(ବିଚିତ୍ରବର୍ମା ପଣ୍ଡିତମାନଙ୍କର ମତ ନେଇ ମନ୍ଦିର ନିର୍ମାଣ କରିଥିଲେ । ଭୂଗର୍ଭରୁ ପ୍ରାପ୍ତ ଦେବୀମୂର୍ତ୍ତିଙ୍କର ପ୍ରତିଷ୍ଠା ସେ କରାଇଲେ । ଏହାର କିଛି ବର୍ଷପରେ ତାଙ୍କ ପୁତ୍ର ଜୟବର୍ମା ସିଂହାସନରେ ବସିଲେ । କାମ୍ବୋଜର ରାଜା ବରୁଣଦତ ତାଙ୍କର ଅଦ୍ଭୁତ ଶକ୍ତିଶାଳୀ ମୋତିହାରଟିକୁ ନେଇଯିବାର ଯୋଜନା କଲେ । ଏହି କାର୍ଯ୍ୟ ସାଧନ କରିବାକୁ ସେ ଏକ ନର୍ତ୍ତକୀକୁ ପଠାଇଲେ । ଏହି ଷଡଯନ୍ତ୍ର ବିଷୟ ଜାଣିପାରି ବିଚିତ୍ରବର୍ମା ଏପରି ଏକ ପ୍ରତିବ୍ୟୁହ ରଚନା କଲେ, ଯଦ୍ୱାରା ମୁକ୍ତାର ହାରଟିକୁ ନେଇଯିବା ଆଦୌ ସମ୍ଭବ ହେଲା ନାହିଁ । କିନ୍ତୁ ଏକଥା ଜୟବର୍ମା ଜାଣି ନଥିଲେ । ବିଚତ୍ରବର୍ମାଙ୍କ ମୃତ୍ୟୁ ପରେ ଜୟସେନ ଜୟବର୍ମାଙ୍କୁ ତାଙ୍କ ପିତା ଲେଖିଥିବା ଏକ ପତ୍ର ଦେଲେ ।)
ଜୟସେନଙ୍କର ସବୁକଥା ଶୁଣିସାରି ଜୟବର୍ମା କହିଲେ, “ଯାହା ହେବାର ହୋଇଛି । ପିତାଙ୍କର ବିଶ୍ୱାସପାତ୍ର ମୁଁ ହୋଇ ପାରିଲି ନାହିଁ । ସେ ସେହି ହାରଟି ଆଉ କାହାକୁ ଦାନ କରିଦେଇ ନାହାନ୍ତି ତ? ତାହାତ ତାଙ୍କରି ଦାୟାଦକୁହିଁ ମିଳିବା କଥା; ତାଙ୍କର ଦାୟାଦ ବା ଉତ୍ତରପୁରୁଷ ମଧ୍ୟ ମୋହରି ବଂଶରୁ ଉତ୍ପନ୍ନ ହେବ ତ?” ତା’ପରେ ସେ ପତ୍ରଟି କାଢି ପଢିଲେ ।
ସେଥିରେ ଲେଖାଥିଲା – “ପୁତ୍ର ଜୟ, ଆଶା କରେ, ଜୟସେନ ତୁମକୁ ସବୁ କହିସାରିଥିବେ । ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଯେ ମୁଁ ଯାହା କିଛିବି କରିଛି ସେସବୁ କେବଳ ତୁମର ମଙ୍ଗଳ ପାଇଁ ଏବଂ ତୁମେ ସେହି ଘଟଣା ଉପରେ କ୍ରୋଧ ପ୍ରକାଶ କରିବ ନାହିଁ । ମୋ ବ୍ୟତୀତ ଆଉ କେହି ଜାଣେନାହିଁ ଯେ ସେ ହାର ମୁଁ କେଉଁଠି ରଖିଛି । ଏମିତିକି ଜୟସେନ ମଧ୍ୟ ଜାଣନ୍ତି ନାହିଁ । ସେ ହାର କେଉଁଠି ଅଛି ସେ ବିଷୟରେ ମୁଁ କିଛି ସଙ୍କେତ ମାତ୍ର ରଖି ଯାଉଛି । ସର୍ବଲୋକ ପୂଜନୀୟା ପରମେଶ୍ୱରୀ କାଳୀ ମଧ୍ୟ ସ୍ତ୍ରୀ ହିଁ ଅଟନ୍ତି । ସେ କାହା ପାଖରେ ନିଜ ମଥା ନତ କରନ୍ତି କି? ସେହି