“ହେଲା, ହେଲା । ଏବେ ମୋର ଚିକିତ୍ସା କର । ତମେ ମୋତେ ଭଲ କରବା ନକର, ହେଲେ ତୁମ ମୁଣ୍ଡ ମୁଁ କଦାପି ମଧ୍ୟ ନେବି ନାହିଁ ।” ଏହାକହି ରାଜା ବନ୍ଦୀଥିବା ବୈଦ୍ୟ ଦୁଇଜଣଙ୍କୁ ବି ଛାଡିଦେଲେ ।