ଘଂଚ ଜଙ୍ଗଲ ମଧ୍ୟରେ ଏକ ବିରାଟ ବରଗଛ ଥିଲା । ସେହି ବର ଗଛରେ ଥିବା କୋରଡ ମଧ୍ୟରେ ଏକ କୁଆ ଦମ୍ପତ୍ତି ବାସ କରୁଥିଲେ । ଏଇଗଛ ପାଖରେ ଏକ କଳା ଗୋଖର ସାପ ବାସ କରୁଥାଏ । କିଛି ଦିନ ପରେ କୁଆଟି ତା’ର ବସାରେ ଡିମ୍ବ ଦେଲା । ଦୁଷ୍ଟ ଗୋଖର ସାପଟି ଏହା ଜାଣିପାରି କୁଆ ବସାରେ ପଶି ତା’ର ଡିମ୍ବକୁ ନଷ୍ଟ କରିଦେଲା । ସାପଟି ଏହିପରି ଥରେ ନୁହେଁ ବାରମ୍ବାର କଲା । ସାପର ଏପରି କାର୍ଯ୍ୟକଳାପ ଦେଖି କୁଆ ଦମ୍ପତ୍ତି କ’ଣ କରିବେ କିଛି ଠିକ୍ କରିପାରିଲେ ନାହିଁ ।
ଏହି ବରଗଛ ପାଖରେ ଆଉ ଗୋଟିଏ ବରଗଛ ଥାଏ । ସେଠାରେ ଏକ ଶୃଗାଳ ବାସ କରୁଥାଏ । ଦିନେ କୁଆଟି ଅତ୍ୟନ୍ତ ଦୁଃଖରେ ତା’ର ମନ କଥା ଶୃଗାଳ ଆଗରେ ପ୍ରକାଶ କଲା । କହିଲା, “ଶୃଗାଳ ଭାଇ! ତୁମେ ମୋର ବନ୍ଧୁ ପରି । କଳା ଗୋଖର ସାପଟି ମୋର ବସା ମଧ୍ୟକୁ ପ୍ରବେଶ କରି ମୋର ଛୁଆମାନଙ୍କୁ ମାରି ଖାଇ ଦେଉଛି । ତେଣୁ ମୁଁ କିପରି ଏହି ବିପଦରୁ ରକ୍ଷା ପାଇବି ତୁମେ ମୋତେ ଉପାୟ ବତାଇ ଦିଅ । ସେ ଆମ ପାଇଁ ସର୍ବଦା ବିପଦ ସୃଷ୍ଟି କରୁଛି । ଏଠାରେ ରହିବା ଆମ ପକ୍ଷେ କଷ୍ଟକର ହୋଇପଡିଲାଣି ।
କୁଆକୁ ଆଶ୍ୱାସନା ଦେବାକୁ ଯାଇ ଶୃଗାଳ କହିଲା, “ଭାଇ! ଧୈର୍ଯ୍ୟ ହରାଅ ନାହିଁ । ଯେତେବଡ ବିପଦ ଆସୁ ପଛକେ ଧୈର୍ଯ୍ୟର ସହିତ ସାମ୍ନା କରିବାକୁ ପଡିବ । ବୁଦ୍ଧି ବଳରେ ଆମେ ସେହି ବିଷଧର ସର୍ପକୁ ମାରି ପାରିବା । ଯେତେ ବଳବାନ୍ ଜନ୍ତୁ ହେଲେ ମଧ୍ୟ ବୁଦ୍ଧି ଦ୍ୱାରା ତାକୁ ପରାସ୍ତ କରାଯାଇପାରିବ ।” ଶୃଗାଳ ଭାଇର କଥାଶୁଣି କୁଆ ମନେ ମନେ ଆଶ୍ୱସ୍ତ ହେଲା ଓ ଉପାୟଟି କ’ଣ ଜଣାଇବାକୁ କହିଲା । ଉତ୍ତରରେ ଶୃଗାଳ କହିଲା, “ପ୍ରଥମେ ତୁମକୁ ଏକ ନଗରକୁ ଯିବାକୁ ହେବ ।