ପରମେଶ୍ୱରୀଙ୍କ ନିବାସ କେଉଁ ଦିଗରେ? ମନୁଷ୍ୟର ଜୀବନ ଆଧାରକୁ ରଖିଥିବା କେଉଁ ଶକ୍ତି ଯାହା ପଂଚଭୂତର ଅନ୍ୟତମ । ପୁତ୍ର, ଏହା ପ୍ରାପ୍ତ କରିବାର ଭାଗ୍ୟ ଯାହାର ଥିବ, କେବଳ ତାକୁ ହିଁ ଏସବୁ ପ୍ରଶ୍ନର ଉତ୍ତର ମିଳିଯିବ । ସମାଧାନ ଯିଏ ବାହାର କରିବ ସେ ଭାଗ୍ୟଶାଳୀ । ତୁମର ମଙ୍ଗଳ ହେଉ । ତୁମେ ସମସ୍ତ କିଛିର କର୍ତ୍ତା ହୋଇ ଶାନ୍ତିରେ ରାଜ୍ୟଶାସନ କର । ଏହାହିଁ ମୋର ଅନ୍ତିମ ଆଶା” – ତୁମର ପିତା ବିଚିତ୍ରବର୍ମା । ଜୟବର୍ମା ପୁରା ପତ୍ର ପଢିଲେ । ଅତି ଶ୍ରଦ୍ଧା ପୂର୍ବକ ଚିଠିଟିକୁ ଆଖିରେ ଓ ମଥାରେ ସ୍ପର୍ଶ କଲେ ଏବଂ ତା’ପରେ ଚିଠିଟିକୁ ସେ ପୁଣି ସେହି ପେଟିକାରେ ରଖି ଦେଲେ । ଜୟସେନ କହିଲେ, “ପାଂଚ ପୁରୁଷ ବିତିଗଲା, କିନ୍ତୁ କେହି ହେଲେ ତାଙ୍କ ସଙ୍କେତର ଅର୍ଥ ବୁଝିପାରିଲେ ନାହିଁ । ଅନେକ ପ୍ରକାରର ବ୍ୟାଖ୍ୟା ଓ ବିଶ୍ଲେଷଣ ହେଲା; କିନ୍ତୁ କେହିହେଲେ ତାହାର ପ୍ରକୃତ ଅର୍ଥ ପାଇଲେ ନାହିଁ । ତେଣୁ ହାର କେଉଁଠି ଅଛି ସେମାନେ ଜାଣି ପାରିଲେ ନାହିଁ ।
କିନ୍ତୁ ସେମାନଙ୍କ ତର୍କବିତର୍କ ପରେ, ଆମ ରାଜା ସୁଷେଣ ଶେଷକୁ ଏହି ସିଦ୍ଧାନ୍ତରେ ଉପନୀତ ହେଲେ କି ସେହି ହାର କାଳୀ ମନ୍ଦିରର ପୂର୍ବପଟରେ କେଉଁଠି ପୋତା ହୋଇଛି । ସେ ବହୁତ ଖୋଳି ତାଡି ହାର ପାଇବାକୁ ଚେଷ୍ଟା କଲେ, କିନ୍ତୁ ସବୁ ବ୍ୟର୍ଥ । ତାଙ୍କ ପରେ ଆମର ମହାରାଜ ଆଉ କୌଣସି ପ୍ରଚେଷ୍ଟା ସେଦିଗରେ କଲେ ନାହିଁ । କିନ୍ତୁ ସେ ଚାହାନ୍ତି ଯେ ତାଙ୍କ ପୁତ୍ରକୁ ଯେପରି ହାର ମିଳିଯାଏ । ସେ ତୋର ବୁଦ୍ଧି ଉପରେ ଖୁବ୍ ବିଶ୍ୱାସ ରଖିଛନ୍ତି । ତେଣୁ ସେ ଚାହାଁନ୍ତି କୀର୍ତ୍ତିସିଂହଙ୍କ ବୁଦ୍ଧି, ସାହସ ସହିତ ତୋର ବୁଦ୍ଧି ଓ ସାହସ ମିଳିଗଲେ ହୁଏତ ହାରଟିକୁ ଲାଭ କରିବା ସୁଲଭ ହେବ । ସେଥିପାଇଁ ବୋଧହୁଏ ସେ କହିଲେ କୀର୍ତ୍ତିସିଂହଙ୍କୁ ପୂର୍ବପଟ ଜଙ୍ଗଲର କାଳୀମନ୍ଦିରରେ ଯେପରି ବନ୍ଦୀ କରି ରଖା ହୁଏ । ମୋର ମନେହୁଏ ତାଙ୍କର ସେପରି କିଛି ଅଭିପ୍ରାୟ ଅଛି ।